ଝାରସୁଗୁଡା ବିଜେପିରେ ବିଦ୍ରୋହ

ମୁଣ୍ଡ ଟେକୁଛି ସମାନ୍ତରାଳ ସଂଗଠନ

ଭୁବନେଶ୍ବର () ଆସନ୍ତା 4 ତାରିଖରେ ଝାରସୁଗୁଡା ବିମାନବନ୍ଦରର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାର କାର୍ଯ୍ୟକ୍ରମ ରହିଛି । ଏ ସଂପର୍କରେ ସରକାରୀ ଭାବେ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନଥିଲେ ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ସୂଚନା ଦେଇ ଏକ ଚର୍ଚ୍ଚାର ବାତାବରଣ ସୃଷ୍ଟି କରିଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ବିଜେପି ଏହି କାର୍ଯ୍ୟକ୍ରମର ସମ୍ପର୍ଣ୍ଣ ଶ୍ରେୟ ନେବାକୁ ଚେଷ୍ଟା କରୁଛି । ହେଲେ ପ୍ରଧାନମନ୍ତ୍ରୀଙ୍କ ଆଗୁଆ ଗସ୍ତ ତାରିଖ ଘୋଷଣା କରି କେନ୍ଦ୍ରମନ୍ତ୍ରୀ ଦଳକୁ ଅଡୁଆ ସ୍ଥିତିକୁ ଠେଲି ଦେଇଛନ୍ତି । ମୋଦିଙ୍କ ଗସ୍ତ ଖବର ସହ ଝାରସୁଗୁଡା ବିଜେପିରେ ସ୍ଥାନୀୟ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବିରୋଧରେ ଦଳର 4ଜଣ ମହିଳା ନେତ୍ରୀ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଛନ୍ତି । ଫଳରେ ସ୍ଥିତି ସମ୍ଭାଳିବାକୁ ଏବେ ଦୁଇ କେନ୍ଦ୍ରମନ୍ତ୍ରୀ ଝାରସୁଗୁଡା ଗସ୍ତ କରିଥିବା ବେଳେ ବରିଷ୍ଠ ନେତା ସୁରେଶ ପୂଜାରୀ ସେଠାରେ କ୍ୟାମ୍ପ କରିଛନ୍ତି ।

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳିରୁ ବିଜେପିର ରାଧାରାଣୀ ପଣ୍ଡା ବିଧାୟିକା ଅଛନ୍ତି । ହେଲେ ନିଜ ନିର୍ବାଚନମଣ୍ଡଳୀରେ ଏବଂ ସାମଗ୍ରୀକ ଭାବେ ଜିଲ୍ଲାରେ ସେ ଦଳୀୟ ସଂଗଠନକୁ ସୁଦୃଢ କରିପାରିନାହାଁନ୍ତି । ଗତ ପଂଚାୟତ ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଥିଲା । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବ୍ଲକର ସୀମାନ୍ତବର୍ତ୍ତି କଣ୍ଡେଇକେଲା ଗାଁରେ ଗତ ପଂଚାୟତ ନିର୍ବାଚନ ସମୟରେ ପ୍ରଚାର କରିବାକୁ ଆସିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ । ରମଣ ସିଂହଙ୍କ ଏହି ସଭାକୁ 300ରୁ ବି କମ ଲୋକ ହୋଇଥିଲେ । ଯାହାକୁ ନେଇ ରାଧାରାଣୀଙ୍କ ସାଂଗଠନିକ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା । ରାଧାରାଣୀଙ୍କ ବିରୋଧରେ ଦଳ ମଧ୍ୟରେ ସବୁ ସମୟରେ ଅସନ୍ତୋଷ କୁହୁଳିଛି । ଏହାର ମୁଖ୍ୟ କାରଣ ହେଉଛି ତାଙ୍କ ଏକଚାଟିଆ କାରବାର ।

ନିକଟରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଝାରସୁଗୁଡା ଓଏମପିର ସବିତା ପ୍ରଧାନ, ରେଙ୍ଗାଲୀ ପଞ୍ଚଗାଁର ବିନୋଦିନୀ ପ୍ରଧାନ, ବ୍ରଜରାଜନଗର ଲମଟିବାହାଲର ମିକି ନାୟକ ଓ ବ୍ରଜରାଜନଗର ତେଲେନପାଲିର ସଙ୍ଗୀତା ସୁନାଙ୍କୁ ଦଳର ପ୍ରଥମିକ ସଦସ୍ୟ ପଦରୁ 6 ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ଏହି ନେତ୍ରୀମାନେ ଦଳର ନୀତି ଆଦର୍ଶକୁ ଉଲଂଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ରାଧାରାଣୀ କହିଛନ୍ତି । ତେବେ ଏହି ବିଦ୍ରୋହୀ ନେତାମାନେ ରାଧାରାଣୀ ଖୋଲା ଚ୍ୟାଲେଂଜ କରିଛନ୍ତି । ନିଲମ୍ବନ ଆଦେଶ ପ୍ରତ୍ୟାହାର ନହେଲେ ସେମାନେ ଦଳରେ ରହି ସମାନ୍ତରାଳ ସଂଗଠନର ଧମକ ଦେଇଛନ୍ତି । ଏଥିସହିତ ରାଧାରାଣୀଙ୍କୁ ସବୁ ଫୋରମରେ ବିରୋଧ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି ।

ରାଧାରାଣୀଙ୍କୁ ନିଜ ଦଳ ମଧ୍ୟରେ ଏଭଳି ବିରୋଧ ଯୋଗୁଁ ରାଜ୍ୟର ଶୀର୍ଷ ନେତାମାନେ ଆଉ ତାଙ୍କ ଉପରେ ଭରସା କରିପାରୁନାହାଁନ୍ତି । ଚର୍ଚ୍ଚା ହେଉଛି ଯେ, ବିଦ୍ରୋହୀ ଗୋଷ୍ଠିକୁ ବିଜେପିର ଆଉ ଏକ ଛାମୁଆ ଗୋଷ୍ଠି ପ୍ରୋତ୍ସାହିତ କରୁଛି । ଏହାକୁ ପ୍ରତିହତ କରାନଗଲେ ବିଜେପି ମୋଦି ଗସ୍ତରୁ ଯେଉଁ ଫାଇଦା ନେବାକୁ ଚେଷ୍ଟା କରୁଛି ତାହା ଫସର ଫାଟିଯିବ ବୋଲି ଚର୍ଚ୍ଚା ହେଉଛି । ତେଣୁ ସଲାସୁତୁରା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଘନଘନ ଝାରସୁଗୁଡା ଗସ୍ତ କରୁଥିବା ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

five − five =