ବିଜୟଙ୍କ ହାତ ଛାଡିବେ, ନୂଆବର୍ଷରେ ଶଙ୍ଖ ଧରିବେ ଦିଲ୍ଲୀପ!

ଭୁବନେଶ୍ବର : ନୂଆବର୍ଷରେ ବରିଷ୍ଠ ନେତା ଦିଲ୍ଲୀପ ରାୟ ବିଜେଡି ହାତ ଧରିବେ । ଏଥିପାଇଁ ଆସନ୍ତା ୬ ତାରିଖକୁ ଦିନ ଧାର୍ଯ୍ୟ ହୋଇଛି । ସବୁକିଛି ଠିକ୍‍ ଠାକ୍‍ ଚାଲିଲେ ନୂଆବର୍ଷରେ ବିଜେଡି ରାଜନୀତିରେ ନୂଆ ସମୀକରଣ ହେବ । ହେଲେ ସେହିଦିନ ବାବୁ ବିଜୟ ମହାପାତ୍ରଙ୍କୁ ଶଙ୍ଖଦଳ ନେବା ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରୁ ନଥିବାରୁ ଶେଷ ମୂହୂର୍ତ୍ତରେ ବିଜୟଙ୍କ ହାତ ଛାଡି ଦିଲ୍ଲୀପ ଶଙ୍ଖ ଧରିପାରିନ୍ତି ବୋଲି ଚର୍ଚ୍ଚା ହେଉଛି ।

ଉଭୟ ଦିଲ୍ଲୀପ-ବିଜୟ ବିଜେପିର ହାତ ଛାଡିଲାପରେ ସେମାନେ କେଉଁ ଦଳକୁ ଯିବେ ସେଥିନେଇ ଓଡିଶା ରାଜନୀତିରେ ଏବେ ବି ଚର୍ଚ୍ଚା ଚାଲିଛି । ଦିଲ୍ଲୀପ ବିଜେଡିକୁ ଯିବାଟା ଏକ ପ୍ରକାର ଥୟ ହୋଇଥିବାବେଳେ ବିଜୟଙ୍କୁ ନେଇ ଅଙ୍କକଷା ଏବେ ବି ଜାରି ରହିଛି । ତେବେ ଦୁଇ ନେତା ବିଜେପି ଛାଡିଲାପରେ ଦିଲ୍ଲୀପଙ୍କର ଆଉ ଦେଖା ଦର୍ଶନ ନାହିଁ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାବୁ ଦିଲ୍ଲୀପ ରାୟ ଯେଉଁଦିନ ବିଜେପି ଛାଡିଲେ ମିଡିଆ ନଜରରୁ ବର୍ତ୍ତିବାପାଇଁ ସେହିଦିନ ଆମେରିକା ପଳାଇଲେ । ସେଠାରେ ସେ ଗୀତା ମେହେଟାଙ୍କ ସହିତ ଆଲୋଚନା କରି ତାଙ୍କର ବିଜେଡି ପ୍ରବେଶକୁ ପକ୍କାକରି ଇତି ମଧ୍ୟରେ ଭାରତ ଫେରି ଆସିଛନ୍ତି । ଏ ନେଇ ସେ ପ୍ରେମ୍‍ ପଟ୍ଟନାୟକଙ୍କ ସହିତ ଆଲୋଚନା କରୁଥିବାର ସୂଚନା ବି ମିଳୁଛି । ହେଲେ ଏପର୍ଯ୍ୟନ୍ତ ଓଡିଶାରେ ତାଙ୍କୁ ଦେଖିବାକୁ ମିଳୁନାହିଁ । ଅନ୍ୟ ପକ୍ଷରେ ବିଜୟ ମହାପାତ୍ର ପ୍ରଥମେ ବିଜେପିକୁ ଗାଳି ମନ୍ଦ କରୁଥିବାବେଳେ ଏବେ ଏକ ପ୍ରକାର ନିରବି ଯାଇଛନ୍ତି ।

