ଜାତୀୟ ରାଜନୀତିରେ ବଢୁଛି ଆଞ୍ଚଳିକ ଦଳର ପ୍ରଭାବ

ବିଜେପିର ଭୋଟ କମିଛି, କଂଗ୍ରେସ ବିଶେଷ ଲାଭବାନ ହୋଇନି

ଭୁବନେଶ୍ବର () ଗତକାଲି ପ୍ରକାଶ ପାଇଥିବା ପାଞ୍ଚଟି ରାଜ୍ୟର ଫଳାଫଳ ଆଗାମୀ ଦିନରେ ଏକ ନୂଆ ରାଜନୈତିକ ଗଣିତର ସଙ୍କେତ ଦେଉଛି । ଏହି ନିର୍ବାଚନରେ ବିଜେପିର ଭୋଟ ହ୍ରାର ବହୁ ମାତ୍ରାରେ ହ୍ରାସ ପାଇଛି ସତ, ହେଲେ ସବୁ ଭୋଟ କଂଗ୍ରେସ ଆଡେ ଯାଇନାହିଁ । ବରଂ ଛୋଟ ଦଳ, ସ୍ବାଧୀନ ଏବଂ ଆଞ୍ଚଳିକ ଦଳଗୁଡିକ କିଛିଟା ଲାଭବାନ ହୋଇଛନ୍ତି । ଏଇଥିରୁ ସଂଙ୍କେତ ମିଳୁଛି ଯେ, 2019ରେ ଜାତୀୟ ରାଜନୀତିରେ ଆଞ୍ଚଳିକ ଦଳଗୁଡିକ ପ୍ରଭାବଶାଳୀ ହେବେ ।

2014 ସାଧାରଣ ନିର୍ବାଚନ ତୁଳନାରେ 2018ରେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପିର ଭୋଟ ହ୍ରାର ଉଦବେଗଜନକ ଭାବେ କମିଛି । ଗତ ସାଧାରଣ ନିର୍ବାଚନରେ ଏହି ତିନୋଟି ରାଜ୍ୟର 65ଟି ଲୋକସଭା ଆସନ ମଧ୍ୟରୁ 62ଟିରେ ବିଜେପି ଜିତିଥିଲା । ତେଲେଙ୍ଗାନା ଓ ମିଜୋରାମରେ ଆଞ୍ଚଳିକ ଦଳ ଯେତିକି ଆଶା କରାଯାଉଥିଲା ତାଠାରୁ ଢେର ଅଧିକ ଭଲ ପ୍ରଦର୍ଶନ କରିଛନ୍ତି । ରାଜନୈତିକ ପଣ୍ଡିତଙ୍କ ମତରେ ଅଣବିଜେପି ଶକ୍ତି ଆଞ୍ଚଳିକ ଦଳର ପ୍ରଭାବକୁ ଏବେଠାରୁ ଅନୁମାନ କରିସାରିଲେଣି । ତେଣୁ ସେମାନେ ମୋଦି ପୁଣି ଥରେ କେନ୍ଦ୍ରରେ କ୍ଷମତାକୁ ନଫେରିବା ପାଇଁ ଅଣବିଜେପି ଜାତୀୟ ଓ ଆଞ୍ଚଳିକ ଦଳଗୁଡିକୁ ଏକାଠି କରୁଛନ୍ତି ।

ଛତିଶଗଡରେ କଂଗ୍ରେସ 2013 ନିର୍ବାଚନରେ 40.3 ପ୍ରତିଶତ ଏବଂ 2014 ସାଧାରଣ ନିର୍ବାଚନରେ 38.37 ଭୋଟ ପାଇଥିବା ବେଳେ 2018ରେ 43.2 ପ୍ରତିଶତ ଭୋଟ ପାଇଛି । 2014ରେ କିନ୍ତୁ କଂଗ୍ରେସ ଛତିଶଗଡରେ 11ଟି ଲୋକସଭା କ୍ଷେତ୍ର ମଧ୍ୟରୁ ମାତ୍ର ଗୋଟିଏରେ ବିଜୟୀ ହୋଇଥିଲା । ଏହି ତୁନଳାରେ ବିଜେପିର ଭୋଟ ହ୍ରାରର ବ୍ୟବଧାନ କିନ୍ତୁ ଢେର ଅଧିକ । ବିଜେପି 2013 ବିଧାନସଭା ନିର୍ବାଚନରେ 41 ପ୍ରତିଶତ ଏବଂ 2014 ସାଧାରଣ ନିର୍ବାଚନରେ 49 ପ୍ରତିଶତ ଭୋଟ ପାଇଥିଲା ବେଳେ 2018 ବିଧାନସଭା ନିର୍ବାଚନରେ 32.8 ପ୍ରତିଶତ ଭୋଟ ପାଇଛି । 2014ରେ ବିଜେପି 11ଟିରୁ 10ଟି ଲୋକସଭା ଆସନ ଜିତିଥିଲା । ସେପଟେ ବିଏସପି 2013ରେ ମାତ୍ର 4.3 ପ୍ରତିଶତ ଭୋଟ ପାଇଥିବା ବେଳେ ଅଜିତ ଯୋଗୀଙ୍କ ପାର୍ଟି ସହ ମେଣ୍ଟ କରି 10.7 ପ୍ରତିଶତ ଭୋଟ ହାତେଇବାକୁ ସକ୍ଷମ ହୋଇଛି । ସ୍ବାଧୀନ ପ୍ରାର୍ଥୀଙ୍କ ଭୋଟ ହାର ମଧ୍ୟ 5.3ରୁ 6.3 ପ୍ରତିଶତକୁ ବଢିଛି ।

