ମାସକରେ 37 ଦୁର୍ନୀତିଗ୍ରସ୍ତ ଅଧିକାରୀ ବରଖାସ୍ତ

ଭୁବନେଶ୍ବର () ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୧୬ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ୫ଜଣ ପ୍ରଧାନଶିକ୍ଷକ, ୪ଜଣ ଇଞ୍ଜିନିୟର, ୨ଜଣ ଆରଆଇ, ଜଣେ କରି ଫର୍ମାସିଷ୍ଟ, ଅମୀନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୨ଜଣ କିରାଣୀ ଅଛନ୍ତି । ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୭ଜଣଙ୍କୁ ଦୁର୍ନୀତି ଅଭିଯୋଗରେ ସରକାରୀ ଚାକିରିରୁ ବରଖାସ୍ତ କରାଯାଇ ସାରିଲାଣି ।

ଆଜି ବରଖାସ୍ତ ହୋଇଥିବା ଯନ୍ତ୍ରୀମାନେ ହେଲେ ଭୁବନେଶ୍ବର ରାସ୍ତା ଓ କୋଠବାଡି ଡିଭିଜନ-୧ ରୁ ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜୀବେଶ ଚନ୍ଦ୍ର ରଥ, ଦଶପଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ତୃପ୍ତି ଭେଙ୍କେଟେଶ୍ବର ପାଣି, କାମାକ୍ଷାନଗର ବ୍ଲକର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ପାତ୍ର, ଯାଜପୁର କ୍ଷୁଦ୍ର ଜଳସେଚନ ଡିଭିଜନର କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସିଂହ ।

ସେହିଭଳି ଜଗତ୍‍ସିଂହପୁର ଜିଲ୍ଲା ବଳରାମପୁରର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଭୟ କୁମାର ବିଶ୍ବାଳ, ମାଥିଲି ବ୍ଲକ ସରଙ୍ଗପାଲି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ କପିଳ ଚନ୍ଦ୍ର ନାୟକ, ନବରଙ୍ଗପୁର ପାପଡାହାଣ୍ଡିର ପିୟୁପି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପାତ୍ର ଓ ଟମ୍‍ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଧର ହରିଜନ, କନ୍ଧମାଳ କୋଡଗଡ ବ୍ଲକ ଆଦ୍ରି ନୂତନ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଡିଗଲ ।

ଅନୁରୂପ ଭାବେ କୋଦଳା ତହସଲ ଅଫିସର ଆରଆଇ ନରହରି ଓଝା, କେନ୍ଦୁଝର ବାସୁଦେବପୁରର ଅମୀନ ଶରତ ଚନ୍ଦ୍ର ସେଠୀ, ବୌଦ ପୁରୁଣା କଟକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ଫର୍ମାସିଷ୍ଟ ସନ୍ତୋଷ କୁମାର ପଣ୍ଡା, ଇଚ୍ଛାପୁର ହାଇସ୍କୁଲର କନିଷ୍ଠ କିରାଣୀ ନକୁଳ କୁମାର ଖମାରୀ, ବୌଦ ହରଭଙ୍ଗାର ବିଇଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିରେନ୍ଦ୍ର କୁମାର ପଣ୍ଡା ଏବଂ କୋରାପୁଯ ନନ୍ଦପୁର ବ୍ଲକର ପଞ୍ଚାୟତ କାର୍ଯ୍ୟର୍ନିବାହୀ ଅଫିସର ପ୍ରଶାନ୍ତ ଚନ୍ଦ୍ର ନାୟକ ପ୍ରମୁଖ ଚାକିରିରୁ ବରଖାସ୍ତ ହୋଇଛନ୍ତି ।

ଉଲ୍ଲେଖନୀୟ ଯେ ଗତ ଏକ ମାସ ମଧ୍ୟରେ ୩୭ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରାଯିବା ସହିତ ୬ଜଣଙ୍କ ପେନ୍‍ସନ ରାଜ୍ୟ ସରକାର ବନ୍ଦ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + 7 =