ବୈଜୟନ୍ତଙ୍କ ଯୋଗଦାନକୁ ପାଣିଚିଆ କରିଦେଲା ଅମିତ୍‍ଙ୍କ ଅନୁପସ୍ଥିତ

ଭୁବନେଶ୍ୱର : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଜେଡି ଛାଡିଥିବା ବୈଜୟନ୍ତ ପଣ୍ଡା ଶେଷରେ ପଦ୍ମ ଧରିଛନ୍ତି । ହେଲେ ନୂଆଦିଲ୍ଲୀ ଠାରେ ତାଙ୍କର ଅଭିଷେକ ଯେଉଁଭଳି ଭାବରେ ହେବାକଥା ତାହା ହୋଇପାରିଲା ନାହିଁ । ମୋଦି କିମ୍ବା ଅମିତ୍‍ ଶାହା କେହି ଜଣେ ହେଲେ ବିଜେପିର ତୁଙ୍ଗ ନେତା ତାଙ୍କର ଯୋଗଦାନ ପର୍ବରେ ଉପସ୍ଥିତ ରହିଲେ ନାହିଁ । ଓଡିଶାରୁ ଯାଇଥିବା ନେତାମାନେ ଦିଲ୍ଲୀରେ କାମ ଚଳାଇନେଲେ ।

ବୈଜୟନ୍ତଙ୍କ ବିଜେପିରେ ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ । ସମସ୍ତେ ଆଶା କରିଥିଲେ ଯେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ନିଶ୍ଚିତ ଭାବେ ଉପସ୍ଥିତ ରହିବେ । କାରଣ ପୂର୍ବତନ ପ୍ରଶାସିକା ଅପରାଜିତାଙ୍କର ବିଜେପିରେ ଯୋଗଦାନ ଯେଭଳି ଭାବେ ଅମିତ୍‍ ଶାହାଙ୍କ ଉପସ୍ଥିତିରେ ତାଙ୍କ ଘରେ ହୋଇଥିଲା ଲୋକେ ସେଭଳି ଆଶା କରୁଥିଲେ । ହେଲେ ସବୁ ଆଶା ମଉଳିଗଲା ଯେତେବେଳେ ଦେଖିଲେ ଯେ ଦିଲ୍ଲୀ ପେଣ୍ଡାଲରେ ମାଳ ମାଳ ଓଡିଶା ନେତା । ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଜୁଏଲଙ୍କ ସହିତ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ବିଧାନସଭାରେ ବିଜେପି ବିଧାୟକଦଳ ନେତା କେ.ଭି.ସିଂହଦେଓ ଓ ଓଡିଶା ପ୍ରଭାରୀ ଅରୁଣ ସିଂହ ଉପସ୍ଥିତ ଥିଲେ ।

ଯେଉଁ ସମୟରେ ଅରୁଣ ସିଂହ ଓ ଧର୍ମେନ୍ଦ୍ର ବୈଜୟନ୍ତଙ୍କ ବେକରେ ବିଜେପି କପଡା ପକାଉଥିଲେ ସେହି ସମୟରେ ଅମିତ୍‍ ଶାହା ମୁଖ୍ୟାଳୟର ଅନ୍ୟ ପ୍ରକୋଷ୍ଠରେ ଉପସ୍ଥିତ ଥିଲେ । ସେ କାହିଁକି ଆସିଲେନାହିଁ ଏବେ ତାହା ଉପରେ ପ୍ରଶ୍ନବାଚୀ ଛିଡା ହୋଇଛି । ଅମିତ୍‍ ଶାହା ଜାଣିଶୁଣି ଆସିଲେ ନାହିଁ ନା ଆଉକିଛି ବାର୍ତ୍ତା ଦେବାକୁ ଚାହୁଁଥିଲେ । ଯଦି ଏଭଳି ଯୋଗଦାନ ପର୍ବ କରିବାର ଥିଲା ତେବେ ଓଡିଶା ବିଜେପି ମୁଖ୍ୟାଳୟରେ କରାଯାଇ ପାରିଥାନ୍ତା ବୋଲି ଏବେ ଅନେକ ମତ ଦେଉଛନ୍ତି ।

ତେବେ ବିଜେପିରେ ଯୋଗଦାନ ପରେ ବୈଜୟନ୍ତ ସୌଜନ୍ୟତା ଦୃଷ୍ଟିରୁ ଅମିତ୍‍ ଶାହାଙ୍କ ପ୍ରକୋଷ୍ଠକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇ କୋଳାକୋଳି ହୋଇଥିଲେ ।

ଚର୍ଚ୍ଚା ହେଉଛି, ବୈଜୟନ୍ତଙ୍କ ଯୋଗଦାନ ପାଇଁ ବିଜେପି ବାଟ ବନ୍ଦ ହୋଇଯାଇଥିଲା । କିନ୍ତୁ ବିଦେଶୀ କଳାଧନ ଅଭିଯୋଗ ଆସିବା ପରେ ଉପରେ ପଡି ବିଜେପିରେ ମିଶିଥିବାରୁ ଅମିତଙ୍କ ଆନ୍ତରିକତା ନଥିଲା । ଆଉ ଏକଥା ସେ ମିଶ୍ରଣ ପର୍ବରେ ଯୋଗଦେଇ ସଂକେତ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 12 =