ବିହାର, ମଧ୍ୟପ୍ରଦେଶରୁ ହିଂସା ସଂସ୍କୃତି ଆପଣେଇଛନ୍ତି ବିଜେପି ନେତା

ଭୁବନେଶ୍ୱର (): ଓଡ଼ିଶାରେ ନିର୍ବାଚନୀ ହିଂସା ଭିଆଇବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରକୁ ସିଧାସଳଖ ଅଙ୍ଗୁଳି ଉଠାଇଛି ବିଜୁ ଜନତା ଦଳ । ବିଜେଡ଼ିକୁ ବଦନାମ କରିବା ଚାଲ୍ ରଖି ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ହିଂସାର ଆଶ୍ରୟ ନେଇଛି । ବିହାର ଏବଂ ମଧ୍ୟପ୍ରଦେଶ ଢ଼ାଞ୍ଚାରେ ଓଡ଼ିଶାରେ ହିଂସା ସଂଗଠିତ କରାଯାଉଛି । ସେହି ଦୁଇଟି ରାଜ୍ୟରୁ ଶ୍ରୀ ପ୍ରଧାନ ରାଜ୍ୟସଭାକୁ ଯାଇଥିବାରୁ ସେଠାରୁ ହିଂସାକାଣ୍ଡର କଳା ଆପଣାଇ ଓଡ଼ିଶାରେ ପ୍ରୟୋଗ କରିଛନ୍ତି । ଓଡ଼ିଶାର ଶାନ୍ତିପ୍ରିୟ ପରିବେଶକୁ ନଷ୍ଟଭ୍ରଷ୍ଟ କରିବାକୁ ସେ ଯୋଜନା କରିଥିବା ବିଜେଡ଼ି ପକ୍ଷରୁ କୁହାଯାଇଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଲିନ ମହାନ୍ତି, ଡ. ସସ୍ମିତ୍ ପାତ୍ର ଏବଂ ସୁଲତା ଦେଓ ଏହି ଗୁମର ଖୋଲିଛନ୍ତି । ଶ୍ରୀ ପ୍ରଧାନ ନିଜେ କୋଉଭଳି ଉଗ୍ର ହୋଇଛନ୍ତି ତାହା ତାଙ୍କ ଆଚରଣ ଓ ବକ୍ତବ୍ୟରୁ ଯେ କେହି ଜାଣିପାରିବେ । ନିର୍ବାଚନ ଗାଇଡଲାଇନ୍ ଅନୁଯାୟୀ ତାଙ୍କ ସୁଟକେଶ୍ ଚେକିଂ କରିବାକୁ ଯାଇଥିବା ଅଧିକାରୀମାନଙ୍କୁ  ବାଧା ଦେବା ଏବଂ ଦୁର୍ବବ୍ୟବହାର ପ୍ରଦର୍ଶନ କରିବାର ଭିଡ଼ିଓ ସମସ୍ତେ ଦେଖିଛନ୍ତି । ସେହି ସୁଟକେଶ୍ରେ ଏମିତି କ’ଣ ଥିଲା ଯେ କେନ୍ଦ୍ରମନ୍ତ୍ରୀ ବ୍ୟସ୍ତ ବିବ୍ରତ ହୋଇ ରାଗି ପାଚି ଲାଲ ହୋଇଗଲେ ତାହା ସନ୍ଦେହ ସୃଷ୍ଟି କରିଛି । ଶ୍ରୀ ପ୍ରଧାନଙ୍କର ଏଭଳି ଆଚରଣ ନୂଆ ନୁହେଁ । ଦୁର୍ନୀତି ଏବଂ ଅପରାଧିକ ବ୍ୟକ୍ତିଙ୍କ ସହ ତାଙ୍କର ସମ୍ପର୍କର ଲମ୍ବା ଇତିହାସ ରହିଛି । ବ୍ୟାପମ୍ ସ୍କାମ୍ର ମୁଖ୍ୟ ଖଳନାୟକ ସୁଧୀର ଶର୍ମାଙ୍କ ଠାରୁ ସେ ପ୍ଲେନ୍ ଟିକେଟ ନେଇଥିବା ସ୍ପଷ୍ଟ ହୋଇସାରିଛି । ବ୍ୟାପମ୍ ସ୍କାମ୍ରେ ଶ୍ରୀ ପ୍ରଧାନ କ’ଣ ଫାଇଦା ପାଇଛନ୍ତି ଓଡ଼ିଶାବାସୀଙ୍କୁ ଜଣାଇବା ଉଚିତ ।

