ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ହେବ ଜନ୍ମ ମୃତ୍ୟୁର ଇ-ପଞ୍ଜିକରଣ

ଭୁବନେଶ୍ୱର () ଜନ୍ମ ମୃତ୍ୟୁର ଇ-ପଞ୍ଜିକରଣ କାର୍ଯ୍ୟ ଏଣିକି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାତକୁ ଆସିବ । ପୂର୍ବରୁ ଏହା ଗୃହ ନିର୍ମାଣ ଓ ନଗର ଉନ୍ନୟନ  ବିଭାଗ ନିକଟରେ ଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ୫-ଟି ସମୀକ୍ଷା ଅବସରରେ ଏହି ନିଷ୍ପତ୍ତି ହୋଇଛି । ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରୁ ଜଣାପଡିଛି ଯେ ଇ-ପଞ୍ଜିକରଣ ଲାଗି ଟିସିଏସ୍‍କୁ ବିସ୍ତୃତ ଯେଜାନା ପ୍ରସ୍ତୁତ ସହିତ ଇ-ମ୍ୟୁନିସିପାଲିଟି ସଫ୍ଟୱେର ଦେବାପାଇଁ କୁହାଯାଇଛି । ଏହି ପଞ୍ଜିକରଣ ନିମନ୍ତେ ୧୦୬ ଭିଏସ୍‍ କ୍ଲବକୁ ଶୀଘ୍ର ନିଯୁକ୍ତି ଦିଆଯିବ ।

ସେହିଭଳି ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାର ଗୁଣବତ୍ତା ସଂକ୍ରାନ୍ତରେ ଅନୁଧ୍ୟାନ ନିମନ୍ତେ ଏକ ନୂତନ ଏସ୍‍ଓପି ପ୍ରସ୍ତୁତ ହୋଇଛି । ଏଥିରେ ଅଧିକ ୮୪ଟି ୧୦୮ ଆମ୍ବୁଲାନ୍ସ ଚଳାଇବାର ବ୍ୟବସ୍ଥା କରାଯାଉଛି । ମୃତ ବ୍ୟକ୍ତିଙ୍କ ପରିବହନ ନିମନ୍ତେ ମହାପ୍ରୟାଣ ଯୋଜନାର ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ଅଣାଯାଇ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି । ଏହା ଉପରେ ମିଶନ ଶକ୍ତି କମିଶନର ମତାମତ ଦେବାପାଇଁ କୁହାଯାଇଥିଲା । ତାଙ୍କର ମତାମତ ମିଳିଛି ଓ ଏହାକୁ ସାଧାରଣ ପ୍ରଶାସନ ବିଭାକୁ ପଠାଯାଇଛି । ମାଗଣା ରୋଗ ନିରୂପଣ ବ୍ୟବସ୍ଥା, ଯନ୍ତ୍ରପାତିର ବ୍ୟବହାର ଓ ରକ୍ଷଣା ବେକ୍ଷଣ, ରୋଗୀମାନଙ୍କର ଅଭିଯୋଗ, ରୋଗୀଙ୍କୁ ରିପୋର୍ଟ ପ୍ରଦାନ ଆଦି ଅନୁଧ୍ୟାନ ପାଇଁ ନୂତନ ଜ୍ଞାନକୌଶଳ ବ୍ୟବହାର କରାଯାଉଛି । କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ସିଟି ହସ୍ପିଟାଲ କଟକ ଏବଂ ସିଟି ହସ୍ପିଟାଲ ବ୍ରହ୍ମପୁରରେ ଥିବା ସମସ୍ତ ଯନ୍ତ୍ରପାତିର ଯାଞ୍ଚ ସହିତ କଲ ସେଣ୍ଟର ବ୍ୟବସ୍ଥା ହୋଇସାରିଥିବାବେଳେ ଅନ୍ୟ ସମସ୍ତ ସରକାରୀ ଡାକ୍ତରଖାନା ଗୁଡିକର ଯାଞ୍ଚ ଓ କଲ ସେଣ୍ଟର ବ୍ୟବସ୍ଥା ଚଳିତବର୍ଷ ଶେଷସୁଦ୍ଧା ସମ୍ପୂର୍ଣ୍ଣ ହେବ । ବଡ ବଡ ସରକାରୀ ଡାକ୍ତରଖାନାରେ ମିଳୁଥିବା ସୁବିଧା ସୁଯୋଗରେ ଉନ୍ନତି ଆଣିବାପାଇଁ ବିଭାଗ ତରଫରୁ ଗଠିତ ଏକ ଦଳ ମାଡ୍ରାସ ମେଡିକାଲ କଲେଜ, ସିଏମ୍‍ସି ଭେଲୋର, ନାରାୟଣ ହୃଦଳାୟ ବେଙ୍ଗାଲୁର ଯାଇ ସେଠାରେ ପରୀକ୍ଷାଗାର, ସଫା ସୁତୁରା, ଖାଦ୍ୟ ଯୋଗାଣ ଏବଂ ଅନ୍ୟାନ୍ୟ ବିଶେଷଜ୍ଞ ସେବା ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି ।

