କୃଷି ବିଭାଗରେ ଅରୁଣଙ୍କ ଛାଟ

ଭୁବନେଶ୍ୱର () କୃଷି ବିଭାଗର ଚାଲୁଥିବା ନାନା କେଲେଙ୍କାରୀକୁ ଗୋଟିଏ ପରେ ଗୋଟିଏ ସଫା କରିବା ଆରମ୍ଭ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଏହି କ୍ରମରେ ଦୀର୍ଘଦିନ ଧରି ଡେପୁଟେସନରେ ଆସି ଭବନେଶ୍ୱରରେ ଆସ୍ଥାନ ଜମାଇଥିବା 21 ଜଣ କୃଷି ଅଧିକାରୀଙ୍କୁ ମୂଳ ପଦବୀକୁ ଫେରାଇଦେଇଛନ୍ତି । ଏନେଇ ଆଜି କୃଷି ବିଭାଗ ପକ୍ଷରୁ ନିର୍ଦେଶନାମ ପ୍ରକାଶ ପାଇଛି । 

ରାଜ୍ୟର ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇଥିବା ସହକାରୀ କୃଷି ଅଧିକାରୀମାନେ ଡେପୁଟେସନରେ ଆସି କୃଷି ନିର୍ଦ୍ଦେଶାଳୟକୁ ଆସି ଆଉ ଫେରିବାର ନାଁ ଧରୁନଥିଲେ । ଏମାନେ ରାଜଧାନୀକୁ ଆସିବାପରେ ଆଉ ଜିଲ୍ଲାକୁ ଫେରିବାକୁ ମଙ୍ଗୁନଥିଲେ । ଯେମିତି ହେଉ କଳେ ବଳେ ରାଜଧାନୀରେ ରହିଆସୁଥିଲେ । ଇତି ମଧ୍ୟରେ ଏହି ସହକାରୀ କୃଷି ଅଧିକାରୀମାନେ ପଦୋନ୍ନତି ପାଇଛନ୍ତି ।

ତେବେ ପଦୋନ୍ନତି ପାଇଲାପରେ ମଧ୍ୟ କିଛି ଅଧିକାରୀ ନିର୍ଦ୍ଦେଶାଳୟରେ ରହିବାପାଇଁ ବି ଉଦ୍ୟମ ଚଳାଇଥିଲେ । ହେଲେ କୃଷିମନ୍ତ୍ରୀ ଡକ୍ଟର ସାହୁଙ୍କ ନଜରକୁ ଏହା ଆସିବାପରେ ତୁରନ୍ତ ଏହି ଅଧିକାରୀମାନଙ୍କୁ ସେମାନଙ୍କ ମୂଳ ଜିଲ୍ଲା ସମେତ ଅନ୍ୟ ସ୍ଥାନକୁ ପଠାଇବାପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭାଗରେ ମୋ ସରକାର ଓ ୫-ଟି ଲାଗୁପରେ ଡେପୁଟେସନରେ ଆସି ବିଭାଗ ଓ ନିର୍ଦ୍ଦେଶାଳୟରେ ରହିବା ପ୍ରଥାକୁ ଏକ ପ୍ରକାର ଉଚ୍ଛେଦ କରାଯାଇଛି ।

ମନ୍ତ୍ରୀଙ୍କ ଆଭିମୁଖ୍ୟ ଦେଖି କର୍ତ୍ତୃପକ୍ଷ ୨୧ଜଣ ସହକାରୀ କୃଷି ଅଧିକାରୀଙ୍କୁ ପଦୋନ୍ନତି ସହିତ ଅନ୍ୟ ସ୍ଥାନକୁ ପଠାଇ ଦେଇଛନ୍ତି । ଏହି ଅଧିକାରୀମାନେ ଫୁଲବାଣୀ, ସୁବର୍ଣ୍ଣପୁର, ନୟାଗଡ, ଢେଙ୍କାନାଳ, ପୁରୀ, ବରଗଡ, କେନ୍ଦ୍ରାପଡା, ଗଞ୍ଜାମ ଆଦି ଜିଲ୍ଲାକୁ ବଦଳି ହୋଇଥିବାବେଳେ ଦୁଇଜଣ ଅଧିକାରୀଙ୍କୁ ରାଜଧାନୀରେ ଥିବା ବିଭାଗର ଅନ୍ୟ ଦପ୍ତରକୁ ପଠାଇ ଦିଆଯାଇଛି । 

Share

Leave a Reply

Your email address will not be published. Required fields are marked *

18 + nine =