ଦେଶର ମୁଡ ବଦଳୁଛି, କମୁଛି ମୋଦିଙ୍କ ଗ୍ରହଣୀୟତା

ନୂଆଦିଲ୍ଲୀ () ଦେଶର ମୁଡ ବଦଳୁଛି  । ବାଲାକୋଟ ଷ୍ଟ୍ରାଇକ ପରେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର ଗ୍ରହଣୀୟତା ଧିରେ ଧିରେ ହ୍ରାସ ପାଉଛି । ଚଳିତ ମାସରେ ମୋଦିଙ୍କ ଗ୍ରହଣୀୟତା 12 ପଏଣ୍ଟ ହ୍ରାସ ପାଇଛି । ରାଜନୈତିକ ସ୍ତରରେ ତରବରିଆ ନିଷ୍ପତ୍ତି ଯୋଗୁଁ ଏଭଳି ଘଟୁଥିବା ଆକଳନ କରାଯାଉଛି । ସିଭୋଟର-ଆଇଏଏନଏସ ପକ୍ଷରୁ ହୋଇଥିବା ସର୍ଭେରେ ମୋଦିଙ୍କ ଗ୍ରହଣୀୟତା କମୁଥିବା କୁହାଯାଇଛି । ମାର୍ଚ୍ଚ 12ରୁ ଏପ୍ରିଲ 12 ତାରିଖ ମଧ୍ୟରେ ଏହି ସର୍ଭେ ହୋଇଥିଲା ।

ଗତ ମାସରେ ବାଲାକୋଟ ଆକ୍ରମଣ ପରେ ମୋଦିଙ୍କ ଗ୍ରହଣୀୟତା ଦେଶରେ ଶୀର୍ଷରେ ପହଁଚିଥିଲା । ଫେବୃଆରୀରେ ମୋଦିଙ୍କ ଗ୍ରହଣୀୟତା ଥିଲା 60.2 ପଏଣ୍ଟ । କିଛି ଦିନ ମୋଦିଙ୍କ ରେଟିଂ 50 ପଏଣ୍ଟ ଉପରେ ରହିବା ପରେ ଅପ୍ରେଲରେ 43.25 ପଏଣ୍ଟକୁ ହ୍ରାସ ପାଇଛି  । ମୋଦିଙ୍କ ଗ୍ରହଣୀୟତା ସର୍ବଭାରତୀୟ ସ୍ତରରେ ଏଭଳି ଭାବେ ହ୍ରାସ ପାଇବା ବିଜେପି ପାଇଁ ଚିନ୍ତାର କାରଣ ହୋଇଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପରେ ମୋଦିଙ୍କ ଗ୍ରହଣୀୟତାକୁ ନେଇ ଆସିଥିବା ଏହି ରିପୋର୍ଟ ପରବର୍ତ୍ତି 6ଟି ପର୍ଯ୍ୟାୟ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ମଧ୍ୟ ଆକଳନ କରାଯାଉଛି । ଏହିଦୃଷ୍ଟିରୁ ପୁଣି ଥରେ ଜନମତ ଓ ଲୋକଙ୍କ ଗ୍ରହଣୀୟତାକୁ ନିଜ ସପକ୍ଷରେ ଟାଣିବା ସହ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ମୋଦି ସରକାର କାମ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏଭଳି ରିପୋର୍ଟ ବିଜେପି ନେତାଙ୍କ ନିଦ ହଜେଇ ଦେଇଛି । କାରଣ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଗୁରୁତ୍ବପୂର୍ଣ୍ଣ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେବ । ଏଭଳିସ୍ଥିତିରେ ମୋଦିଙ୍କ ପ୍ରତି ଦେଶର ମୁଡ ବଦଳିବା ସାମଗ୍ରୀକ ଭାବେ ଦଳର ପ୍ରଦର୍ଶନକୁ ପ୍ରଭାବିତ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 16 ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଭୁବନେଶ୍ବରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ବରବାସୀ କ୍ରମାଗତ ଭାବେ ବିଜେଡିକୁ ସମର୍ଥନ ଦେଇଆସୁଥିବା ବେଳେ ମୋଦିଙ୍କ ଗସ୍ତ ଲୋକଙ୍କୁ କେତେ ପ୍ରଭାବିତ କରୁଛି ତାହା ଦେଖିବାର କଥା । କାରଣ ଭୁବନେଶ୍ବରବାସୀ ଗତ କିଛି ବର୍ଷ ମଧ୍ୟରେ ବିକାଶର ନୂଆ ଅଭିଯାନକୁ ଉପଲବ୍ଧି କରିଛନ୍ତି । କୋରାପୁଟ, ଜୟପୁର, କଳାହାଣ୍ଡି ଓ ଭବାନିପାଟଣାକୁ ମୋଦିଙ୍କ ଗସ୍ତ ଦଳ ପାଇଁ ସେତେ ପ୍ରଭାବୀ ହୋଇନଥିବା ବେଳେ ଭୁବନେଶ୍ବର ଗସ୍ତ ଭୋଟରଙ୍କୁ ଯେ ଆକୃଷ୍ଟ କରିବ ତାହା ସନ୍ଦେହଜନକ ।

Share

Leave a Reply

Your email address will not be published. Required fields are marked *

1 + two =