ମହିଳାଙ୍କ ପାଇଁ କଂଗ୍ରେସର କୁମ୍ଭୀର କାନ୍ଦଣା : ବିଜେଡି

ଭୁବନେଶ୍ବର () ମହିଳା ସଶକ୍ତିକରଣ ଏବଂ ସେମାନଙ୍କ ସୁରକ୍ଷା ନେଇ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି । ଆଜି ବିଜେଡି କଂଗ୍ରେସର ପ୍ରାର୍ଥୀ ତାଲିକାର ଉଦାହାରଣ ଦେଇ ଏଭଳି ଅଭିଯୋଗ କରିଛି ।

ଦଳର ପ୍ରଥମ 6ଟି ଲୋକସଭା ଏବଂ 36ଟି ବିଧାନସଭା ତାଲିକାରେ ମାତ୍ର ଜଣେ ମହିଳାଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଦଳ ପ୍ରମାଣିତ କରିଛି ଯେ, ମହିଳାଙ୍କ ସ୍ବାର୍ଥ ରକ୍ଷା ଓ ସଶକ୍ତିକରଣ ପାଇଁ ଦଳର କୌଣସି ଆନ୍ତରିକତା ନାହିଁ । ମାତ୍ର ସପ୍ତାହକ ତଳେ ମାର୍ଚ୍ଚ 13 ତାରିଖରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ଏଥର ଦଳ ଅଧିକ ମହିଳାଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇବ । ତାଙ୍କ ଘୋଷଣା ଓ କାର୍ଯ୍ୟରେ ଥିବା ଫରକ ପ୍ରାର୍ଥୀ ତାଲିକାରୁ ପ୍ରମାଣିତ ହେଉଛି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

ଦେଢ ଶହ ବର୍ଷର ଦେଶର ଏହି ସର୍ବପୂରାତନ ଦଳ ନିଜର 42 ଜଣିଆ ପ୍ରାର୍ଥୀ ତାଲିକାରେ ମାତ୍ର ଜଣେ ଯୋଗ୍ୟ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ପାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଦଳ ସବୁ ବେଳେ ନାରୀ ସୁରକ୍ଷା, ସଚେତନତା, ସଶକ୍ତିକରଣ କଥା କହୁଥିବା ବେଳେ କାର୍ଯ୍ୟରେ କିନ୍ତୁ ବିପରିତ । ଅନ୍ୟ ଅର୍ଥରେ କହିବାକୁ ଗଲେ କଂଗ୍ରେସ ଦଳ ମହିଳାଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି । ସେପଟେ ବିଜେଡି ସଭାପତି ନିଜ ପ୍ରତିଶୃତି ମୁତାବକ ଲୋକସଭାରେ 33 ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two + 12 =