ଦିଲ୍ଲୀରେ କେନ୍ଦ୍ରକୁ ଭର୍ସନା .. ପ୍ରତିଶୃତି ଦେଇ ଭୁଲିଗଲେ

ନୂଆଦିଲ୍ଲୀ () ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବାଧୀନ ହୋଇଥିଲେ ବି ବାରମ୍ବାର ରାଜ୍ୟର ଦାବି ସତ୍ତ୍ବେ ଏହାକୁ ଅଣଦେଖା କରାଯାଉଛି । ସର୍ବନିମ୍ନ ସହାୟକ ମୂଲ୍ୟ ସ୍ବାମିନାଥନ କମିଟି ସୁପିରିଶ ଆଧରରେ ସ୍ଥିର କରାଯିବା ସହ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ଅନୁଯାୟୀ ଏହା ଉତ୍ପାଦନ ଖର୍ଚ୍ଚର ଅନ୍ୟନ 50 ପ୍ରତିଶତ ଅଧିକ ହେବା ଆବଶ୍ୟକ । ଏହି ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟି ଏ ସଂପର୍କରେ ଏକ ସ୍ମାରକପତ୍ର ଦେଇଛନ୍ତି ।

ଦେଶର ଅର୍ଥନୀତିର ଆତ୍ମ ହେଉଛନ୍ତି ଚାଷୀ । ତେଣୁ ଏହି ଦାବି ନେଇ ସେ ବାରମ୍ବାର କେନ୍ଦ୍ରକୁ ଯାଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ତାଙ୍କ ଦାବିକୁ ଅଣଦେଖା କରିଛନ୍ତି । ଏମଏସପି ଉତ୍ପାଦନ ଖର୍ଚ୍ଚର ଅନ୍ୟୁନ ଦେଢଗୁଣା କରିବାକୁ ନିର୍ବାଚନ ସମୟରେ ପ୍ରତିଶୃତି ଦେଇ ବିଜେପି କ୍ଷମତାକୁ ଆସିଥିଲା । କିନ୍ତୁ କ୍ଷମତାକୁ ଆସିବା ପରେ ନିଜ ପ୍ରତିଶୃତିକୁ ଭୁଲିଯାଇଛନ୍ତି ବୋଲି ତାଲକୋତ୍ରା ଷ୍ଟାଡିୟମରେ ପ୍ରାୟ 10ହଜାର ଚାଷୀଙ୍କୁ ସମ୍ବୋଧିତ କରି ସେ ଏହା କହିଥିଲେ । ତାଲକୋତ୍ରା ଷ୍ଟାଡିୟମରେ ବିଜେଡି 10 ହଜାର ଚାଷୀଙ୍କ ସମାବେଶ ସହ ପଂଚାୟତ ପ୍ରତିନିଧୀ ଓ ଦଳର ଅଧିକାଂଶ ବିଧାୟକ, ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ଯଦି ଆମ କଥା ଶୁଣୁଥାନ୍ତା, ତେବେ ଏତେ ଶୀତରେ ଚାଷୀମାନଙ୍କୁ ଦିଲ୍ଲୀ ଆସିବାକୁ ପଡିନଥାନ୍ତା ।

