ହାଇଁପାଇଁ ହେଲେଣି ଦାମ

ଭୁବନେଶ୍ୱ : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ କାର୍ଯ୍ୟାଳୟ ବିରୋଧରେ ବିଷୋଦଗାର କରି ବିଜେଡିରୁ ବିଦା ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପରିବର୍ତ୍ତି ରାଜନୈତିକ ଦୃଶ୍ୟପଟରେ ପୂରା ପଟ୍ଟ ପରିବର୍ତ୍ତନ କରିଛନ୍ତି । ଶଙ୍ଖ ଛାଡି କିଛି ଦିନ ପଦ୍ମ ଧରିଲେ । ହେଲେ ସେଠାରେ ବି ତାଙ୍କ ବାଚାଳାମୀ କେହି ନଶୁଣିବାରୁ ଗୈରିକ ବସ୍ତ୍ର ଓହ୍ଲାଇ ଦେଇଛନ୍ତି । ଗୈରିକ ବସ୍ତ୍ର ଓହ୍ଲାଇ ଦେବା ପରେ ବୋଧହୁଏ ପୁଣି ଥରେ ତାଙ୍କ ମନ ଘର ଧରିଲାଣି । ଏହା ଆମେ କହୁନୁ, ସେ ଆଜି ଦେଇଥିବା ବୟାନରୁ ଏହାର ସଙ୍କେତ ମିଳୁଛି । ପୁଅ ବିଜେଡିରୁ ବିଧାୟକ ହୋଇଥିବାରୁ ତାଙ୍କ ସ୍ଥାନ ଦଳରେ ସୁରକ୍ଷିତ କରିବାକୁ କିମ୍ବା ଅନ୍ୟ କୌଣସି ରାଜନୈତିକ ଅଭିସନ୍ଧୀ ରଖି ଦାମବାବୁ ଏହା କରୁଛନ୍ତି, ତାହା କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇନି ।

ଏଇ ମାତ୍ର କିଛି ତଳେ ନବୀନଙ୍କୁ ଓଡିଶାରୁ ବିଦା କରିଦେବାର ଧମକ ଦେଉଥିବା ଦାମବାବୁ ଏବେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଢାଲ କରି ସେ କହିଛନ୍ତି ଯେ, ନବୀନ ହେଉଛି ରାଜ୍ୟର ସବୁଠାରୁ ଲୋକପ୍ରିୟ ନେତା । ଭାରତୀୟ ରାଜନୀତିରେ ଆଞ୍ଚଳିକ ଦଳଗୁଡିକ ସବୁବେଳେ ଲୋକପ୍ରିୟ । ଏହା ୧୯୫୨ ମସିହାରୁ ପ୍ରମାଣିତ ହୋଇଆସୁଛି, ଏବଂ ବିଜେପୁର ଉପନିର୍ବାଚନରେ ତାହା ପୁଣି ଥରେ ପ୍ରମାଣିତ ହୋଇଛି । ବିଜେପୁରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଲକ୍ଷେ ୩୫ ଭୋଟ ମିଳିବା ପ୍ରମାଣିତ କରୁଛି ଯେ, ଭୋଟର ଆଞ୍ଚଳିକ ଦଳକୁ ସମର୍ଥନ କରୁଛନ୍ତି । କେବଳ ବିଜେପୁର କାହିଁକି ପାଟକୁରାରେ ମଧ୍ୟ ବିଜେଡିକୁ ବହୁମତ ମିଳିଥିଲା ।

ଏଥିସହିତ ସେ କହିଛନ୍ତି ଯେ, ବିଜେଡି ଠାରୁ ଦୂରେଇ ନଥିଲେ । ମୋ କଥାକୁ ଠିକ ସେ ବୁଝିନପାରି ମୋତେ ଦଳରୁ ବାହାର କରାଯାଇଥିଲା । ମୁଁ ନେତାଙ୍କ ବିରୋଧରେ କହିନଥିଲି । ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିଲି । ତେଣୁ ବିଜେପିକୁ ଓଡିଶା ଭୋଟର ପସନ୍ଦ କରୁନାହାଁନ୍ତି ।

ଦାମଙ୍କ ଏଭଳି ୟୁ-ଟର୍ଣ୍ଣର କାରଣ ସ୍ପଷ୍ଟ ଜଣାପଡିନଥିଲେ ବି ଲାଗୁଛି, ସେ ଜଗତସିଂହପୁର ଜିଲ୍ଲାରେ ନିଜ ପୁଅର ରାଜନୈତିକ ଭବିଷ୍ୟତ ପାଇଁ ଚିନ୍ତିତ । ପାରାଦୀପରେ ଏବେ ତାଙ୍କର ପୁଅ ସମ୍ବିତ ରାଉତରାୟ ବିଜେଡି ବିଧାୟକ ଅଛନ୍ତି । ସେଠାରେ ବିଜେଡିରେ ପ୍ରଭାବଶାଳୀ ନେତା ବସନ୍ତ ବିଶ୍ୱାଳ, ସନ୍ତୋଷ ପଟ୍ଟନାୟକ ଓ ସେମାନଙ୍କ ସମର୍ଥକମାନେ ଏବେ ସମ୍ବିତଙ୍କୁ ତୀବ୍ର ବିରୋଧ କରୁଛନ୍ତି । ଏପରିକି ଗତ ୪ ଦିନ ତଳେ ବସନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ପାରାଦୀପର ବିଭିନ୍ନ ଓାର୍ଡରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ହୋଇଛି । ଯେଉଁଠି ସମ୍ବିତ କିମ୍ବା ତାଙ୍କ ସମର୍ଥକଙ୍କ ଦେଖା ମିଳିନଥିଲା ।

Share

Leave a Reply

Your email address will not be published. Required fields are marked *

2 × three =