ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ୍‍ ଓ ରନ୍ଧନ ଗ୍ୟାସ୍‍ ଦର ପ୍ରାୟତଃ ପ୍ରତିଦିନ ବଢ଼ୁଥିଲା ବେଳେ କେନ୍ଦ୍ରରେ ବିଜେପି ସରକାର ନିଦାବିଷ୍ଣୁ ହୋଇ ବସିଥିବାରୁ ଏବଂ ଦାମ କମାଇବା ନେଇ କୌଣସି ପଦକ୍ଷେପ ନେଉନଥିବାରୁ ଏହାର ପ୍ରତିବାଦରେ ଆଜି ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ରାଜଭବନ ଆଗରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏ ସଂକ୍ରାନ୍ତରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଦଳର ସାଧାରଣ ସଂପାଦକ ତଥା ବିଧାୟକ ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଏକ ୩୦ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି ଯେ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରାଳୟର ପେଟ୍ରୋଲିୟମ୍‍ ପ୍ଲାନିଂ ଆଣ୍ଡ ଆନାଲିସିସ୍‍ ସେଲ୍‍ରୁ ମିଳିଥିବା ସୂଚନାନୁଯାୟୀ ୨୦୧୪ରେ ଏନ୍‍ଡିଏ କେନ୍ଦ୍ରରେ କ୍ଷମତାକୁ ଆସିଲା ବେଳେ ପେଟ୍ରୋଲ ଲିଟର ପିଛା ଦିଲ୍ଲୀରେ ୭୧ ଟଙ୍କା ୪୧ ପଇସା ଥିଲା । ୨୦୧୫-୧୬ରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‍ ପିଛା ୪୬ ଡଲାରକୁ ଖସିଥିଲେ ହେଁ ଆମ ଦେଶରେ ପେଟ୍ରୋଲ ଦର କମାଯାଇନଥିଲା । ପେଟ୍ରୋଲ ସମେତ ଡିଜେଲ୍‍ କ୍ଷେତ୍ରରେ କେନ୍ଦ୍ର ମଧ୍ୟ ସାଧାରଣ ଲୋକଙ୍କ ବୃହତ୍ତର ସ୍ୱାର୍ଥ ରକ୍ଷା ଲାଗି ଉତ୍ପାଦ ଶୁଳ୍କ ଏନ୍‍ଡିଏ ସରକାର କମାଇନଥିବା ପରିତାପର ବିଷୟ ।
ରନ୍ଧନ ଗ୍ୟାସ୍‍ ଅବସ୍ଥା ମଧ୍ୟ ତଦ୍ରୁପ । ୨୦୧୭ରେ ୧୪.୨ କେଜି ସିଲିଣ୍ଡର ଦର ୭୮୦ ଟଙ୍କା ଥିଲା ବେଳେ ଏବେ ଏହା ବଢ଼ି ୮୭୬ ଟଙ୍କା ଟପିଗଲାଣି । ଅଥଚ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରାଳୟ ଏହି ଆକାଶଛୁଆଁ ଦରକୁ କମାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିବା ସାଧାରଣ ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇପଡିଛି । ଉଜ୍ଜ୍ୱଳା ଗ୍ୟାସ୍‍ ୩୦ଲକ୍ଷ ସଂଯୋଗ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ଉଚ୍ଚ ସ୍ୱରରେ କହି ବୁଲୁଥିବା ବେଳେ ତନ୍ମଧ୍ୟରୁ ୨୪ଲକ୍ଷ ସିଲିଣ୍ଡର ଦ୍ୱିତୀୟଥର ପାଇଁ ରିଫିଲିଂ କରାଯାଇ ନାହିଁ । ସେଥିଯୋଗୁ ୨୪ଲକ୍ଷ ହିତାଧିକାରୀ ପ୍ରକୃତରେ ଅଛନ୍ତି କି ନାହିଁ ସେନେଇ ସନ୍ଦେହ ଉପୁଜିଛି । ସନ୍ଦେହ ସତ୍ୟ ହୋଇଥିଲେ, ଭୂତ ହିତାଧିକାରୀଙ୍କୁ ନେଇ ବଡ଼ ଧରଣର ସ୍କାମ୍‍ ହୋଇଥିବା ବିଚିତ୍ର ନୁହେଁ ବୋଲି ଉକ୍ତ ସ୍ମାରକପତ୍ରରେ ଦର୍ଶାଯାଇଛି ।
ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ଗଣଧାରଣା ଓ ବିକ୍ଷୋଭରେ ଦଳର ସାଧାରଣ ସଂପାଦକ ଅତନୁ ସବ୍ୟସାଚୀ ନାୟକ, ଡ. ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ବିଧାୟକ ଉମାକାନ୍ତ ସାମନ୍ତରାୟ, ପ୍ରଶାନ୍ତ କୁମାର ଜଗଦେବ, ପ୍ରଣବ କୁମାର ବଳବନ୍ତରାୟ, ବ୍ୟୋମକେଶ ରାୟ, ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ସୁରେନ୍ଦ୍ର ସେଠୀ, ସାଂସଦ ନରେନ୍ଦ୍ର ସ୍ୱାଇଁ, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଉପଦେଷ୍ଟା ଚିନ୍ମୟ ସାହୁ, ଯୁବ ବିଜେଡି ଉପଦେଷ୍ଟା ଅମରେଶ ଜେନା, ମହାସଚିବ ଶିଶିର ପରିଜା, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ୍‍ ସେନାପତି, ମହିଳା ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ଭାରତୀ ସିଂହ, ସଂପାଦିକା ମାନସୀ ସୁନ୍ଦରାୟ, ଯୁବ ବିଜେଡି ଉପ-ସଭାପତି ଦୁର୍ଗା ସାମନ୍ତରାୟ, ମନ୍ଦାକିନୀ କର, ରାଜକମଲ ଜେନା, ସାଧାରଣ ସଂପାଦକ ଦେବାଶିଷ ସିଠ୍‍, ଜ୍ୟୋତିରଞ୍ଜନ ଜେନା, ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଗଣଧାରଣା ଓ ବିକ୍ଷୋଭରେ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହିତ ୫୦୦୦ରୁ ଉର୍ଧ୍ବ ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ ।
Share

Leave a Reply

Your email address will not be published. Required fields are marked *

13 + seventeen =