ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ କୃଷି ମନ୍ତ୍ରୀଙ୍କ ତାଗିଦ

ଭୁବନେଶ୍ୱର (): କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଶୁକ୍ରବାର ଫସ୍ଫେଡ୍ ଦ୍ୱାରା ଆୟୋଜିତ ହୋଇଥିବା ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୫-ଟି ନିୟମକୁ (ସମୂହ କାମ, ସ୍ୱଚ୍ଛତା, ଜ୍ଞାନ କୌଶଳ, ଠିକ୍ ସମୟରେ କାର୍ଯ୍ୟ କରିବା ଏବଂ ରୂପାୟନ) ପାଳନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଏହାସହିତ ଫିସ୍ଫେଡ୍ର ସମସ୍ତ ପ୍ରାଥମିକ ସମବାୟ ସମିତିଗୁଡ଼ିକୁ କିପରି ସୁଦୃଢ଼ କରାଯାଇପାରିବ, ମାଛର ରପ୍ତାନି ୩,୫୦୦ କୋଟି ଟଙ୍କାରୁ ୨୦ହଜାର କୋଟି ଟଙ୍କାକୁ ବୃଦ୍ଧି, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପୋଖରୀକୁ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ମାଛ ଚାଷ କରିବା ପାଇଁ ପ୍ରୋତ୍ସାହନ, ଏମ୍ଜିଏନ୍ଆର୍ଇଜିଏସ୍ ହୋଇଥିବା ଫାର୍ମ ପୋଖରୀରେ ମାଛ ଚାଷକୁ ଗୁରୁତ୍ୱ ଦେଇ ରାଜ୍ୟକୁ ଏକ ସ୍ୱାବଲମ୍ବୀ ଓ ଅଗ୍ରଣୀ ରାଜ୍ୟ ରୂପେ ପରିଗଣିତ କରି ରାଜ୍ୟର ଆର୍ଥିକ ସ୍ଥିତି କିପରି ସୁଦୃଢ଼ ହୋଇପାରିବ ଆଲୋକପାତ କରିଥିଲେ ।

ଛତିଶଗଡ଼ ଓ ତେଲେଙ୍ଗାନାରେ ସାମୁଦ୍ରିକ ବେଳାଭୂମି ନ ଥାଇ ମଧ୍ୟ କିପରି ସେମାନେ ମାଛଚାଷର ଉନ୍ନତି କରୁଛନ୍ତି ତାର ପଥ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଆଜି ଯେଉଁଭଳି ଭାବେ ଓମ୍ଫେଡ୍ ଓଡ଼ିଶାର ପୁରପଲ୍ଲୀରେ ପରିଚିତ ହୋଇପାରିଛି ସେହିପରି ଫିସ୍ଫେଡ୍ର ନାମକୁ ସମସ୍ତଙ୍କ ଘରେ ପରିଚିତ କରାଇବା ଆମର ମୂଳଲକ୍ଷ୍ୟ ହେଉ ବୋଲି ସମସ୍ତ କର୍ମଚାରୀଙ୍କୁ ସଂକଳ୍ପ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଭାଗୀୟ କମିଶନର ତଥା ଶାସନ ସଚିବ ବିଶାଳ ଗଗନ କହିଥିଲେ ଯେ ପ୍ରାଥମିକ ସମବାୟ ସମିତିମାନେ ହେଉଛନ୍ତି ଉନ୍ନତିର ମୂଳଦୁଆ । ତେଲେଙ୍ଗାନାରେ ବେଳାଭୂମି ନ ଥାଇ ମଧ୍ୟ ପ୍ରାୟତଃ ୫ହଜାର ପ୍ରାଥମିକ ସମବାୟ ସମିତି କର୍ଯ୍ୟ କରୁଥିଲା ବେଳେ ଓଡ଼ିଶାରେ ମାତ୍ର ୭୩୨ଟି ପ୍ରାଥମିକ ସମବାୟ ସମିତି କାର୍ଯ୍ୟ କରୁଛନ୍ତି । ଓଡ଼ିଶାରେ ୧୨୦୦ରୁ ଅଧିକ ମତ୍ସ୍ୟ ସମବାୟ ସମବାୟ ସମିତି ଥିବା ବେଳେ ଏହା କିପରି ବୃଦ୍ଧି କରାଯାଇ ସମସ୍ତଙ୍କୁ ପୁନଃ କାର୍ଯ୍ୟକ୍ରମ କରାଯିବ ସେହି ଉପରେ ଉପସ୍ଥିତ ଅଧିକାରୀଙ୍କୁ ଉପଦେଶ ଦେଇଥିଲେ ।

ମତ୍ସ୍ୟ ନିର୍ଦ୍ଦେଶକ ରତ୍ନାକର ରାଉତ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି, ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀମାନଙ୍କର ଉନ୍ନତି ଓ ମତ୍ସ୍ୟଜୀବୀମାନଙ୍କର ମାଛ ଉତ୍ପାଦନ ବୃଦ୍ଧି ଏବଂ ଆର୍ଥିକ ମାନଦଣ୍ଡର ବିକାଶ କିପରି କରାଯାଇପାରିବ ତାହା ଉପରେ ଆଲୋକପାତ କରିଥିଲେ ।

ଫିସ୍ଫେଡ୍ ଓ ଫିସ୍କୋପଫେଡ୍ର ସଭାପତି ଟି. ପ୍ରସାଦ ରାଓ ଦୋରା ଫିସ୍ଫେଡ୍ର ବର୍ତ୍ତମାନ ଓ ପୂର୍ବବସ୍ଥାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ଫିସ୍ଫେଡ୍ ଦ୍ୱାରା କାର୍ଯ୍ୟକାରୀହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ଯୋଜନାମାନ ଉତ୍ଥାପନ କରି ସମସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରିଚାଳନା ନିର୍ଦ୍ଦେଶକ ଉମେଶ କୁମାର ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫିସ୍ଫେଡ୍ ଓ ଫିସ୍କୋପଫେଡ୍ର ସମସ୍ତ କର୍ମଚାରୀ, ମତ୍ସ୍ୟ ଯାନ୍ତ୍ରିକ ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

4 × 2 =