ଯୋଜନା ମୁତାବକ ଯଦି ୬ ତାରିଖ ପର୍ଯ୍ୟନ୍ତ ସବୁ କିଛି ଠିକ୍‍ ଠାକ୍‍ ରୁହେ ତେବେ ଦିଲ୍ଲୀପ ସେହିଦିନ ବିଜେଡିରେ ଯୋଗଦେବେ । ବିଜେଡିର ନେତାମାନେ ବି ଏଥିପାଇଁ ପ୍ରସ୍ତୁତ ହୋଇ ରହିଲେଣି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦିଲ୍ଲୀପଙ୍କ ସମର୍ଥକମାନେ ସେହିଦିନ ଶକ୍ତି ପ୍ରଦର୍ଶନ ପାଇଁ ଏବେ ଠାରୁ ଲାଗି ପଡିଲେଣି । ଦିଲ୍ଲୀପ ବିଜେଡିରେ ଯୋଗଦେବା ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ପାଇବା ନେଇ ତାଙ୍କ ସମର୍ଥକମାନେ ଆଶା କରୁଛନ୍ତି । ହେଲେ ଦିଲ୍ଲୀପ କିନ୍ତୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟସଭା ଯିବାପାଇଁ ଚାହୁଁଛନ୍ତି । ଏଥିପାଇଁ ବିଜେଡି ରାଜ୍ୟସଭାରୁ ତାହାର ଜଣେ ସାଂସଦଙ୍କୁ ଫେରାଇ ଆଣିବାର ସୂଚନା ମଧ୍ୟ ମିଳିବାରେ ଲାଗିଛି ।

ସବୁଠାରୁ ବଡ କଥା ହେଉଛି ଦିଲ୍ଲୀପ ବିଜେପି ଛାଡିଲାପରେ ବିଜେପିର ଜଣେ ଦୁଇଜଣ ରାଜ୍ୟସ୍ତରୀୟ ନେତା ତାଙ୍କ ବିରୁଦ୍ଧରେ କହୁଥିବାବେଳେ ଏବେ ଆଉ କେହି ମୁହଁ ଖୋଲୁ ନାହାନ୍ତି । ଇତି ମଧ୍ୟରେ ଦିଲ୍ଲୀପଙ୍କ ହୋଟେଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାବୁ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବାବେଳେ ଦିଲ୍ଲୀପ ରାୟଙ୍କୁ ନେଇ ତାଙ୍କ ମନରେ ଥିବା କ୍ଷୋଭଙ୍କୁ ଦିଲ୍ଲୀପଙ୍କର ଜଣେ ଘନିଷ୍ଠ ଗଣମାଧ୍ୟମ ବନ୍ଧୁ ଦୂର କରିଦେଇଛନ୍ତି । ଆଗାମୀ ଦିନରେଯେଭଳି ଦିଲ୍ଲୀପଙ୍କ ବିରୁଦ୍ଧରେ ବିଜପି କିଛି ନକୁହେ ସେଥିପାଇଁ ପ୍ରତିଶ୍ରୁତି ବି ଆଦାୟ କରିଛନ୍ତି । ବଦଳରେ ଦିଲ୍ଲୀପଙ୍କ ନିରବ ସମର୍ଥନ ବିଜେପି ପ୍ରତି ରହିବ । ଏତେ ସବୁ ପ୍ରସ୍ତୁତି ଭିତରେ କିନ୍ତୁ ବିଜୟଙ୍କ କେଁ ରହିଛି । ଦିଲ୍ଲୀପ ବନ୍ଧୁ ବିଜୟଙ୍କ ହାତ ଛାଡିବାକୁ ଚାହୁଁନଥିବାବେଳେ ବିଜେଡିର କିଛି ନେତାଙ୍କ ଜିଦ୍‍ ଆଗରେ ନଉଁଛନ୍ତି କି ନାହିଁ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen + twenty =