ତହସିଲ ଅଫିସର ନୂଆ ଠିକଣା – ଖଣ୍ଡଗିରି ଥାନା

ମାଲ ନେଇ ଟିଙ୍କ ହେଇଗଲେଣି ଥାନା ଅଧିକାରୀ

ଭୁବନେଶ୍ୱର (): ଖଣ୍ଡଗିରି ଥାନାରେ ଚାଲିଛି ମାଫିଆରାଜ । ଦିନ ଦ୍ୱିପହରରେ ଖୁଲମଖୁଲା ଚାଲିଛି ସେଟେଲମେଣ୍ଟ, ଚାନ୍ଦା
ଦିଅ, ମାମଲା ରଫାଦଫା କର । ନ ହେଲେ ହାଜତ ଭିତରକୁ ଠୁଙ୍କି ଦେବାକୁ ହିମାଂଶୁ ଦେଖାଉଛନ୍ତି ନାଲିଆଖି । ଖଣ୍ଡଗିରି ଥାନା ବର୍ତ୍ତମାନ ଜନସାଧାରଣଙ୍କ ପାଇଁ ସୁରକ୍ଷାସ୍ଥଳୀ କମ୍, ଅଘୋଷିତ ବଟି ଆଦାୟ କେନ୍ଦ୍ର ଅଧିକ ପାଲଟିଛି । କହି ହେଉଛି ନା ସହି ହେଉଛି ନ୍ୟାୟରେ ଲୋକମାନେ ପେଶି ହେଉଛନ୍ତି । ହେଲେ ଥାନାବାବୁଙ୍କ ଡରରେ ମୁହଁ ଖୋଲୁ ନାହାନ୍ତି । କଳାଟଙ୍କାର ପାହାଡ଼ ଉପରେ ବସିଥିବା ହିମାଂଶୁ କେବେ ପାନେ ପାଇବେ ସେ ନେଇ ନିରିହ ଖଣ୍ଡଗିରିବାସୀ ଚାହିଁବସିଛନ୍ତି ।
କମିଶନରେଟ୍ ପୁଲିସ ପ୍ରତିଷ୍ଠା ହେବା ପରେ ରାଜଧାନୀର ସବୁଠାରୁ ବଡ଼ଥାନା ଭାବେ ଖଣ୍ଡଗିରି ଥାନା ଜଣାଶୁଣା । ଖଣ୍ଡଗିରି ଥାନା ଅଞ୍ଚଳରେ ଜାଗମରା, ଡୁମୁଡୁମା, ବରମୁଣ୍ଡା ଭଲି ବଡ଼ବଡ଼ ଗାଁ ପରିସରଭୁକ୍ତ । ଯେହେତୁ ଭୁବନେଶ୍ୱର ଦିନକୁ ଦିନ ନୂଆ ରୂପରେ ସଜେଇ ହେଉଛି ଏବଂ ସହରର ପରିସୀମା ବୃଦ୍ଧି ପାଉଛି ତେଣୁ ଏହି ଥାନା ଅଞ୍ଚଳରେ ଥିବା ଜମିର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଜମିମାଫିଆମାନେ ମଧ୍ୟ ଏବେ ଏହି ଅଞ୍ଚଳରେ ବେଶ୍ ସକ୍ରିୟ । ‘ବିରାଡ଼ି କପାଳକୁ ଶିକା ଛିଡ଼ିବା’ ଭଲି ବର୍ତ୍ତମାନ ଥାନାରେ ଥିବା ହିମାଂଶୁ ବାବୁ ଏହି ଜମି ମାଫିଆଙ୍କୁ ସହଯୋଗ କରୁଛନ୍ତି । ରାତି ୧୧ଟା ପରେ ଥାନା ସାମ୍ନାରେ ଥିବା ହୋଟେଲ ବସୁଛି ହିମାଂଶୁଙ୍କ ସଭା । ସେଥିରେ ସାମିଲ ହେଉଛନ୍ତି ଜମି ମାଫିଆ ଓ କେତେକ ଜଣାଶୁଣା ବ୍ୟକ୍ତି । ଆଉ ସେଠାରେ ହିଁ ସ୍ଥିର ହେଉଛି କେଉଁ ଜମି କାହାକୁ ଦିଆଯିବ, କିଏ ତାହାର ମାଲିକାନା ହେବ ।
