ରାଫେଲ ହେଲା କାଳ !

ଭୁବନେଶ୍ବର () : ରାଫେଲ ଦୁର୍ନୀତିର ତଦନ୍ତ ପାଇଁ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଅତ୍ୟଧିକ ଆଗ୍ରହ ଦେଖାଇବାରୁ ତାଙ୍କୁ ରାତି ଅଧିଆ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ସି ୱେୟାରରେ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି । ଗତ ସପ୍ତାହରେ ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଉତ୍କୋଚ ମାମଲାରେ ତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ସିବିଆଇ ନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁମତି ମାଗିଥିଲେ ।

36ଟି ରାଫେଲ ବିମାନ କିଣାରେ ହୋଇଥିବା ଦୁର୍ନୀତି ସଂପର୍କରେ ଆଲୋକ ବର୍ମା ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲେ । ଏଥିସହିତ ଅନିଲ ଅମ୍ବାନୀଙ୍କ କମ୍ପାନୀକୁ ଅଫସେଟ କଣ୍ଟ୍ରାକ୍ଟ ଦେବା ପ୍ରସଙ୍ଗରେ ମଧ୍ୟ ସେ ତଦନ୍ତ ଆରମ୍ଭ କରିଥିଲେ । ସିବିଆଇରେ ପୂର୍ବତନ ମନ୍ତ୍ରୀ ଜଶୱନ୍ତ ସିହ୍ନା, ଅରୁଣ ସୌରୀ ଓ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଅଭିଯୋଗ କରିଥିଲେ । ସେମାନେ ସୁପ୍ରିମ କୋର୍ଟରେ ମଧ୍ୟ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି । ଆଲୋକ ବର୍ମା ସେମାନଙ୍କ ଅଭିଯୋଗକୁ କେବଳ ଗ୍ରହଣ କରିନଥିଲେ ବରଂ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏ ସଂପର୍କରେ ତଥ୍ୟ ମଧ୍ୟ ମାଗିଥିଲେ । ସେହିଭଳି ଆମ ଆଦମୀ ପାର୍ଟିର ସାଂସଦ ସଂଜୟ ସିଂହ ସିବିଆଇ ଓ ସିଭିସିକୁ ଚିଠି ଲେଖି ରେଫେଲ ଦୁର୍ନୀତିର ତଦନ୍ତ ପାଇଁ ଅନୁରୋଧ କରିଥିଲେ । ତାଙ୍କର ଏହି ଚିଠିକୁ ଏକ ସରକାରୀ ରେକର୍ଡ ଭାବେ ଗ୍ରହଣ କରାଯାଇଛି ।

ଉଭୟ ଆଲୋକ ବର୍ମା ଏବଂ ଆସ୍ଥାନାଙ୍କୁ ଛୁଟିରେ ଯିବାକୁ କହି କେନ୍ଦ୍ର ସରକାର ସିବିଆଇର ଗାରିମା ରକ୍ଷା କରିଛନ୍ତି ବୋଲି ଦାବି କରୁଥିଲେ ବି ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ଦୁଇ ମୁଖ୍ୟଙ୍କ ମଧ୍ୟ ସୃଷ୍ଟି ବିବାଦ ସିବିଆଇର ରାଜନୀତିକରଣର ସ୍ପଷ୍ଟ ସଂକେତ ଦେଉଛି । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଆଲୋକ ବର୍ମା ସିବିଆଇର ରାଜନୀତିକରଣକୁ ପସନ୍ଦ କରୁନଥିଲେ । ସେପଟେ କିନ୍ତୁ ଆସ୍ଥାନା କେନ୍ଦ୍ର ସରକାରଙ୍କୁ ସୁହାଇଲା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମାମଲାକୁ ଭିନ୍ନ ମୋଡ ଦେଉଥିବା ଅଭିଯୋଗ ହେଉଛି ।

ସେପଟେ ବୁଧବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଶୱନ୍ତ ସିହ୍ନା, ଅରୁଣ ସୌରୀ ଏବଂ ଆଇନଜୀବୀ ପ୍ରଶାନ୍ତ ଭୂଷଣ ରେଫେଲ ଦୁର୍ନୀତି ନେଇ ଯଥେଷ୍ଟ ତଥ୍ୟ ପ୍ରମାଣ ଥିବାରୁ ଏନେଇ ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ କରିବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ଏହି ଘଟଣାରେ କେନ୍ଦ୍ରରେ ଶାସନରେ ଥିବା କ୍ଷମତାଶାଳୀ ବ୍ୟକ୍ତିମାନେ ଲିପ୍ତ ଥିବାର ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ରହିଥିବା ଦର୍ଶାଇବା ସହ କେନ୍ଦ୍ର ସରକାର ଏହି ଘଟଣାରେ ସଂପୃକ୍ତ ଅଫିସରଙ୍କୁ ଧମକାଇବା କିମ୍ବା ପ୍ରଭାବିତ କରିବା କାର୍ଯ୍ୟରୁ କେନ୍ଦ୍ର ସରକାର ନିବୃତ ରହିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବାକୁ ସେମାନେ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 4 =