ସଂଘ-ବିଜେପି-ରାମଦେବ ଚୁପ କାହିଁକି ?

ଭୁବନେଶ୍ବର (): ବହୁ ଚର୍ଚ୍ଚିତ ସମଲିଙ୍ଗୀ ଯୌନ କାରବାର ସମ୍ପର୍କରେ ସୁପ୍ରିମକୋର୍ଟ ତାଙ୍କ ରାୟ ପ୍ରକାଶ କରିଛନ୍ତି। ଏହି ରାୟକୁ  ରାଜନୈତିକ ଦଳ, ସାମାଜିକ ସଂଗଠନ, ଏପରିକି ବଲିଉଡର ନିର୍ମାତା, ଅଭିନେତାମାନେ ସ୍ୱାଗତ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ସମଲିଙ୍ଗୀ ଯୌନ କାରବାର ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇବା ପରେ ଏହାକୁ ସ୍ବାଗତ କିମ୍ବା ବିରୋଧ ନ କରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ-ବିଜେପି-ରାମଦେବ ଚୁପ ରହିଛନ୍ତି। ଏମାନଙ୍କର ଏହି ଅହେତୁକ ନୀରବତାକୁ ଲାଭ ଲୋଭରେ ଚୁପ ବୋଲି ଆଲୋଚନା ହେଉଛି।

୨୦୦୯ରେ ଦିଲ୍ଲୀ ହାଇ କୋର୍ଟ ସମଲିଙ୍ଗୀ ଯୌନ କାରବାରକୁ ଅପରାଧ ନୁହେଁ ବୋଲି କହିବା ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ୨୦୧୩ରେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଅବୈଧ ଘୋଷଣା କରିବା ପରେ ବାବା ରାମଦେବ ଟେଲିଭିଜନ ଆଲୋଚନାରେ ମୁଖର ହୋଇ ପଡିଥିଲେ। ତାଙ୍କ ମତରେ ସମଲିଙ୍ଗୀ ଯୌନ କାରବାର ଏକ ମାନସିକ ରୋଗ ବୋଲି କହିବା ସହିତ ଏହାର ଚିକିତ୍ସା କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। ଏହା ବଂଶାନୁଗତ ରୋଗ ନୁହେଁ। ଦେଶର ସମସ୍ତ କଂଗ୍ରେସ ନେତା ସମଲିଙ୍ଗୀ ଯୌନ ରୋଗରେ ପୀଡିତ ବୋଲି କହିବାକୁ ପଛାଇ ନଥିଲେ। ଏପରିକି ବାବା ରାମଦେବ ‘ସମଲିଙ୍ଗୀ’ ସମାଜକୁ ଯୋଗ କରି ଏଭଳି ମାନସିକତାରୁ ମୁକ୍ତି ପାଇବାକୁ ତାଙ୍କ ଆଶ୍ରମକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ସମଲିଙ୍ଗୀ ମାନେ ବୋଧହୁଏ ବାବା ରାମଦେବଙ୍କ ମାନସିକତାକୁ ପରିବର୍ତ୍ତନ କରିବାରେ ସଫଳ ହୋଇଛନ୍ତି। ଫଳରେ ସେ ଏହି ମାମଲାରେ ବିରୋଧ ପ୍ରକଟ ନକରି ଚୁପ ରହିବାକୁ ଉଚିତ୍ ମନେ କରିଛନ୍ତି।

ସମଲିଙ୍ଗୀ ଯୌନ କାରବାର ସମର୍ଥନରେ ପ୍ରଥମେ ୨୦୧୦ରେ ବିଜେପି ରାଜ୍ୟସଭା ସାଂସଦ ବି.ପି.ସିଂଘଲ ସମର୍ଥନ କରିଥିଲେ। ସେ ଏହାକୁ ବେଡରୁମ ସେକ୍ସ କହିବା ସହିତ ପ୍ରେମ ବୋଲି ନ କହିବାକୁ ଯୁକ୍ତି କରିଥିଲେ।

ସମଲିଙ୍ଗୀ ଯୌନ କାରବାରକୁ ବିରୋଧ କରି ଯେଉଁମାନେ ଦିଲ୍ଲୀ ହାଇପୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟକୁ ଯାଇଥିଲେ ସେମାନେ ୨୦୧୩ରେ ବିଜୟୀ ହୋଇଥିଲେ ହେଁ ୨୦୧୮ ବେଳକୁ ସେମାନଙ୍କୁ କୋର୍ଟରେ ଆଉ ଦେଖିବାକୁ ମିଳିନଥିଲା। ଏହାକୁ ବିରୋଧ କରୁଥିବା ମୁସଲିମ ଓ ହିନ୍ଦୁ ସଂଗଠନର ସଦସ୍ୟମାନେ ନିଜକୁ ଏହି ବିବାଦରୁ ଅଲଗା କରିନେଇଥିଲେ।