ରାଜସ୍ଥାନରେ ମଧ୍ୟ ସମାନ ସ୍ଥିତି । 2013ରେ ବିଜେପି 45.2 ପ୍ରତିଶତ ଏବଂ 2014ରେ 55 ପ୍ରତିଶତ ଭୋଟ ପାଇଥିଲା । ଏଥର କିନ୍ତୁ ଏହି ଜାତୀୟ ଦଳ ସପକ୍ଷରେ ଭୋଟ ହାର 38.8 ପ୍ରତିଶତକୁ ହ୍ରାସ ପାଇଛି । 2014ରେ ବିଜେପି ରାଜସ୍ଥାନର ସମସ୍ତ 25ଟି ଲୋକସଭା ଆସନ ଦଖଲ କରିଥିଲା । ଏହି ତୁଳନାରେ କଂଗ୍ରେସର ଭୋଟ ହାର 2013ରେ 33.1 ଏବଂ 2014ରେ 30 ପ୍ରତିଶତରୁ 2018ରେ 39.2 ପ୍ରତିଶତକୁ ବୃଦ୍ଧି ପାଇଛି । ସ୍ବାଧୀନ ପ୍ରାର୍ଥୀଙ୍କ ଭୋଟ ହାର 8.2ରୁ 9.5 ପ୍ରତିଶତକୁ ବଢିଛି । ମଧ୍ୟପ୍ରଦେଶରେ କଡା ମୁକାବିଲା ମଧ୍ୟରେ ସେହିଭଳି କଂଗ୍ରେସର ଭୋଟ ହ୍ରାସ 2013ରେ 36.4ରୁ 2018ରେ 41.4 ପ୍ରତିଶତକୁ ବଢିଛି । ସେପଟେ ବିଜେପିର ଭୋଟ ହାର 44.9ରୁ 41.3 ପ୍ରତିଶତକୁ ହ୍ରାସ ପାଇଛି । ଏଠି ବିଏସପିର ଭୋଟ ହାର ହ୍ରାସ ପାଇଛି । ଅପରପକ୍ଷରେ ଛୋଟ ଦଳ କିଛିଟା ଲାଭବାନ ହୋଇଛନ୍ତି ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ଭୋଟ ହାର ସମାନ ରହିଛି ।

ତେଲେଙ୍ଗାନାରେ ଟିଆରଏସର ଭୋଟ ହାର 34ରୁ 47 ପ୍ରତିଶତକୁ ବଢିଛି । କଂଗ୍ରେସର ଭୋଟ ହାର 25.2ରୁ 28.7କୁ ବଢିଥିବା ବେଳେ ବିଜେପିର ଭୋଟର ହାସ ପୂର୍ବଭଳି 7 ପ୍ରତିଶତ ରହିଛି । ମିଜୋରାମରେ କିନ୍ତୁ କଂଗ୍ରେସ ଭୋଟ ହାର ହ୍ରାସ ପାଇଛି ଏବଂ ବିଜେପି କିଛିଟା ଲାଭବାନ ହୋଇଛି । କଂଗ୍ରେସର ଭୋଟ ହାର 45ରୁ 30 ପ୍ରତିଶତକୁ କମିଥିବା ବେଳେ ବିଜେପିର ଭୋଟ ହାର 0.4ରୁ 8 ପ୍ରତିଶତକୁ ବଢିଛି । ତେବେ ଆଞ୍ଚଳିକ ଦଳ ଭାବେ ମିଜୋ ନ୍ୟାସନାଲ ଫ୍ରଣ୍ଟର ଭୋଟ ହାର 28.8ରୁ 37.6 ପ୍ରତିଶତକୁ ବଢିଛି । କଂଗ୍ରେସ ବିଧାୟକ ସଂଖ୍ୟା 34ରୁ 5କୁ କମିଛି ଏବଂ ବିଜେପି ଗୋଟିଏ ମାତ୍ର ଆସନରୁ ଜିତିଛି ।

Share

Leave a Reply

Your email address will not be published. Required fields are marked *

three × 5 =