ଟ୍ରାକରେ ରହୁନି ନିରଞ୍ଜନଙ୍କ ଗାଡି

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବ ଦାସଙ୍କ ସମେତ କଂଗ୍ରେସର ଆଉ ଦୁଇ ତିନି ବିଧାୟକ ବିଜେଡି ମୁହାଁ ହୋଇଥିବାବେଳେ ସେମାନଙ୍କୁ ରୋକିପାରୁ ନାହାନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ବିଧାୟକମାନେ ନିରଞ୍ଜନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଉଥିବାବେଳେ ଶ୍ରୀ ପଟ୍ଟନାୟକ କିନ୍ତୁ ଟିଭିରେ ମନ୍ତବ୍ୟ ଦେଇ ଚୁପ୍‍ ରହୁଛନ୍ତି । ଏହା ଦେଖିଲା ପରେ ନିରଞ୍ଜନଙ୍କ କଳା ହରଣ ହୋଇଗଲାଣି ବୋଲି ଖୋଦ୍‍ କଂଗ୍ରେସର କିଛି ନେତା ଓ କର୍ମୀ ମତ ଦେଉଛନ୍ତି ।
ସେମାନଙ୍କ ମତରେ ନିରଞ୍ଜନ ପିସିସି ମଙ୍ଗ ଧରିବାବେଳେ ତାଙ୍କ ଠାରେ ଦଳରେ ଯେଉଁ ଜୋସ୍‍ ଥିଲା ତାହା ଆଉ ନାହିଁ । ଜାଗି ଉଠିଥିବା କଂଗ୍ରେସିଆମାନେ ଏବେ ଧିରେ ଧିରେ ପୁଣି ବିଜେଡି ଓ ବିଜେପି ମୁହାଁ ହେଲେଣି । ନିରଞ୍ଜନଙ୍କ ମନ୍ଥର ଗତିକୁ ଦେଖି ଗାଁ ଗହଳରେ ଥିବା ବିଜେଡି ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟମାନଙ୍କୁ ବିଜେଡିର ମନ୍ତ୍ରୀ ବିଧାୟକମାନେ ଏକ ପ୍ରକାର ଖରିଦ କରି ନେଉଛନ୍ତି । ଅବସ୍ଥା ଏଭଳି ହେଲାଣି ଯେ ନିର୍ବାଚନ ବେଳକୁ ତଳ ସ୍ତରରେ ଆଉ କଂଗ୍ରେସିଆ ନଥିବେ ।
ନିରଞ୍ଜନଙ୍କ ନିରବତା ଦେଖି ପ୍ରଥମେ ବିଦ୍ରୋହ କରିଥିଲେ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ତାଙ୍କୁ ସାଥ୍‍ ଦେଇଥିଲେ ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ଶ୍ରୀକାନ୍ତ-ସଗରିଆ ଯୋଡିକୁ ବଳ ଦେଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ଏମାନଙ୍କ ବିରୁଦ୍ଧରେ ପ୍ରଥମେ ଫଁ ଦେଖାଉଥିବା ରାଜ୍ୟ କଂଗ୍ରେସ ପରେ ଲାଙ୍ଗୁଡ ଜାକିବାରୁ କଂଗ୍ରେସ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଲା । ଫଳ ହେଲା ଏଇଆ ଯେ ଜଣଙ୍କ ପରେ ଜଣେ କଂଗ୍ରେସ ବିଧାୟକ ଏବେ ବିଜେଡି ମୁହାଁ ହୋଇଛନ୍ତି ।
ଦଳ ଛାଡିବାକୁ ସଜବାଜ ହେଉଥିବା କଂଗ୍ରେସିଆଙ୍କୁ ଅଟକାଇବା ବଦଳରେ ନିରଞ୍ଜନ ଏବେ ସେମାନଙ୍କୁ ସମାଲୋଚନା କରିବା ଆରମ୍ଭ କଲେଣି । ଏହି ନେତାମାନଙ୍କର ଆଦର୍ଶନାହିଁ ଓ ବେପାରପାଇଁ ସେମାନେ ଦଳ ଡେଉଁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିଭଳି ରାଜ୍ୟରେ ଏବେ ଦଳ ବିଜେଡି କି ବିଜେପି କାହାକୁ ବିରୋଧ କରିବ ତାହା ଜାଣିପାରୁ ନାହିଁ । ଗୋଟିଏ ଇସ୍ୟୁକୁ ଧରି ଆଗକୁ ବଢୁଥିବାବେଳେ ଅଧାରୁ ତାହାକୁ ଛାଡି ଆଉଗୋଟିଏକୁ ଧରୁଛି । ଦଳର ସବୁ ବିଭାଗରେ ପ୍ରାୟ ସମାନ ଅବସ୍ଥା ।
ରାଜ୍ୟ କଂଗ୍ରେସର ଭିତିରି ସୂଚନା ଅନୁଯାୟୀ ଦଳର ଏଭଳି ସ୍ଥିତିପାଇଁ ନିରଞ୍ଜନଙ୍କ ଅତିମାତ୍ରାରେ ପୁତ୍ରମୋହ ହିଁ ଦାୟୀ । ତାଙ୍କ ପୁଅ ଏବେ ଦଳୀୟ ବ୍ୟାପାରରେ ହସ୍ତକ୍ଷେପ କରିବାରେ ଲାଗିଛନ୍ତି । ଯେଉଁଥିପାଇଁ ୪୦ ବିଧାୟକ ତାଲିକା ଛଅମାସ ହେଲା ଝୁଲିଛି । ଏହାବାଦ୍‍ ଅନେକ ବ୍ୟାପାରରେ ସିଏ ମୁଣ୍ଡ ଖେଳାଉଥିବାରୁ କଂଗ୍ରେସର ବଡ ଠୁ ଆରମ୍ଭକରି ଛୋଟ ପର୍ଯ୍ୟନ୍ତ ସମସ୍ତେ ଚିଡିଗଲେଣି । ନିରଞ୍ଜନ ସବୁକିଛି ଜାଣୁଥିଲେ ବି ନାଚାର ଅବସ୍ଥାରେ ଅଛନ୍ତି । ତାଙ୍କର ଅବସ୍ଥା ଦେଖି ତାଙ୍କୁ କେତେକ ଆଧୁନିକ ଧୃତରାଷ୍ଟ୍ର ବୋଲି କହିବାକୁ ପଛାଉ ନାହାନ୍ତି । ଏଭଳି ଅବସ୍ଥା ଲାଗି ରହିଲେ ଆଗାମୀ ଦିନରେ କଂଗ୍ରେସ ଆଗକୁ ଯାଉ କି ନଯାଉ ଅନେକ କଂଗ୍ରେସିଆ ନେତା କିନ୍ତୁ ଅନ୍ୟ ଦଳକୁ ପଳାଇବେ ବୋଲି ଆଲୋଚନା ହେଉଛି ।
Share

Leave a Reply

Your email address will not be published. Required fields are marked *

five + thirteen =