କଳା କୃଷି ଆଇନ୍ ଓ ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଭୁବନେଶ୍ୱର () କେନ୍ଦ୍ର ମୋଦି ସରକାର ପ୍ରଣୟନ କରିଥିବା ୩ ଗୋଟି କଳା କୃଷି ଆଇନ୍ ଯୋଗୁଁ ଦେଶର ୬୨ କୋଟି କୃଷକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଏହି କଳା ଆଇନ୍‌ର ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ସୀମାରେ ୫୦ ଦିନ ଧରି ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି । ପ୍ରବଳ ଥଣ୍ଡା, ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁଁ ପାଖାପାଖି ୬୦ ଜଣ କୃଷକ ମୃତ୍ୟୁବରଣ କଲେଣି । ତା ସତ୍ୱେ ନିଜ ଜିଦ୍‌ରେ ଅଟଳ କେନ୍ଦ୍ର ସରକାର ଭାରତର ଅନ୍ନଦାତାମାନଙ୍କର ଦୁର୍ଦ୍ଦଶା ପ୍ରତି କର୍ଣ୍ଣପାତ କରୁନାହାନ୍ତି ।

ଏ ମଧ୍ୟରେ ୮ ଥର ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଅନ୍ନଦାତାଙ୍କ ଦାବି ପ୍ରତି ସରକାର ତିଳେମାତ୍ର ଉଦାର ମନୋଭାବ ପୋଷଣ କରିନାହାନ୍ତି । ଏଭଳି ମୁହୁର୍ତରେ ସେହି ଅନ୍ନଦାତାମାନଙ୍କ ପଛରେ ଦୃଢ଼ ଭାବରେ ଛିଡା ହେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଷ୍ପତି ନେଇଛନ୍ତି ଏବଂ ପ୍ରତ୍ୟେକ କଂଗ୍ରେସ କର୍ମୀ ଓ ନାଗରିକମାନଙ୍କର ଏହା ନୈତିକ କର୍ତବ୍ୟ ବୋଲି କହିଛନ୍ତି । ଏକ ପକ୍ଷରେ ଏହି କଳା ଆଇନ୍‌କୁ ପ୍ରତ୍ୟାହାର ଦାବିରେ ଅନ୍ନଦାତାମାନେ ଲଢ଼େଇ ଜାରି ରଖିଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଓ କମିଟିକୁ ପ୍ରମୁଖ ଚାଷୀ ସଂଗଠନ ଗୁଡ଼ିକ ପ୍ରତ୍ୟାଖାନ କରିଛନ୍ତି ।

ସେହିପରି କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରି ଏବେ ସର୍ବକାଳୀନ ବୃଦ୍ଧିରେ ପହଂଚିଛନ୍ତି । ଯାହାକି ୭୩ ବର୍ଷ ଇତିହାସରେ ପ୍ରଥମ । ବିଗତ ୬ ବର୍ଷ ମଧ୍ୟରେ ମୋଦି ସରକାର ପେଟ୍ରୋଲ ଉପରେ ଶୁଳ୍କ ଲିଟର ପ୍ରତି ୯.୨୦ ଟଙ୍କା (ମଇ ୨୦୧୪) ରୁ ବୃଦ୍ଧି କରି ବର୍ତମାନ ୩୨.୯୮ ଟଙ୍କାରେ ପହଂଚାଇଛନ୍ତି । ଯାହାକି ୨୫୮ ପ୍ରତିଶତ ଅଧିକ । ସେହିଭଳି ଡିଜେଲ ଉପରେ ଶୁଳ୍କ ଲିଟର ପ୍ରତି ଟ.୩.୪୬ ପଇସା (ମଇ ୨୦୧୪) ରୁ ବୃଦ୍ଧି କରି ବର୍ତମାନ ୩୧.୮୩ ପଇସାରେ ପହଂଚାଇଛନ୍ତି । ଯାହାକି ୮୨୦ ପ୍ରତିଶତ ଅଧିକ ଅଟେ । ଯେତେବେଳେ ଅଶୋଧିତ ତୈଳର ଦର ବ୍ୟାରେଲ୍ ପିଛା ୧୧୦ ଡଲାର କମି ୫୦ ଡଲାର ରେ ପହଂଚିଅଛି ସେତେବେଳେ ଉପରୋକ୍ତ ଦର ବୃଦ୍ଧି ଯୋଗୁଁ ମୋଦି ସରକାର ୧୯ ଲକ୍ଷ କୋଟି ଟଙ୍କା ପେଟ୍ରୋଲ ଓ ଡିଜେଲରୁ ଆଦାୟ କରିଛନ୍ତି । ଯାହାକି କୃଷକ ଓ ସାଧାରଣ ଜନତାଙ୍କ ଉପରେ ପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଇଛି ।

ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ କୃଷକମାନଙ୍କୁ ଦୃଢ଼ ସମର୍ଥନ ଜଣାଇ ସୁପ୍ରିମକୋର୍ଟ ରାୟରେ ସ୍ଥଗିତ ଥିବା ତିନିଗୋଟି କଳା କୃଷି ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏବଂ ଡିଜେଲ ଓ ପେଟ୍ରୋଲର ଦର ବୃଦ୍ଧିକୁ ପ୍ରତ୍ୟାହାର ଦାବି ନେଇ ଆଜି ଓଡିଶା ପ୍ରଦେଶ କଂଗ୍ରେସ କିମଟି ପକ୍ଷରୁ “କିଷାନ ଅଧିକାର ଦିବସ ସମାବେଶ” ଅନୁଷ୍ଠିତ ହୋଇଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ କଂଗ୍ରେସ ନେତୃବୃନ୍ଦ ବଜେଡ଼ି ଓ ବିଜେପିର ଜନବିରୋଧି ଓ କୃଷକ ମାରଣ ନୀତି ବିରୁଦ୍ଧରେ ଆଲୋକପାତ କରିଥିଲେ । ସଭାପରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଭବନ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏହି ବିଶାଳ ଶୋଭାଯାତ୍ରା ପାୱାର ହାଉସ୍ ଛକଠାରୁ ବାହାରି ରାଜଭବନ ଅଭିମୁଖେ ଯାଇଥିଲା । ପରେ ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜଭବନରେ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ ପୂର୍ବକ ତିନିଗୋଟି କଳା କୃଷି ଆଇନକୁ ପ୍ରତ୍ୟାହାର ଓ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଅହେତୁକ ମୂଲ୍ୟ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ରାଜ୍ୟପାଳଙ୍କୁ ଅବଗତ କରିଥିଲେ । ମାନ୍ୟବର ରାଜ୍ୟପାଳ ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜି. ରୁଦ୍ର ରାଜୁ, ସପ୍ତଗିରି ଉଲାକା, ଜୟଦେବ ଜେନା, ଶରତ ପଟ୍ଟନାୟକ, ଭକ୍ତଚରଣ ଦାସ, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ୍‌, ସୁରେଶ କୁମାର ରାଉତରାୟ, ଅଧିରାଜ ମୋହନ ପାଣିଗ୍ରାହୀ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ଶୁଭେନ୍ଦୁ ମହାନ୍ତି, ଅମୀୟ ପଟ୍ଟନାୟକ, ସ୍ମୃତିରଂଜନ ଲେଙ୍କା, ଅଂଶୁମାନ ମହାନ୍ତି, ବନ୍ଦିତା ପରିଡା, ୟାସିର ନୱାଜ, ପଦ୍ମାକର ଗୁରୁ, ଅଜୟ ସାମଲ, ମନ୍ମଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ  ।

Share

Leave a Reply

Your email address will not be published. Required fields are marked *

10 − six =