୫-ଟି ସ୍କୁଲ ରୂପାନ୍ତରଣରେ ଭଲ କାମ କରୁଥିବା ଜିଲ୍ଲାକୁ ଦିଆଯିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’

ଆଜି ଥିଲା ତୃତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣର ଶେଷ ଦିନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟରେ ଖୁସି ପ୍ରକାଶ କରି ଏଥିରେ ଭଲ କାମ କରୁଥିବା ଜିଲ୍ଲା ମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।

ସ୍କୁଲ ରୂପାନ୍ତରରେ ଭଲ କାମ କରିଥିବା ଜିଲ୍ଲା ମାନଙ୍କ ପାଇଁ
। ପ୍ରଥମ ପୁରସ୍କାର ୩ କୋଟି ଟଙ୍କା, ଦ୍ବିତୀୟ ପୁରସ୍କାର ୨ କୋଟି ଟଙ୍କା ଓ ତୃତୀୟ ପୁରସ୍କାର ଭାବେ ୧ କୋଟି ଟଙ୍କା ଦିଆଯିବ ବୋଲି ସେ କହିଥିଲେ । ଏଥିପାଇଁ ରାଜ୍ୟସ୍ତରରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କହିଥିଲେ । ସେହିପରି ଏ କ୍ଷେତ୍ରରେ ଭଲ କାମ କରିଥିବା ବ୍ଲକ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶଟି ବ୍ଲକ କୁ ପଚାଶ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଭାବରେ ଦିଆଯିବ ।

ଏହି ପୁରସ୍କାରର ବିସ୍ତୃତ ବିବରଣୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ ରାଜ୍ୟରେ ଶିକ୍ଷା ଉପରେ ଯେତେ ଅଧିକ ପ୍ରତିଯୋଗୀତା ହେବ, ଶିକ୍ଷାର ଗୁଣାତ୍ମକ ମାନ ସେତେ ବୃଦ୍ଧି ପାଇବ।  ଚାଲନ୍ତୁ ଶିକ୍ଷାକୁ ଆମେ ଏକ ମହୋତ୍ସବ ଭାବେ ପାଳିବା। ପ୍ରତିଯୋଗୀତା ମନୋଭାବ ନେଇ ଶିକ୍ଷାର ଉତ୍କର୍ଷ ଲାଭ କରିବା । ସେ କହିଥିଲେ ଯେ କେବଳ ଜିଲ୍ଲା ନୁହେଁ, ବ୍ଲକ୍‌ ନୂହେଁ , ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ, ପଞ୍ଚାୟତ ପ୍ରତିନିଧି ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କରିଥିଲେ ।

ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ କଟକ ଜିଲ୍ଲାର ୯୮ଟି ହାଇସ୍କୁଲ, କଳାହାଣ୍ଡି ଜିଲ୍ଲାର ୧୧୫ଟି, ମାଲକାନଗିରି ଜିଲ୍ଲାର ୪୯ଟି ଏବଂ ଯାଜପୁର ଜିଲ୍ଲାର ୭୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି। ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ । ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

Share

Leave a Reply

Your email address will not be published. Required fields are marked *

eight + nineteen =