ପୂରିଲା ମାସେ : ଲୋକ କୈନ୍ଦ୍ରିକ ହେଲା ସରକାର, ନବୀନ ଓଡିଶା ଗଠନର ସ୍ବପ୍ନ

ଭୁବନେଶ୍ବର () ପଞ୍ଚମ ପାଳିର ବିଜେଡି ସରକାରକୁ ଆଜି ପୂରିଲା ଏକ ମାସ । କ୍ରମାଗତ ଭାବେ 2000 ମସିହାରୁ ପଞ୍ଚମ ଥର ପାଇଁ ସରକାର ଗଠନ କରିଥିବା ବିଜେଡିର ରଣନୀତି ଏବଂ ମନ୍ତ୍ରୀମଣ୍ଡଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । 2019 ନିର୍ବାଚନର ଫଳାଫଳରେ ରାଜ୍ୟରେ ନବୀନ ପୁଣି ଥରେ ସବୁଠାରୁ ଅଧିକ ଲୋକପ୍ରିୟ ଜନନେତା ଭାବେ ଉଭା ହୋଇଥିଲା ବେଳେ ଜାତୀୟ ରାଜନୀତିରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ପାଇଛି । ତେଣୁ ବିଜେଡି ନିଜର ରଣନୀତି ଓ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିଛି । ପ୍ରଶାସନକୁ ଅଧିକ ଲୋକ କୈନ୍ଦ୍ରିକ କରିଛି । ନୂଆ ଓଡିଶା ଗଠନର ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଯେତିକି ତତ୍ପର କରିଛନ୍ତି ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସେମିତି ତୀକ୍ଷ୍ମ ନଜର ରଖିଛନ୍ତି ।

2019 ନିର୍ବାଚନ ମୈଇଦାନକୁ ଓହ୍ଲାଇବା ପୂର୍ବରୁ ନବୀନ ଅନେକ ପ୍ରତିଶ୍ରୁତି ଦେଇଥିଲେ । ସରକାରକୁ ଫେରିବାର ପ୍ରଥମ ଦିନରେ ହିଁ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ସେସବୁ ପ୍ରତିଶ୍ରୁତିକୁ ସରକାରର ଏଜେଣ୍ଡା ଭାବେ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ଗଣତନ୍ତ୍ରରେ ଲୋକମତ ହିଁ ସବୁଠାରୁ ମହତ୍ବପୂର୍ଣ୍ଣ । ତେଣୁ ଯେଉଁ ଆଶା ଓ ବିଶ୍ବାସକୁ ଆଧାର କରି ବିଜେଡି ସପକ୍ଷରେ ଜନମତ ଯାଇଛି ତାହାକୁ ପୂରଣ କରିବାର ଉତ୍ତରଦାୟିତ୍ବ ନବୀନ ନିଜେ ନେବା ସହ ମନ୍ତ୍ରୀମଣ୍ଡଳର ପ୍ରତ୍ୟେକଟି ସଦସ୍ୟ ଓ ପ୍ରଶାସନିକ ଅଧିକାରୀମାନେ ବି ସେଥିରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସରକାର ଗଠନର ପ୍ରଥମ ଏକ ମାସ ମଧ୍ୟରେ ସରକାର ଗ୍ରହଣ କରିଥିବା କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ଅନ୍ୟତମ ହେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା । ନିର୍ବାଚନ ସମୟରେ ଦିଆଯାଇଥିବା ଏହି ପ୍ରତିଶ୍ରୁତିକୁ ପାଳନ କରିବା ସହ ଗତକାଲି ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟରେ ମଧ୍ୟ ସେନେଇ ବ୍ୟୟ ବରାଦ କରାଯାଇଛି । ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ କାଳିଆ ଯୋଜନାକୁ ଏକ ନିୟମିତ ସରକରୀ ଯୋଜନାର ମାନ୍ୟତା ଦେବା ସହ ଏଥିରେ 75 ଲକ୍ଷ ଚାଷୀଙ୍କୁ ସହୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ମଧ୍ୟ ବଜେଟରେ ବ୍ୟୟ ବରାଦ ହୋଇଛି ।

ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ଦେବାକୁ କେନ୍ଦ୍ର ନିକଟରେ ଦାବି ଉଠାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟଗୁଡିକୁ ଫୋକସ ରାଜ୍ୟ ଭାବେ ଗ୍ରହଣ କରାଯାଇ ସ୍ବତନ୍ତ୍ର କେନ୍ଦ୍ରୀୟ ସହୟତା ପାଇଁ ସ୍ବର ଉଠାଇଛନ୍ତି ନବୀନ । ସେହିଭଳି ପୂର୍ବରୁ ଥ୍ରୀ-ଟିର ମନ୍ତ୍ର ଦେଇଥିବା ନବୀନ ସରକାର ଗଠନ ପରେ 5-ଟିକୁ ଗୁରୁତ୍ବ ଦେଇଛନ୍ତି । ଟିମ ୱାର୍କ, ଟ୍ରାନ୍ସପ୍ୟାରେନ୍ସି, ଟେକ୍ନୋଲୋଜି ଦ୍ବାରା ଟ୍ରାନ୍ସଫରମେସନ ବା ପରିବର୍ତ୍ତନକୁ ଗୁରୁତ୍ବ ଦେଉଥିବା ମୁଖ୍ୟମନ୍ତ୍ରୀ ଏବେ ଟାଇମ ବା ସମୟକୁ ଯୋଡିଛନ୍ତି । ଅର୍ଥାତ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ପ୍ରତିଶ୍ରୁତି ପାଳନକୁ ଗୁରୁତ୍ବ ଦେଇଛନ୍ତି ।

ଏହାଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ସିସିଆର ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସିସିଆର ରାଜ୍ୟବାସୀ ପ୍ରସ୍ତୁତ କରୁଥିବାରୁ ଅଫିସରମାନଙ୍କୁ ମଧ୍ୟ ଏବେ ପ୍ରତ୍ୟେକ ଜନସେବା କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଁଚାଇବାର ଉତ୍ତରଦାୟିତ୍ବ ଦିଆଯାଇଛି । ଜନସେବା ପ୍ରକ୍ରିୟାକୁ ଅଧିକ ସରଳ କରାଯାଇଛି । ଏଥିସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କର ନୂଆ ଧାରା ଆରମ୍ଭ କରିଛନ୍ତି ନବୀନ । ଏନଡିଏରେ ସାମିଲ ନହେବାର ଅର୍ଥ ବିରୋଧ ନୁହେଁ । ଏହି ପରିଭାଷାରେ ପରିବର୍ତ୍ତନ ଆଣି କେନ୍ଦ୍ରକୁ ଗଠନମୂଳକ ସହଯୋଗର ଘୋଷଣା କରିଛନ୍ତି । ରାଜ୍ୟ ସ୍ବାର୍ଥ ସଂପର୍କିତ ପ୍ରସଙ୍ଗରେ କେନ୍ଦ୍ରକୁ ଗଠନମୂଳକ ସହଯୋଗ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

four + 14 =