କଲ୍ୟାଣମୂଳକ ଯୋଜନାକୁ ଫୋକସ

8126 କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ

ଭୁବନେଶ୍ବର () 2019-20 ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଆଜି 8126 କୋଟି 32 ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଛନ୍ତି । ବିଧାନସଭାରେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ନାରାବାଜୀ ଓ ଧାରଣା ମଧ୍ୟରେ ଅର୍ଥମନ୍ତ୍ରୀ ଏହି ବଜେଟ ଆଗତ କରିଛନ୍ତି । ମୂଳ ବଜେଟର ଆକାର 1 ଲକ୍ଷ 39 ହଜାର କୋଟି ଟଙ୍କା ଥିବା ବେଳେ ଅତିରିକ୍ତ ବଜେଟରେ ଆଉ 8ହଜାର 126 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିରେ ମୁଖ୍ୟତଃ କଲ୍ୟାଣମୂଳକ ଯୋଜନାକୁ ଫୋକସ ଦିଆଯାଇଛି ।

ତେବେ ରାଜ୍ୟ ସରକାର ସପ୍ତମ ବେତନ କମିଶନ ବକେୟା ବାବଦ 60 ପ୍ରତିଶତ ପ୍ରଦାନ ନେଇ ସ୍ପଷ୍ଟ କରିନାହାଁନ୍ତି ସରକାର। ଅତିରିକ୍ତ ବଜେଟରେ ମଧ୍ୟ ଏନେଇ ବ୍ୟବସ୍ଥା ନାହିଁ। ସରକାର ଏଯାଏ ନିଷ୍ପତ୍ତି ନେଇ ନାହାଁନ୍ତି। ଯଦି ପରବର୍ତ୍ତି ସମୟରେ ସରକାର ନିଷ୍ପତ୍ତି ନିଅନ୍ତି ତେବେ ପ୍ରଶାସନିକ ଖର୍ଚ୍ଚ ବାବଦ ଅର୍ଥରୁ ତାହା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି ।

ସେହିଭଳି ସେପ୍ଟେମ୍ବର ସୁଦ୍ଧା ଋଣ ପରିମାଣ 83 ହଜାର 307 କୋଟି ଛୁଇଁଛି ବୋଲି ସେ ସୂଚନା ଦେଇଛନ୍ତି। ଏହା ମୋଟ ଘରୋଇ ଉତ୍ପାଦର 15 ପ୍ରତିଶତ ବୋଲି କହିଛନ୍ତି ଅର୍ଥ ସଚିବ। ଏବର୍ଷ 3 ହଜାର 500 କୋଟି ଟଙ୍କାର ଋଣ ଖୋଲା ବଜାରରୁ ଆସୁଥିବା ସେ କହିଛନ୍ତି । ମୂଳ ବଜେଟରେ ବିଭିନ୍ନ ବିଭାଗ ପାଇଁ ହୋଇଥିବା ବ୍ୟୟ ବରାଦରୁ 4ହଜାର 144 କୋଟି 50 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନି । ସେଅର୍ଥକୁ ବିଭାଗମାନେ ଫେରାଇ ଦେଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ଅତିରିକ୍ତ ବଜେଟରେ କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ 527 କୋଟି 40 ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା ବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ବାବଦରେ 190 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଟଙ୍କିକିଆ ଚାଉଳ ଯୋଗାଣ ପାଇଁ 185 କୋଟି 52 ଲକ୍ଷ ଟଙ୍କା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବାବଦ 120 କୋଟି 28 ଲକ୍ଷ ଟଙ୍କା, ସାମାଜିକ ନିରାପତ୍ତା ପାଇଁ 459 କୋଟି ଟଙ୍କା, ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ 370 କୋଟି ଟଙ୍କା, ନିର୍ମାଲ୍ୟ ଯୋଜନା ପାଇଁ 15 କୋଟି ଟଙ୍କା, ମହିଳା ଓ ଶିଶୁ ବିକାଶର ସଶକ୍ତିକରଣ ପାଇଁ 260 କୋଟି 90 ଲକ୍ଷ ଟଙ୍କା, ପୋଷଣ ଯୋଜନା ପାଇଁ 190 କୋଟି 28 ଲକ୍ଷ ଟଙ୍କା, ଅନୁସୂଚିତ ଜାତି ଜନଜାତି କଲ୍ୟାଣ ପାଇଁ 114 କୋଟି 70 ଲକ୍ଷ, ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ 1073 କୋଟି, ସମଗ୍ର ଶିକ୍ଷା ପାଇଁ 799 କୋଟି, ଗ୍ରାମ୍ୟ ଉନ୍ନୟନ ପାିଁ 948 କୋଟି 55 ଲକ୍ଷ ଟଙ୍କା, ସହରାଞ୍ଚଳ ଉନ୍ନୟନ ପାଇଁ 416 କୋଟି 83 ଲକ୍ଷ ଟଙ୍କା ଏବଂ ଭିତ୍ତିଭୂମୀ ବିକାଶ ଓ ଶିଳ୍ପ କ୍ଷେତ୍ରକୁ ଏକୀକୃତ କରି ମୋଟ 2623 କୋଟି 35 ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

20 − 2 =