ବିଜେପୁର ଆସନରୁ ଇସ୍ତଫା ଦେଲେ ନବୀନ

ବିଜେପୁରବାସୀଙ୍କ ଭଲ ପାଇବା ମତେ ଋଣୀ କରିଛି

ଭୁବନେଶ୍ୱର () ଖୁବଶୀଘ ବିଜେପୁରରେ ଆଉ ଏକ ଉପନିର୍ବାଚନ ହେବ । କାରଣ ନବୀନ ପଟନାୟକ ହିଂଜିଲି ଆସନକୁ ରଖି ବିଜେପୁରରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତାଫାପତ୍ରକୁ ଓଡିଶା ବିଧାନସଭାର ବାଚସ୍ପତିଙ୍କ ନିକଟକୁ ପଠାଇଦେଇଛନ୍ତି ।

ନିକଟରେ ଶେଷ ହୋଇଥିବା 2019 ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦୁଇଟି ଆସନରୁ ପ୍ରତିଦ୍ବନ୍ଦିତା  କରିଥିଲେ । ନିଜର ପାରମ୍ପାରିକ ହିଂଜିଲି ସହ ପଶ୍ଚିମ ଓଡିଶାବାସୀଙ୍କ ଅନୁରୋଧକୁ ରକ୍ଷାକରି ବିଜେପୁର ଆସନରୁ ମଧ୍ୟ ଲଢ଼ିଥିଲେ । ଦୁଇଟିଯାକ ଆସନରୁ ସେ ଜିତିଥିଲେ । ହିଂଜିଲିରୁ ପ୍ରାୟ 60ହଜାରରୁ ଅଧିକ ଭୋଟରେ ଏବଂ ବିଜେପୁରରୁ ପ୍ରାୟ 54 ହଜାରରୁ ଅଧିକ ଭୋଟରେ ଜିତିଥିଲେ ।

ନିର୍ବାଚନ ପରେ ସେ କେଉଁ ଆସନରୁ ଇସ୍ତଫା ଦେବେ ତାକୁ ନେଇ ଚର୍ଚା ଆରମ୍ଭ ହୋଇଥିଲା । ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ସେ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ ଏକ ପ୍ରେସ ଇସ୍ତାହାରରେ କହିଛନ୍ତି ଯେ ବିଜେପୁରବାସୀଙ୍କ ଭଲ ପାଇବା ତାଙ୍କୁ ୠଣୀ କରିଛି ।

ସେ କହିଛନ୍ତି ଯେ, 2018 ବିଜେପୁର ଉପନିର୍ବାଚନ ସମୟରେ ଆପନମାନଙ୍କ ଭଲ ପାଇବା ମତେ ଅଭିଭୂତ କରିଥିଲା । 2019 ସାଧାରଣ ନିର୍ବାଚନରେ ପଶ୍ଚିମ ଓଡିଶାରୁ ପ୍ରାର୍ଥୀ ହେବ ପାଇଁ ମତେ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଜେପୁରରୁ ପ୍ରାର୍ଥୀ ହେବା ପାଇଁ ମୁଁ ନିଷ୍ପତି ନେଲି । ଆପଣମାନଙ୍କ ଆଶୀର୍ବାଦ ଲାଭ କରିଥିଲି । ଆପଣମାନଙ୍କ ଭଲ ପାଇବା ମୋତେ ସବୁଦିନ ଋଣୀ ରଖିବ ।

ଏଥିସହ ସେ କହିଛନ୍ତି ଯେ, ଆପଣମାନଙ୍କୁ ଦେଇଥିବା କଥା ମୁଁ ସବୁବେଳେ ପାଳନ କରିଆସିଛି । ବିଜେପୁରର ବିକାଶ ମୋର ଦାଇତ୍ୱ ଏବଂ ଏଥିପାଇଁ ମୁଁ କାମ କରିଚାଲିବି । ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି ଓ ରହିଥିବି । ନୂଆ ଓଡିଶା ଓ ସମୃଦ୍ଧ ବିଜେପୁର ପାଇଁ ମୁଁ ଆପଣମାନଙ୍କ ସହଯୋଗ କାମନା କରୁଛି ।

Share

Leave a Reply

Your email address will not be published. Required fields are marked *

five × four =