ପୁଅ ବାଟରେ କଣ୍ଟା ହୋଇଛି ବାପା

ଭୁବନେଶ୍ବର () ସବୁ ବାପା ଚାହାଁନ୍ତି ନିଜ ପୁଅର ଭବିଷ୍ୟତ ଗଢିବା ପାଇଁ । ସେଥିପାଇଁ ସେମାନେ ନିଜର ସବୁ ସୁଖ, ଦୁଃଖ ଓ ସ୍ବାଭିମାନକୁ ବଳି ପକାଇଥାନ୍ତି । କିନ୍ତୁ ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କ କ୍ଷେତ୍ରରେ ଟିକେ ବ୍ୟତିକ୍ରମ ଦେଖିବାକୁ ମିଳୁଛି ।

ସେ ପୁଅର ରାଜନୈତିକ ଭବିଷ୍ୟତ ଗଢିବା ଅପେକ୍ଷା ନିଜର ଆତ୍ମଘୋଷିତ ପତିଆରା ଓ ସ୍ବାଭିମାନକୁ ଗୁରୁତ୍ବ ଦେଉଛନ୍ତି । ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ରାଉତ ନିଜ ପାଇଁ ଏକ ରାଜନୈତିକ ମଂଚ ଖୋଜୁଛନ୍ତି । ମିଳୁଥିବା ସୂଚନା ଅନୁଯାୟୀ ସେ ଏଭିତରେ ବିଜେଡିରୁ ବହିଷ୍କୃତ କିମ୍ବା ନିଲମ୍ବିତ ହୋଇଥିବା କିମ୍ବା ବିଜେଡି ଛାଡିଥିବା କିଛି ନେତାଙ୍କ ସହ ଯୋଗାଯୋଗ କରିଛନ୍ତି । ଦାମ ରାଉତ ସେମାନଙ୍କୁ ବିଜୁଙ୍କ ନାଁରେ ଆଉ ଏକ ଆଞ୍ଚଳିକ ଦଳ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ମିଳୁଥିବା ସୂଚନା ଅନୁଯାୟୀ କେବଳ ବୈଜୟନ୍ତ ପଣ୍ଡାଙ୍କୁ ଛାଡିଦେଲେ ଅନ୍ୟ କୌଣସି ନେତା ଦାମଙ୍କ ବିଚାର ସହ ଏକମତ ହେଉନାହାଁନ୍ତି ।

ଏହିଦୃଷ୍ଟିରୁ ଏବେ ଦାମ ରାଉତ ପ୍ରାପ୍ତ ବୟଷରେ ନିଜର ରାଜନୈତିକ ଭବିଷ୍ୟତ ସଜାଡିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଖୁବଶୀଘ୍ର ସେ କୁଜଙ୍ଗ ଅର୍ଥାତ ନିଜ ନିର୍ବାଚନମଣ୍ଡଳି ପାରାଦ୍ବୀପରେ ଏକ ଶକ୍ତି ପ୍ରଦର୍ଶନ ସମାବେଶ କରିବାକୁ ଯୋଜନା କରିଛନ୍ତି । ଗତକାଲି ଏହି ଯୋଜନାରେ ମଧ୍ୟ ସେ କୁଜଙ୍ଗ ଗସ୍ତ କରିଥିଲେ । ସେଠାରେ ସେ ନିଜର କିଛି ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ ସମାବେଶ ସଂପର୍କରେ ଆଲୋଚନା କରିଛନ୍ତି । ସେହି ସମାବେଶରେ ହିଁ ସେ 2019 ପାଇଁ କି ରାଜନୈତିକ ନିଷ୍ପତ୍ତି ନେବେ ତାହା ସ୍ଥିର କରିବେ । କିନ୍ତୁ ମିଳୁଥିବା ସୂଚନା ଅନୁଯାୟୀ ସେ ପାରାଦ୍ବୀପରୁ ହିଁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା ହେବେ । ଏକଥା ସେ ନିଜେ ପୂର୍ବରୁ ଘୋଷଣା କରିସାରିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଦାମ ରାଉତ 72 ବର୍ଷ ବୟଷରେ ନିଜର ରାଜନୈତିକ ଭବିଷ୍ୟତ ପୁଣି ଥରେ ଗଢିବାକୁ ଚିନ୍ତା କରୁଥିବା ବେଳେ ପୁଅ ସମ୍ବିତ ରାଉତଙ୍କ କଥା ଭୁଲିଯାଉଛନ୍ତି । ସେ ମନ୍ତ୍ରୀମଣ୍ଡଳରୁ ବିଦା ହେବା ପରେ ଏବଂ ଦଳୀୟ ପଦପଦବୀରୁ ହଟିବା ପରେ ତାଙ୍କ ପୁଅ ସମ୍ବିତ ବିଜେଡିରେ ସକ୍ରିୟ ହୋଇଥିଲେ । ତାଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସହ ନବୀନ ନିବାସରେ ମଧ୍ୟ ଦେଖିବାକୁ ମିଳୁଥିଲା । ଏପରିକି ସମ୍ବିତ ପାରାଦ୍ବୀପର ବିଭିନ୍ନ ସ୍ଥାନରେ ଦାମଙ୍କ ପ୍ରୋତ୍ସାହନରେ ବିଭିନ୍ନ ସଭାସମିତି କରିଥିଲେ । ଦାମ ରାଉତ ବିଜେଡିରୁ ବହିଷ୍କୃତ ହୋଇସାରିଥିଲେ ବି ସମ୍ବିତ ଏବେ ବି ବିଜେଡିରେ ଅଛନ୍ତି । ଚର୍ଚ୍ଚା ହେଉଛି ସମ୍ବିତଙ୍କୁ ବିଜେଡି ପାରାଦ୍ବୀପରୁ ପ୍ରାର୍ଥୀ କରିବ ।

