୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ସଂପ୍ରତି ମୌସୁମୀ ଚାପ ରେଖାର ପୂର୍ବ ଭାଗ ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ରହୁଥିବାରୁ ତଥା ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାରୁ, ଗତ ଦୁଇ ତିନି ଦିନ ଧରି ରାଜ୍ୟରେ ଦୃଷ୍ଟାନ୍ତ ମୂଳକ ଭାବେ ବର୍ଷାର ପରିମାଣ କମିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨.୧ମିମି ବର୍ଷା ରେକର୍ଡ କରାଯାଇଛି; ଯାହା ସ୍ୱାଭାବିକ ବର୍ଷା ୯.୨ ମିମି ତୁଳନାରେ ୭୭% କମ ରହିଛି। ଚଳିତ ମୌସୁମୀ ଋତୁରେ, ୧ ଜୁନରୁ ଆଜି ୧୦ ଜୁଲାଇ ମଧ୍ୟରେ ରାଜ୍ୟରେ ୨୨୨.୭ ମିମି ବର୍ଷା ରେକର୍ଡ କରାଯାଇଛି; ଯାହା ସ୍ୱାଭାବିକ ବର୍ଷା ୩୦୪.୨ ମିମି ତୁଳନାରେ ୨୭ ପ୍ରତିଶତ କମ ରହିଛି।

ଏହି ଅବଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୫୨.୪ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୪୮% ଅଧିକ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ୧୨୩.୮ ମିମି ସହ ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି; ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୬% କମ ରହିଛି।

ତେବେ, ମୌସୁମୀ ନିମ୍ନ ଚାପ ରେଖା ଆଜି (ସୋମବାର) ରାଜସ୍ଥାନର ବିକେନାରରୁ ବାହାରି, ଉତ୍ତର-ପୂର୍ବ ରାଜସ୍ଥାନ ଉପରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ଲକ୍ଷ୍ନୌ, ବିହାରର ପାଟନାରୁ ପୂର୍ବଦିଗରେ ମଣିପୁର ଯାଏଁ ଲମ୍ବିଛି। ଏହା ବାୟୁମଣ୍ଡଳରେ ୩.୧ କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି।

ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୧ ଜୁଲାଇ, ମଙ୍ଗଳବାର ଅପରାହ୍ନ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଗଜପତି, ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଏବଂ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।

ଏହି ସମୟ ଅବଧି ମଧ୍ୟରେ ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଏହି ସମୟ ମଧ୍ୟରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆକାଶ ଆଂଶିକ ମେଘାଛନ୍ନ ରହିବା ସହ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

5 × 2 =