55 ବର୍ଷରେ 65ଟି ବିପର୍ଯ୍ୟୟ

ନୂଆଦିଲ୍ଲୀ (): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଂଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି , ସ୍ୱାମୀନାଥନ୍ କମିଶନ ରିପୋର୍ଟର ସୁପାରିଶକୁ କାର୍ଯ୍ୟକାରୀ କରିବା ଦାବି କରି ବିଜେଡି ପକ୍ଷରୁ ମଙ୍ଗଳବାର ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଯାଇ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ ।
ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜେପି ସରକାର ୨୦୧୪ ନିର୍ବାଚନରେ ଧାନର ସର୍ବନିମ୍ନ ସହାୟକ ଦର ଦେଢଗୁଣା ବୃଦ୍ଧି କରିବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ । ଏମଏସପି ୧୭୫୦ ଟଙ୍କାକୁ ବୃଦ୍ଧି କରିଥିଲେ ହେଁ ଏହାକୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ବାରମ୍ବାର ଦାବି କରିଛୁ । ଏନେଇ ବାରମ୍ବାର ଚିଠି ମଧ୍ୟ ଲେଖିଛୁ । ତାହାର କୌଣସି ଫଳ ମିଳିନାହିଁ ।

ଓଡ଼ିଶା କ୍ରମାଗତ ଭାବେ ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଗତ ୫୫ ବର୍ଷ ମଧ୍ୟରେ ୪୨ ବର୍ଷ ଓଡ଼ିଶା ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ୩୧ ବର୍ଷ ବାତ୍ୟା ଓ ବନ୍ୟା, ୨୬ ବର୍ଷ ମରୁଡି ଓ ସ୍ୱଳ୍ପ ବୃଷ୍ଟି, ୮ ବର୍ଷ ଉଭୟ ମରୁଡି ଓ ବନ୍ୟା ଭଳି ବିପର୍ଯ୍ୟୟରେ ପ୍ରଭାବିତ ହୋଇଛନ୍ତି ଓଡ଼ିଶାର ଚାଷୀକୂଳ । ରାଜ୍ୟରେ ଖରିଫ ଋତୁରେ ୩୭ ଲକ୍ଷ ଓ ରବିରେ ୩ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥାଏ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି ଚାଷୀ । ଏଥିପାଇଁ ଏମଏସପି ବୃଦ୍ଧି କରିବାକୁ ବାରମ୍ବାର ଓଡିଶା ଦାବି କରିଆସୁଛି ।

ରାଜ୍ୟରେ ଚାଷ ଓ ଚାଷୀଙ୍କ ହାରାହାରି ଉତ୍ପାଦନ ଏବଂ ଖର୍ଚ୍ଚକୁ ଆକଳନ କଲେ ଜଣାପଡିଛି ଯେ, ଜଣେ ଚାଷୀ ପ୍ରତି କୁଇଣ୍ଟାଲ ଧାନ ଉତ୍ପାଦନରେ ୨୩୪୪ ଟଙ୍କା ଖର୍ଚ୍ଚ କରୁଛି । ସ୍ୱାମୀନାଥନ କମିଟି ଦେଇଥିବା ସୁପାରିଶ ଅନୁଯାୟୀ ଚାଷୀଙ୍କୁ ତାଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ଅନ୍ୟୁନ ୫୦% ଲାଭାଂଶ ଦେଇ ଏମଏସପି ଧାର୍ଯ୍ୟ କରାଯିବା ଉଚିତ୍ । ରାଜ୍ୟ ସରକାର କିନ୍ତୁ ବିଧାନସଭାରେ ଗ୍ରହଣ କରାଯାଇଥିବା ସର୍ବସମ୍ମତ ପ୍ରସ୍ତାବ ଅନୁଯାୟୀ ୨୫ ପ୍ରତିଶତ ଅର୍ଥାତ କୁଇଣ୍ଟାଲ୍ ପିଛା ୫୮୬ ଟଙ୍କା ଲାଭାଂଶ ଦେଇ ଏମଏସପି ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ ଦାବି କରୁଛନ୍ତି । କେନ୍ଦ୍ରର ବିଜେପି ସରକାର ୨୦୧୪ ନିର୍ବାଚନ ଇସ୍ତାହାରରେ ସ୍ୱାମୀନାଥନ ରିପୋର୍ଟକୁ କାର୍ଯ୍ୟକାରୀ କରି ଏମଏସପି ଦେଢଗୁଣା କରିବାକୁ ଘୋଷଣା କରିଥିଲେ । ତେଣୁ ରାଜ୍ୟର ଚାଷୀଙ୍କ ସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି କେନ୍ଦ୍ର ସରକାରଙ୍କୁ ଏମଏସପି ବୃଦ୍ଧି କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଦାବି କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସହ ଏହି ପ୍ରତିନିଧି ଦଳରେ ବିଜୁ କୃଷକ ଜନତା ଦଳ ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମହାସଚିବ ତଥା ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ , ତଥାଗତ ଶତପଥୀ , ରବୀନ୍ଦ୍ର ଜେନା, ଏନ୍ . ଭାସ୍କର ରାଓ , ବିଧାୟିକା ପ୍ରମିଳା ମଲ୍ଲିକ , ବିଧାୟକ ଦେବୀ ପ୍ରସାଦ ମିଶ୍ର, ସଂଜୟ ଦାଶବର୍ମା , ଡ. ଅରୁଣ ସାହୁ , ଚାଷୀ ସ୍ନିଗ୍ଧା ପଟେଲ ଓ ରମଣୀ ରଂଜନ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Share

Leave a Reply

Your email address will not be published. Required fields are marked *

eighteen + ten =