କିନ୍ତୁ ଦାମ ରାଉତ ଯେଉଁ ରାଜନୈତିକ ଆଭିମୁଖ୍ୟ ଏବଂ ଉଚ୍ଚାଭିଳାଷ ରଖିଛନ୍ତି, ସେଥିରେ ତାଙ୍କ ପୁଅ ସମ୍ବିତଙ୍କ ରାଜନୈତିକ ଭବିଷ୍ୟତ ତିଆରି ହେବା ପୂର୍ବରୁ ଭାଙ୍ଗି ଧୂଳିସାତ ହୋଇଯିବା ଭଳି ଲାଗୁଛି । ଗୋଟେପଟେ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ବିଜୟଶ୍ରୀ ରାଉତରାୟଙ୍କ ଭଳି ବୟୋଜ୍ୟେଷ୍ଠ ନେତାମାନେ 2019ରେ ନିଜେ ପ୍ରତ୍ୟକ୍ଷ ନିର୍ବାଚନରୁ ଓହରିଯାଇ ତାଙ୍କ ପୁଅଙ୍କୁ ରାଜନୀତିରେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରୁଛନ୍ତି । ସେହିପରି କଂଗ୍ରେସରେ ମଧ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବି ନିଜ ପୁଅକୁ ରାଜନୀତିରେ ତାଙ୍କ ସ୍ଥାନରେ ଥଇଥାନ କରିବାକୁ ଯୋଜନା କରୁଛନ୍ତି । ପୂର୍ବରୁ ପ୍ରଫୁଲ୍ଲ ଘଡେଇ ନିଜ ପୁଅ ପ୍ରିତିରଂଜନ ଘଡାଇଙ୍କ ପାଇଁ ପ୍ରତ୍ୟକ୍ଷ ନିର୍ବାଚନରୁ ଓହରି ଯାଇଛନ୍ତି । କଳ୍ପତରୁ ଦାସ ମଧ୍ୟ ନିଜ ପୁଅ ପାଇଁ ଧର୍ମଶାଳା ଆସନ ଛାଡିଦେଇଥିଲେ । ଏମିତି ପୁଅ ପାଇଁ ବାପାଙ୍କ ବଳିଦାନର ଅନେକ ନଜିର ରହିଛି । କିନ୍ତୁ ଦାମ ରାଉତ ନିଜର ଆତ୍ମଘୋଷିତ ଲୋକପ୍ରିୟତା, ଗ୍ରହଣୀୟତା ଏବଂ ଅଭିମାନ ପାଇଁ ପୁଅର ରାଜନୈତିକ ଭବିଷ୍ୟତ ତିଆରି କରିବାକୁ ଚାହୁଁନାହାଁନ୍ତି ।

ନିଜେ ଦଳ ବିରୋଧୀ କାର୍ଯ୍ୟ କରି ବିଜେଡିରୁ ବହିଷ୍କୃତ ହେଲେ । କିନ୍ତୁ ତାଙ୍କ ପୁଅ ତ ବିଜେଡିରେ ରହିଛନ୍ତି, ତାଙ୍କ ଉତ୍ତରାଧିକାରୀ ଭାବେ ପାରାଦ୍ବୀପରୁ ବିଜେଡି ଟିକେଟରେ କିଭଳି ଲଢି ବିଧାନସଭାରେ ପାଦ ଦେବେ ସେ କଥା ଚିନ୍ତା କରିବା ପରିବର୍ତ୍ତେ, ନିଜେ କେମିତି ଆଉ ଥରେ ବିଧାୟକ ହେବେ ସେଇ ଚିନ୍ତାରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − eight =