ଗାଁ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ସମରସଜ୍ଜା

ଭୁବନେଶ୍ୱର : ପଞ୍ଚାୟତ ନିର୍ବଚନ ଠିକଣା ସମୟରେ ହେବାନେି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଘୋଷଣା କରିବାପରେ ଏବେ ଗାଁ ଗାଁରେ ରାଜନୀତି ବିଗୁଲ ବାଜିବା ସହିତ ରାଜ୍ୟର ତିନି ପ୍ରମୁଖ ଦଳର ନେତା ଡେରା ପକାଇବା ଆରମ୍ଭ କରିଛନ୍ତି । ଅବଶ୍ୟ ଏ କ୍ଷେତ୍ରରେ କଂଗ୍ରେସ ଠାରୁ ବିଜେପି ଓ ବିଜେଡି ଢେର ଆଗରେ ଅଛନ୍ତି ।

ରାଜନୀତିର ଅସଲ ମଇଦାନ କୁହାଯାଉଥିବା ପଞ୍ଚାୟତକୁ ହାତେଇବାପାଇଁ ଏବେ ବିଜେପି ଓ ବିଜେଡି ରଣନୀତି ପ୍ରସ୍ତୁତ ସହିତ ନିଜ ନିଜ ସେନାପତିଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇବା ଆରମ୍ଭ କରିଛନ୍ତି । ତେବେ ଏହି ସେନାପତିମାନଙ୍କ ମଧ୍ୟରୁ ଅଧିକାଂଶ ନିଯୁକ୍ତ ଯୁଦ୍ଧକ୍ଷେତ୍ର ସଂକ୍ରାନ୍ତରେ ଅଜଣା ଥିବାରୁ କିଭଳି ଗୋଟି ଚଳାଇବେ ତାହା ଜାଣିପାରୁ ନାହାନ୍ତି । ଏପରିକି କେଉଁଠି ରହିବେ, କ’ଣ ଖାଇବେ, କାହା ସହିତ କିଭଳି କଥାବର୍ତ୍ତା କରିବେ, ସ୍ଥାନୀୟ ସମସ୍ୟା ସବୁ କ’ଣ ରହିଛି ତାହା ଚିନ୍ତା କଲାବେଳକୁ ଅନେକଙ୍କ ମୁଣ୍ଡ ଘୂରେଇ ଦେଉଛି ।

ତେବେ ୨୦୨୨ ର ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ଫଳାଫଳର ତାତି ଥମିବା ପରେ ପରେ ଆରମ୍ଭ ହୋଇଯିବ ୨୦୨୪ ର ସାଧାରଣ ନିର୍ବାଚନ ପ୍ରସ୍ତୁତି । ଯାହା ସୂଚନା ମିଳୁଛି ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ପୌର ନିର୍ବାଚନ ଓ ଏହା ପରେ ପରେ ଯେକୌଣସି ସମୟରେ ସମବାୟ ନିର୍ବାଚନ ହୋଇପାରେ । କାରଣ ସାଧରଣ ନିର୍ବାଚନକୁ ଯିବା ପୂର୍ବରୁ ନିର୍ବାଚନ ନକରିବାର ଅପବାଦ ମୁଣ୍ଡାଇବାକୁ ସରକାର ଚାହୁଁ ନାହାନ୍ତି । ଯଦି ଏହି ଦୁଇ ନିର୍ବାଚନ ହେଲା ତେବେ ଏଥିପାଇଁ ବି ସବୁ ଦଳର ନେତାଙ୍କୁ ଜବରଦସ୍ତ କସରତ କରିବାକୁ ପଡିବ । କାରଣ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଏକ ପ୍ରକାର ସେମିଫାଇନାଲ ।

ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଆକସ୍ମିକ ଭାବେ ୧୦ଟି ଜିଲ୍ଲାପରିଷଦ ହାତେଇ ବିଜେଡିକୁ ଏକ ପ୍ରକାର ଚକ୍‍ମା ଦେଇଥିଲା । ତେଣୁ ଏଥର ଯେମିତି ସେଭଳି ଅବସ୍ଥା ନଉପୁଜେ ତାହା ଉପରେ ବିଜେପି ସତର୍କ ଦୃଷ୍ଟି ରଖିଛି । ବିଶେଷକରି ଗତ ନିର୍ବାଚନରେ ଯେଉଁ ଜିଲ୍ଲାଗୁଡିକୁ ବଜେପି ହାତେଇ ନେଇଥିଲା ସେଗୁଡିକ ଯେଭଳି ଆଉ ବିଜେପି ଖାତାକୁ ନଯାଏ ତାହା ଉପରେ ବିଜେଡି ସତର୍କ ଦୃଷ୍ଟି ରଖିଛି । ତେବେ ପଶ୍ଚିମଓଡିଶା ସମେତ ସୀମାନ୍ତବର୍ତ୍ତୀ ଜିଲ୍ଲା ମୟୁରଭଞ୍ଜ ଉପରେ ବିଜେଡି ଅଧିକ ଫୋକସ କରୁଛି । କାରଣ ପଶ୍ଚିମଓଡିଶାରେ ବିଜେପିର ଛଅ ଜଣ ସାଂସଦ ଥିବାବେଳେ ମୟୁରଭଞ୍ଜରେ ବିଜେପିର ସାଂସଦ ଓ ବିଧାୟକ ଅଛନ୍ତି । ଅନୁରୂପ ଅବସ୍ଥା ମଧ୍ୟ ବାଲେଶ୍ୱରରେ ରହିଛି । ଉପକୂଳ ଓଡିଶାରେ ବିଜେଡି ଗଡ ସୁଦୃଢ ରହିଛି । ଭଦ୍ରକ ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ପ୍ରତି ଜିଲ୍ଲାରେ ବିଜେଡି ସୁବିଧା ସ୍ଥିତିରେ ଥିବାରୁ ଦଳ ଏବେ ପଶ୍ଚିମଓଡିଶା ଉପରେ ଫୋକସ କରୁଛି ।

ତେବେ ବିଜେପି ଓ ବିଜେଡିର ସେନାପତିମାନେ ଗାଁ ଗହଳର ନିଜର ଦୁର୍ଗରକ୍ଷା ପାଇଁ ଘରଭଡା ଖୋଜୁଥିବାବେଳେ କଂଗ୍ରେସ କିନ୍ତୁ ରାଜଧାନୀରେ ପାଗ ଭିଡୁଛି । ଦୈନିକ ସାମ୍ବାଦିକ ସମ୍ମିଳନୀ ସହିତ ଦୁଇ ଦଳକୁ କିଭଳି ମୁକାବିଲା କରିବ ଓ ନିଜ ନିଜ ଦଳର କର୍ମୀଙ୍କ ମନୋବଳ ବଢାଇବ ସେଥିପାଇଁ ରଣନୀତି ପ୍ରସ୍ତୁତ କରୁଛି । ତେବେ ଦୁଇଦଳ ଯେଭଳି ନିଜ ନିଜର ସମରସଜ୍ଜା କରୁଛନ୍ତି ସେଥିରେ କଂଗ୍ରେସ ଯାଇ ଗାଁ ପହଞ୍ଚିଲା ବେଳକୁ କର୍ମୀମାନେ ଅନ୍ୟପଟୁ ଡିଆଁମାରି ପଳାଇଥିବେ ବୋଲି ଖୋଦ କିଛି କଂଗ୍ରେସ କର୍ମୀ ମତ ଦେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

11 + one =