ବିଜେପିର ପୋଷ୍ଟର ୱାର : ଅପରାଜିତାଙ୍କ ବ୍ୟାନରରେ ଧର୍ମେନ୍ଦ୍ର ଗୌଣ

ଭୁବନେଶ୍ବର () ରାଜ୍ୟ ବିଜେପିରେ ବରିଷ୍ଠ ନେତାଙ୍କ ମଧ୍ୟରେ କନ୍ଦଳ ଏବଂ ପରାଜୟର ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜନୈତିକ ଆକ୍ରମଣ କରୁନଥିବା ବେଳେ ଓଡିଶା ଶାଖାରେ ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ନେତୃତ୍ବ ପ୍ରତିଯୋଗିତା ଏବେ ରାଜଧାନୀ ରାଜରାସ୍ତାରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି ।

ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଗତ କିଛି ମାସ ହେଲା ଉତ୍ତମ ବୁଝାମଣାର ଅଭାବ ରହୁଥିବା ଦେଖିବାକୁ ମିଳୁଥିଲା । ଏହାର ମୁଖ୍ୟ କାରଣ ହେଉଛି ଆଗାମୀ ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବକୁ ନେଇ । ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବକୁ ନେଇ ଦେଖାଦେଇଥିବା ଏହି ପ୍ରତିଯୋଗିତା ଅପରାଜିତା ଷଢଙ୍ଗୀଙ୍କ ଯୋଗଦାନ ପରେ ତୀବ୍ର ହୋଇଛି ।

ନିକଟରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ କାର୍ଯ୍ୟକ୍ରମରେ ଅପରାଜିତାଙ୍କୁ ଗୁରୁତ୍ବ ଦିଆଯାଇନଥିଲା । ଏହି ପ୍ରଶାସକରୁ ନେତା ସାଜିଥିବା ଅଣ-ଓଡିଆ ଅଫିସର ବିଜେପିରେ ଯୋଗ ଦେବା ପରେ ତାଙ୍କୁ ଓଡିଶା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଯାଉଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସଭାରେ ତାଙ୍କୁ ମଂଚ ଉପରେ ଆସନ ଦିଆନଯିବା ଏବଂ ମୋଦି ତାଙ୍କ ସହ ପଦୁଟିଏ ବି କଥା ନହେବା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପକୁ ଉତ୍ସାହିତ କରିଦେଇଥିଲା ।

ଏବେ କିନ୍ତୁ ମାଷ୍ଟରକ୍ୟାଣ୍ଟିନ ଛକରେ ଲାଗିଥିବା ଅପରାଜିତାଙ୍କ ଏକ ପୋଷ୍ଟର ଦଳ ମଧ୍ୟରେ କୁହୁଳୁଥିବା ପ୍ରତିଯୋଗିତାମୂଳକ କନ୍ଦଳ ନିଆଁରେ ଘିଅ ଢାଳିବା ସଦୃଶ୍ୟ ହୋଇଛି । ଏହି ପୋଷ୍ଟରର ଗୋଟିଏ ପାର୍ଶ୍ବରେ ମୋଦି ଓ ଅମିତ ଶାହା ଥିବା ବେଳେ ଅନ୍ୟ ପଟରେ ଅପରାଜିତାଙ୍କ ଏକ ବଡ ଫଟୋ ଲାଗିଛି । ସେହି ଅନୁପାତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନଙ୍କ ଫଟୋ ଆଖିକୁ ନଦିଶିଲା ଭଳି ।

ଏହି ବ୍ୟାନରରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ଅନ୍ୟତମ ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ମଧ୍ୟ ଧର୍ମେନ୍ଦ୍ରଙ୍କ ଭଳି ଛୋଟେଇ ଦିଆଯାଇଛି । ଏକଦା ଜୁଏଲ ରାଜ୍ୟ ବିଜେପିର ପରିଚୟ ଥିବା ବେଳେ ସେ ମଧ୍ୟ ଦିନାକେତେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚିତ୍ରିତ କରିଥିଲେ । ଦଳର ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ମଧ୍ୟ କିଛି ସମ୍ମାନଜନକ ସ୍ଥାନ ଦିଆଯାଇନାହିଁ ।

ଖୋର୍ଦ୍ଧା ସଭାରେ ଅପରାଜିତାଙ୍କୁ ପ୍ରଧାନମନ୍ତ୍ରୀ ଅଣଦେଖା କରିବା ପରେ ଏହି ବ୍ୟାନର ଜରିଆରେ ଅପରାଜିତା ତାଙ୍କ ପ୍ରତିଦ୍ବନ୍ଦ୍ବିଙ୍କୁ ପ୍ରତିପାଦିତ କରିବାକୁ ଚେଷ୍ଟା କରିଛନ୍ତି ଯେ, ସେ ଏବେ ବି କେନ୍ଦ୍ରୀୟ ନେତାଙ୍କ ଗୁଡବୁକରେ ଅଛନ୍ତି ଏବଂ ଖୁବଶୀଘ୍ର ସେ ରାଜ୍ୟ ବିଜେପିର ସର୍ବେସର୍ବା ହେବେ । ପାର୍ଟିର କିଛି ନେତାଙ୍କ କହିବା ଅନୁଯାୟୀ ଖୋର୍ଦ୍ଧା ସଭାରେ ଧର୍ମେନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବାକୁ  ମୋଦି ଉଦ୍ଦେଶ୍ୟମୂଳକ ଭାବେ ଅପରାଜିତାଙ୍କୁ ଅଣଦେଖା କରିଥିଲେ ।

Share

Leave a Reply

Your email address will not be published. Required fields are marked *

11 − 7 =