ସମଲିଙ୍ଗୀ ଯୌନ କାରବାରକୁ ବିରୋଧ କରୁଥିବା ଶାସକ ବିଜେପି ନେତାଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି। ୨୦୧୪ ନିର୍ବାଚନ ପୂର୍ବରୁ ବିଜେପି ସମଲିଙ୍ଗୀ କାରବାରକୁ ଅପରାଧ ଶ୍ରେଣୀଭୁକ୍ତ କରିବାକୁ ଦାବି କରୁଥିଲା। କିନ୍ତୁ ଏହା ଭିତରେ ମୋଦି ସରକାର ସଭଲିଙ୍ଗୀ ଯୌନ କାରବାର ସମ୍ପର୍କରେ ଚୁପ ରହିଛି। ଏସମ୍ପର୍କରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟଙ୍କ ବିଚାରପତିମାନଙ୍କ ଉପରେ ଛାଡିଦେଇଥିଲା। ବିଜେପିର ଧାର୍ମିକ ମୌଳବାଦ ଚିନ୍ତାଧାରା ମଧ୍ୟ ଏହାକୁ ବିରୋଧ କରିନାହିଁ।

ଶାସକ ବିଜେପିର ମୂଳ ସଂଗଠନ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମଧ୍ୟ ସମଲିଙ୍ଗୀ ଯୌନ କାରବାରକୁ ବିରୋଧ ନକରି ମଧ୍ୟମ ପନ୍ଥାକୁ ଅବଲମ୍ବନ କରିଛି। ସଂଘର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ୨୦୧୬ରେ ସମଲିଙ୍ଗୀ ଯୌନ କାରବାର ସମ୍ପର୍କରେ ମତଦେଇ କହିଥିଲେ, ଯୌନ କାରବାର ବ୍ୟକ୍ତିଗତ ମାମଲା। ଏହା ସମାଜର କୌଣସି ବ୍ୟକ୍ତିକୁ ଅସୁବିଧାରେ ନ ପକାଇଲେ ଏହାକୁ ଅସାମାଜିକ କାର୍ଯ୍ୟକଳାପ ବୋଲି କହିବା ଠିକ୍ ନୁହେଁ। ଗତ ଜୁଲାଇ ମାସରେ ସଂଘର ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ସମଲିଙ୍ଗୀ ଯୌନ କାରବାର ବ୍ୟକ୍ତିଗତ ମାମଲା ବୋଲି ବର୍ଣ୍ଣନା କରାଯାଇଥିଲା।

ସଂଘ-ବିଜେପି-ରାମଦେବ ସମଲିଙ୍ଗୀ ଯୌନ କାରବାରକୁ ହଠାତ୍ ବିରୋଧ ନକରିବା ପଛରେ ଯେଉଁ କାରଣ ରହିଛି ତାହା ହେଲା ‘ଲାଭର ଲୋଭ’। ଭାରତରେ ସମଲୀଙ୍ଗୀମାନଙ୍କର ସଂଖ୍ୟା ବହୁତ ରହିଛି। ସେମାନେ ଚାହିଲେ କୌଣସି ସରକାରର ନିର୍ବାଚନୀ ସଫଳତାକୁ ବିଫଳତାରେ ପରିଣତ କରିବା ସହିତ କୌଣସି ବ୍ୟାବସାୟିକ ସଂସାର ବ୍ୟବସାୟକୁ କ୍ଷତିରେ ପହଞ୍ଚାଇ ପାରିବେ। ଏହି କାରଣରୁ ଆଗକୁ ନିର୍ବାଚନ ଥିବାରୁ ସମଲିଙ୍ଗୀମାନଙ୍କର ରୋଷର ଶୀକାର ନ ହେବା ପାଇଁ ସଂଘ-ବିଜେପି ବିରୋଧ ନରି ନୀରବ ରହିବାକୁ ପସନ୍ଦ କରିଥିବାବେଳେ ବ୍ୟବସାୟ କରୁଥିବା ବାବା ରାମଦେବ ମଧ୍ୟ ବ୍ୟବସାୟରେ ଲାଭ ପାଇଁ ଚୁପ ରହିବାକୁ ଉଚିତ୍ ମନେ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

1 × two =