ପୁରୀକୁ ମିଳିବ ନୂଆ ରୂପ : 265 କୋଟି ଟଙ୍କାର ସ୍ବତନ୍ତ୍ର ପ୍ରକଳ୍ପ

ଭୁବନେଶ୍ବର () ପୁରୀ ସହରର ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ 265 କୋଟି ଟଙ୍କର 5ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମକୁ ସାରା ବିଶ୍ବର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ସେମାନଙ୍କୁ ପୂରୀ ସହରରେ ଉନ୍ନତମାନର ସେବା ଓ ସୁବିଧା ଯୋଗାଇ ଦେବା ପାଇଁ ଅଭଡା ଯୋଜନାରେ 5ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ କରାଯିବ । ପୁରୀର ପୁରୁଣା ଜେଲ ପରିସର, ଯାତ୍ରୀକା ଏବଂ ମୁନିସିପାଲଟି ମାର୍କେଟ ବିକାଶ କରାଯାଇ ସେଠାରେ 1250ଟି ଦୋକାନ ଘର ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ପୁରୀର ପୂରୁଣା ଜେଲ ପରିସରରେ ବହୁତଳ ପାର୍କିଂ ବ୍ୟବସ୍ଥାର ବିକାଶ କରାଯିବ । ଏଠାରେ 400 କାର ପାଇଁ ପାର୍କିଂ ସୁବିଧା ରହିବ । ସେହିପରି ଯାତ୍ରୀକାରେ ମଧ୍ୟ ବହୁତଳ କାର ପାର୍କିଂ ବ୍ୟବସ୍ଥା କରାଯିବ । ସେଠାରେ ମଧ୍ୟ 400 କାର ପାର୍କିଂ କରାଯିବ । ଏହାଦ୍ବାରା ପୁରୀକୁ ଆସୁଥିବା ଯାତ୍ରୀମାନଙ୍କର ଗାଡି ପାର୍କିଂ ସମସ୍ୟା ଦୂର କରାଯାଇପାରିବ ।

ସେହିପରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ପୁରୀରେ ଥିବା ସମସ୍ତ ସହକାରୀ କାର୍ଯ୍ୟାଳୟକୁ ଗୋଟିଏ ଛାତ ତଳେ ରଖାଯିବ । ଗୋଟିଏ ସ୍ଥାନରେ ସମସ୍ତ ସରକାରୀ କାର୍ଯ୍ୟାଳୟ ରହିବା ଦ୍ବାରା ଏହା ସାଧାରଣ ଲୋକଙ୍କ ପାଇଁ ସୁବିଧଜନକ ହେବ । ସମସ୍ତ କାର୍ଯ୍ୟାଳୟ ଗୋଟିଏ ସ୍ଥାନରେ ରହିବା ଫଳରେ ସ୍ଥାନାନ୍ତରିତ ହୋଇଥିବା କାର୍ଯ୍ୟାଳୟ ପରିସରଗୁଡିକ ପାର୍କ ଆଦି ବିଭିନ୍ନ ନାଗରିକ ସୁବିଧା କେନ୍ଦ୍ର ଭାବେ ବ୍ୟବହାର କରାଯାଇପାରିବ । ପୁରୀର ମୁନିସିପାଲଟି ମାର୍କେଟର ପୁନରୁଦ୍ଧାର କରାଯାଇ ଏହାକୁ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସରେ ପରିଣତ କରାଯିବ ।

ଆଚାର୍ଯ୍ୟ ହରିହର ଛକ ରାସ୍ତା ସଂପ୍ରସାରଣ କରାଯାଇ ସେଠାରେ ବିଭିନ୍ନ ନାଗରିକ ସୁବିଧା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧିନରେ ଓଡିଶା ସେତୁ ଓ ନିର୍ମାଣ ନିଗମ ଜରିଆରେ କାର୍ଯ୍ୟକାରୀ ହେବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଅର୍ଥ ସଚିବ ଅଶୋକ ମିନା, ପୂର୍ତ୍ତ ବିଭାଗର ସଚିବ କ୍ରିଷ୍ଣନ କୁମାର ଓ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ମଧ୍ୟ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

1 × 3 =