ନିର୍ମଳ, ନିଦାନର ରିପୋର୍ଟ ସଂଗ୍ରହ, ପ୍ରଶାସନିକ ବ୍ୟବସ୍ଥାର ପୁର୍ନଗଠନ, କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟ ଗ୍ରାଜୁଏଟ ପ୍ରତିଷ୍ଠାନ କରିବାପାଇଁ ଆଲୋଚନା ହୋଇଛି । ସମସ୍ତ ରକ୍ତଭଣ୍ଡାରରେ ରକ୍ତର ଉପଲବ୍ଧି ସଂକ୍ରାନ୍ତରେ ସୂଚନା ଏବଂ ଏହାକୁ ଦୁର୍ନୀତିମୁକ୍ତ କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ସମ୍ପୃକ୍ତ ରକ୍ତଭଣ୍ଡାର ଗୁଡିକରେ ବ୍ଲଡବ୍ୟାଙ୍କ୍‍ ଅଧିକାରୀଙ୍କର ମୋବାଇଲ୍‍ ନମ୍ବର ଏବଂ ଉପଲବ୍ଧ ଥିବା ରକ୍ତର ସୂଚନା ପ୍ରଦର୍ଶିତ ହେଉଛି । ଡାକ୍ତରଖାନା ଗୁଡିକରେ ଥିବା ହେଲ୍ପ ଡେସ୍କକୁ ସ୍ୱାସ୍ଥ୍ୟ ମିତ୍ର / ଏସ୍‍ଏଚ୍‍ଜି ଗ୍ରୁପଙ୍କ ଦ୍ୱାରା ପରିଚାଳନା କରିବା ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ମିଶନ ଶକ୍ତି ନିର୍ଦ୍ଦେଶକଙ୍କୁ ପଠାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଗୋପବନ୍ଧୁ ପୁରସ୍କାର ସମ୍ପର୍କରେ ଆଲୋଚନା ହୋଇଥିଲା । ଆଇପିଏସ୍‍ ମାନ ଅନୁଯାୟୀ ପାରା ମେଡିକ୍‍ ନିଯୁକ୍ତି, ଡାକ୍ତରମାନଙ୍କର ଉପସ୍ଥାନ, ଜିଲ୍ଲାପାଳମାନଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଦିନରେ ସ୍ୱାସ୍ଥ୍ୟସେବା ସମୀକ୍ଷା ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୦୪ କଲସେଣ୍ଟର ମାଧ୍ୟମରେ ୧୮,୪୪୮ ଟି ଫୋନ୍‍ କଲ ବିଭାଗ ତରଫରୁ କରାଯାଇଥିବାବେଳେ ୭୧୨୪ ଟିରୁ ସଫଳତା ମିଳିଛି । ଆଜିର ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ମେଡିକାଲ ନିଗମର ଏମ୍‍ଡି ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକ ବୃନ୍ଦଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

16 + 17 =