ପରିସ୍ଥିତି ଏପରି ହୋଇଛି କି ଲକ୍ଷାଧିକ ଟଙ୍କା ଦେଇ ୧୦ବର୍ଷ ତଳେ ଜାଗା କିଣିଥିବା ଲୋକମାନେ ଏବେ ଜମି ମାଫିଆଙ୍କ ଦୌରାତ୍ମ୍ୟର ଶିକାର ହେଉଛନ୍ତି । ଥାନାକୁ ଗଲେ ବାବୁ ହିମାଂଶୁଙ୍କ ପ୍ରଥମେ ବାହାନା ଓ ପରେ ଗାଳି ଶୁଣିବାକୁ ପଡ଼ୁଛି । ଏପରିକି ବିଭିନ୍ନ ସମୟରେ ଥାନା କର୍ମଚାରୀଙ୍କ ଜଣାତରେ ଜମି ମାଲିକମାନେ ମାଫିଆଙ୍କ ଗୁଣ୍ଡାମାନଙ୍କ ଦ୍ୱାରା ମାଡ଼ ଖାଉଥିଲେ ମଧ୍ୟ ପୁଲିସ ସବୁ ଜାଣି ଚୁପ୍ ରହୁଛି । ଥାନାର ଅନ୍ୟ କର୍ମଚାରୀମାନେ ମଧ୍ୟ ଏନେଇ ଜାଣୁଥିଲେ ମଧ୍ୟ ଜମିଜମା ବାବଦୀୟ ମାମଲା କେବଳ ହିମାଂଶୁ ବୁଝିବେ ବୋଲି କହିଥିବାରୁ ଥାନା କର୍ମଚାରୀ ଭୟରେ ସେଥିରେ ମୁଣ୍ଡ ଖେଳାଉନାହାନ୍ତି । ଥାନାର ଏପରି ପରିସ୍ଥିତି ଦେଖି ଲାଗୁଛି ବର୍ତ୍ତମାନ ସମୟରେ ଖଣ୍ଡଗିରି ଥାନା ତହସିଲ ଅଫିସରେ ପରିଣତ ହୋଇଛି ।
ଉପରକୁ ସାଦାସିଧା ଦେଖାଯାଉଥିବା ଏବଂ ବେଶ୍ ନରମ ସ୍ୱରରେ କଥା ହେଉଥିବା ହିମାଂଶୁ କିନ୍ତୁ ଟଙ୍କା ରୋଜଗାର କରିବାରେ ଯେ, କମିଶନରେଟ୍ର ଅନ୍ୟ ଅଫିସରଙ୍କ ଠାରୁ ବେଶ୍ ଆଗରେ ତାହା କାହାକୁ ଅଛଫା ନାହିଁ । ଅନ୍ୟପକ୍ଷରେ ଏନେଇ ବରିଷ୍ଠ ଅଧିକାରୀଙ୍କ ନିକଟରେ ବହୁ ଅଭିଯୋଗ ହୋଇଛି । ଅଧିକାରୀମାନେ ଏନେଇ ହିମାଂଶୁଙ୍କୁ ଜଣାଉଛନ୍ତି କିନ୍ତୁ ବଡ଼ ଅଧିକାରୀଙ୍କ ମିଛ କହି ପାର ପାଇ ଯାଉଛନ୍ତି ହିମାଂଶୁ । ଯଦି ଆବଶ୍ୟକସ୍ଥଳେ ତାଙ୍କୁ ଏହି କାମରେ ଅଭିଯୋଗକାରୀଙ୍କୁ ନ୍ୟାୟ ଦେବାକୁ କୁହାଯାଉଛି ତେବେ ସେ ସାର୍ ବ୍ୟସ୍ତ ଅଛି, ଫୋନ ଲାଗୁନି ଆପଣଙ୍କୁ ଦେଖା କରି ସବୁ କହିବି କହି ଖସିଯିବାକୁ ଚେଷ୍ଟା କରିଛନ୍ତି ।
କାରଣ ଟଙ୍କା ରୋଜଗାରରେ ମାଷ୍ଟର ହିମାଂଶୁ ବାବୁ ଜଣଙ୍କ ଜାଣନ୍ତି ବରିଷ୍ଠ ଅଧିକାରୀଙ୍କୁ ଅଭିଯୋଗକାରୀ ଦେଖା କରିବା କଷ୍ଟ । ଯାହାର ବେଶ୍ ଭଲ ଫାଇଦା ନେଉଛନ୍ତି ହିମାଂଶୁ । ଏହି ବାବୁଙ୍କ କଳାକାରନାମାର ପୋଥି ଆମ ନିକଟରେ ରହିଛି । ଆଗାମୀ ଦିନରେ ତଥ୍ୟ ଭିତ୍ତିରେ ଏ ସମସ୍ତ ଜିନିଷ ପ୍ରକାଶିତ ହେବ ।
Share

Leave a Reply

Your email address will not be published. Required fields are marked *

two × two =