ନାରୀ ସଶକ୍ତିକରଣକୁ ନୂଆ ଦିଶା : ନବୀନଙ୍କୁ ସାରା ଦେଶରୁ ପ୍ରଶଂସା

ଓଡିଶାର ହୋଇଥିଲେ ନବୀନଙ୍କୁ ଭୋଟ ଦେଇଥାନ୍ତି : ଅଳକା ଲାମ୍ବା

ଭବନେଶ୍ବର () ରାଜ୍ୟରେ 2019 ସାଧାରଣ ନିର୍ବାଚନରେ 21ଜଣ ସାଂସଦଙ୍କ ମଧ୍ୟରୁ ବିଜେଡି 33 ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ଜାତୀୟ ସ୍ତରରେ ସବୁ ରାଜନୈତିକ ଦଳଗୁଡିକ ପାଇଁ ଏବେ ବେଞ୍ଚମାର୍କ ତିଆରି କରିଛି । ଦୀର୍ଘ ବର୍ଷ ଧରି ମହିଳା ସଂଗଠନ ପକ୍ଷରୁ ମହିଳା ସଶକ୍ତିକରଣର ନାରା ଦିଆଯାଉଥିବା ବେଳେ ଦେଶ ଓ ରାଜ୍ୟର ସର୍ବୋଚ୍ଚ ନିଷ୍ପତ୍ତିଗ୍ରହଣକାରୀ ପଦବୀରେ ମହିଳାଙ୍କ ପାଇଁ ସରକ୍ଷଣ ନାରୀ ଜାଗରଣକୁ ନୂଆ ଦିଶା ଦେଇଛି । ରାଜ୍ୟ ବିଜେଡିର ଏହି ନିଷ୍ପତ୍ତିକୁ ଏବେ ଜାତୀୟ ସ୍ତରରୁ ପ୍ରଶଂସା କରାଯାଉଛି ।

ପ୍ରଥମ ଥର ପାଇଁ 2019 ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବାର କିଛି ଘଣ୍ଟା ଆଗରୁ ନବୀନଙ୍କ ଏହି ଐତିହାସିକ ଘୋଷଣା କରିଥିଲେ । ସ୍ବଳ୍ପଭାଷୀ କିନ୍ତୁ ଲୋକପ୍ରିୟ ଯୋଜନା ପ୍ରସ୍ତୁତ ପାଇଁ ସର୍ବଭାରତୀୟ ସ୍ତରରେ ଚର୍ଚ୍ଚିତ ନବୀନ ପଟ୍ଟନାୟକ ଏହି ଘୋଷଣା କରି ନିଜ ବାପା ତଥା କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଚିତ ଦାୟାଦ ଭାବେ ପ୍ରମାଣିତ କରିଛନ୍ତି ।

ସ୍ବର୍ଗତ ବିଜୁ ପଟ୍ଟନାୟକ 90 ଦଶକରେ ପ୍ରଥମ ଥର ପାଇଁ ନାରୀ ସଶକ୍ତିକରଣ ପାଇଁ ପଂଚାୟତ ସ୍ତରରେ ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ପରବର୍ତ୍ତି ସମୟରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ପଂଚାୟତ ସ୍ତର ଏବଂ ପୌର ପରିଷଦରେ ଏହି ସଂରକ୍ଷଣକୁ 50 ପ୍ରତିଶତକୁ ବୃଦ୍ଧି କରିବା ସହ ମହିଳାଙ୍କୁ ରାଜନୀତିର ମୁଖ୍ୟ ସ୍ରୋତକୁ ଆଣିବାକୁ ସଂସଦ ଓ ବିଧାନସଭାରେ 33 ପ୍ରତିଶତ ସ୍ଥାନ ସଂରକ୍ଷଣର ନାରା ଦେଉଛନ୍ତି ।

ଏନେଇ ଓଡିଶା ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ଆଗତ ହେବା ସହ ସବୁ ରାଜନୈତିକ ଦଳର ମୁଖ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନ ଏହି ପ୍ରସ୍ତାବକୁ ସମର୍ଥନ କରିବାକୁ ଅଭିଯାନ ଆରମ୍ଭ କରିଥିଲେ । ଏହି ନ୍ୟାୟରେ ସେ ନାରା ଦେଇଥିଲେ ଯେ, କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ କିମ୍ବା ଦେଶ ନାରୀ ସଶକ୍ତିକରଣ ବିନା ଆଗେଇ ପାରିବ ନାହିଁ ।

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ସଂସ୍ଥା ସଂସଦରେ ମଧ୍ୟ ମହିଳାଙ୍କ ଉପଯୁକ୍ତ ପ୍ରତିନିଧିତ୍ବ ନାହିଁ । 16ତମ ଲୋକସଭାରେ 543 ଜଣ ସାଂସଦଙ୍କ ମଧ୍ୟରେ 65 ଜଣ ମହିଳା ସାଂସଦ ଅର୍ଥାତ 11.9 ପ୍ରତିଶତ ମହିଳା ପ୍ରତିନିଧି । ସେହିଭଳି ରାଜ୍ୟ ସଭାରେ ମଧ୍ୟରେ ମହିଳାଙ୍କ ପ୍ରତିନିଧିତ୍ବ ହେଉଛି 11.47 ପ୍ରତିଶତ ଅର୍ଥାତ 244ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ 28ଜଣ ମହିଳା ।

2014 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ମହିଳା ସଂରକ୍ଷଣ ବିଲକୁ କାର୍ଯ୍ୟକାରୀ କରିବ ବୋଲି ଘୋଷଣା କରିଥିଲେ ବି ଏଯାଏଁ କାର୍ଯ୍ୟକାରୀ ହୋଇନି । ସେପଟେ ନବୀନଙ୍କ 33 ପ୍ରତିଶତ ମହିଳା ପ୍ରାର୍ଥୀ ଘୋଷଣାକୁ ସମର୍ଥନ କରି ଉଚ୍ଚ ପ୍ରଶଂସା କରିଛନ୍ତି ଆପ ବିଧାୟିକା ଅଳକା ଲାମ୍ବା । ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ନବୀନଙ୍କ ଏହି ସଂରକ୍ଷଣକୁ ପ୍ରଶଂସା କରିବା ସହ ସେ ଓଡିଶାର ଭୋଟର ହୋଇଥିଲେ ନବୀନଙ୍କ ଭୋଟ ଦେଇଥାନ୍ତେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − eleven =