ଏହି ପ୍ରସଙ୍ଗରେ କେନ୍ଦ୍ରକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେପି ସ୍ବାମିନାଥନ କମିଟି ସୁପାରିଶ ଅନୁଯାୟୀ ଏମଏସପି ଉତ୍ପାଦନ ଖର୍ଚ୍ଚର ଦେଢଗୁଣା କରିବାକୁ ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିଲା । କିନ୍ତୁ କ୍ଷମତା ଆସିବା ପରେ ନିର୍ବାଚନ ପ୍ରତିଶୃତିକୁ ଭୁଲଯାଇଛି । ରାଜ୍ୟର ସବୁ ବର୍ଗର ଚାଷୀ ଏମଏସପି ବୃଦ୍ଧି ଦାବିରେ ଆନ୍ଦୋଳନ କରୁଛନ୍ତି । ଓଡିଶାର ସାଂସଦ ଓ ବିଧାୟକମାନେ ବିଭିନ୍ନ ଫୋରମରେ ଏହି ଦାବି ଉଠାଇଛନ୍ତି । ସଂସଦରେ ମଧ୍ୟ ଏହି ଦାବି ଉଠାଯାଇଛି । କିନ୍ତୁ କେନ୍ଦ୍ର ସରକାର ରାଜ୍ୟର ଯୁକ୍ତିସଂଙ୍ଗତ ଦାବିକୁ ଗ୍ରହଣ ନକରି ଚଳିତ ଖରିଫ ମାର୍କେଟିଂ ସିଜନ ପାଇଁ ଧାନର ଏମଏସପି 1750 ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହି ଏମଏସପି ଓଡିଶା ଚାଷୀଙ୍କ ପାଇଁ ଗ୍ରହଣୀୟ ନୁହେଁ । ଏହି ଏମଏସପି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବିଚାରକୁ ନିଆନଯାଇ ସ୍ଥିର ହୋଇଛି । ଧାର୍ଯ୍ୟ ଏମଏସପି ବିହନ, ସାର, ଜଳସେଚନ ଶୁଳ୍କ ଓ ଅନ୍ୟାନ ଯନ୍ତ୍ରପାତି ଭଡା ଖର୍ଚ୍ଚ ସହ ମେଳ ଖାଉନି ।

ଚାଷୀଙ୍କ ପ୍ରତି କେନ୍ଦ୍ରର ଏହି ବୈମାତୃକ ମନୋଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କରିଛନ୍ତି  । ଏହି ଯୋଜନାରେ ତିନି ବର୍ଷରେ 10ହଜାର 180 କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହେବ ଏବଂ ଏହାଦ୍ବାରା 92 ପ୍ରତିଶତ ଚାଷୀ ଉପକୃତ ହେବେ । ଏହି ଯୋଜନାରେ ଚାଷୀଙ୍କୁ ଇନପୁଟ ସହୟତା ପ୍ରଦାନ ସହ ସେମାନଙ୍କୁ ଋଣମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ରାଜ୍ୟ ସବୁ ଭୂମୀହୀନ, କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କୁ ଆର୍ଥିକ ସହୟତା ପ୍ରଦାନ କରାଯିବ । କାଳିଆ ଯୋଜନାକୁ ଏବେ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଥିବାରୁ କେନ୍ଦ୍ର ସରକରା ମଧ୍ୟ ପରିସ୍ଥିତିର ଆହ୍ବାନକୁ ସମ୍ମାନ ଜଣାଇ ଏମଏସପିକୁ ଦେଢ ଗୁଣା କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ।

ସେହିଭଳି ବିଜେଡି କୃଷକ ଜନତା ଦଳର ମହାସଚିବ ତଥା ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, କେନ୍ଦ୍ର ସରକାର ଚାଷୀ ପ୍ରସଙ୍ଗରେ ନିଜ ନୀତି ଓ ଆଭିମୁଖ୍ୟକୁ ସ୍ପଷ୍ଟ କରୁନାହାଁନ୍ତି । କେବେଳ ଏମଏସପି ବୃଦ୍ଧି ନହେବା ଚାଷୀଙ୍କ ପାଇଁ କ୍ଷତିକାରକ ହୋଇନି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ବିହନ ଦର ବୃଦ୍ଧି, ସାର ଓ କିଟନାଶକ ଦର ମଧ୍ୟ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚକୁ ପ୍ରଭାବିତ କରୁଛି । ଏକ କ୍ବିଣ୍ଟାନ ଧାନ ଉତ୍ପାଦନ ପାଇଁ ରାଜ୍ୟରେ ଗୋଟିଏ ଚାଷୀ ହାରାହାରି 2344 ଟଙ୍କା ଖର୍ଚ୍ଚ କରୁଛି । ଉତ୍ପାଦନ ଖର୍ଚ୍ଚ ଉପରେ ଅତିକମରେ 25 ପ୍ରତିଶତ ଲାଭ ଦେଇ ଏମଏସପିକୁ 2930 ଟଙ୍କା କରିବାକୁ ରାଜ୍ୟ ସରକାର ବାରମ୍ବାର ଦାବି କରିଆସୁଛି । ଓଡିଶାର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ବେଳେ ରାଜ୍ୟରେ ବାର୍ଷିକ ପ୍ରାୟ 40 ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହେଉଛି ।

Share

Leave a Reply

Your email address will not be published. Required fields are marked *

twelve + eight =