ସେହିଭଳି କୋଇଲା ଦୁର୍ନୀତିରେ ତାଙ୍କର ସଂପୃକ୍ତି ବିଷୟ ପୂର୍ବତନ କୋଇଲା ସଚିବ ପି.ସି.ପାରେଖ ତାଙ୍କ ବହି ‘କ୍ରୁସେଡର ଅର କନ୍ସପିରେଟର?: କୋଲଗେଟ ଆଣ୍ଡ ଅଦର ଟ୍ରୁଥସ୍’ରେ ଉଲ୍ଲେଖ କରିଛନ୍ତି । କୋଇଲା ଆବଣ୍ଟନରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଫାଇଦା ଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନ କିଭଳି ଚାପ ପକାଇଥିଲେ ସେହି ବହିରେ ଗୁମର ଖୋଲିଛନ୍ତି ଶ୍ରୀ ପାରେଖ । ବିଜେଡ଼ି ନେତାମାନେ ପ୍ରଶ୍ନ କରିଛନ୍ତି, ଢ଼େଙ୍କାନାଳରେ କୋଇଲା ମାଫିଆ କିଏ ତାହା ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ କରନ୍ତୁ । ଏ ପ୍ରସଙ୍ଗରେ ତାଙ୍କର ଅନେକ ବକ୍ତବ୍ୟ ଆସୁଛି । ତେବେ ସେ ନିଜେ ସେହି ଅଞ୍ଚଳର ହୋଇଥିବାରୁ ତାଙ୍କ ମୁହଁରୁ ଢ଼େଙ୍କାନାଳ ଓ ଓଡ଼ିଶାବାସୀ ସତ ଜାଣିବାକୁ ଚାହୁଁଛନ୍ତି ।

ଏଥିସହ ଧର୍ମେନ୍ଦ୍ର ପ୍ରଧାନଙ୍କର ଅନେକ ଅପରାଧିକ ସଂପୃକ୍ତିର ତାଲିକା ରଖି ବିଜେଡ଼ି ତାଙ୍କଠାରୁ  ଜବାବ ମାଗିଛି । ଗ୍ୟାଙ୍ଗଷ୍ଟର୍ ଟିଟୋ ନାଁରେ କ’ଣ ପାଇଁ ସେ ଦୁଇଟି ପେଟ୍ରୋଲ୍ ପମ୍ପ ଆବଣ୍ଟନ କରିଥିଲେ । ଟିଟୋ ତାଙ୍କ ପାଇଁ ଏମିତି କ’ଣ କରିଥିଲେ ଯେ କେନ୍ଦ୍ରମନ୍ତ୍ରୀ ଖୁସି ହୋଇ ଦୁଇ ଦୁଇଟି ପେଟ୍ରୋଲ୍ ପମ୍ପ ଆବଣ୍ଟନ କଲେ? ଧର୍ମେନ୍ଦ୍ର ପ୍ରଧାନ ଏହାର ଉତ୍ତର ଦିଅନ୍ତୁ ।

ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାରୀମାନେ ଉତ୍ତରାଖଣ୍ଡର ଏକ ଗେଷ୍ଟ ହାଉସ୍ରୁ ଗିରଫ ହୋଇଥିଲେ । ହତ୍ୟାକାରୀମାନେ ରହୁଥିବା ରୁମ୍ଟି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ବୁକ୍ ହୋଇଥିବା କୁହାଯାଉଛି । ସେହି କେନ୍ଦ୍ରମନ୍ତ୍ରୀ ଜଣଙ୍କ କିଏ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ କରିବା ଦରକାର । ଏଲପିଜି ବ୍ଲାକ୍ ମାର୍କେଟିଂ କାରବାରରେ ଲିପ୍ତ ଥିବା ଧର୍ମେନ୍ଦ୍ରଙ୍କ ଭାଇଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ତାଙ୍କ ନିର୍ଦ୍ଦେଶରେ ଭାଇ କାର୍ଯ୍ୟ କରୁଥିଲେ ନା ନାହିଁ ଶ୍ରୀ ପ୍ରଧାନ ସ୍ପଷ୍ଟ କରନ୍ତୁ । ବିଜେପୁର ଉପନିର୍ବାଚନ ବେଳେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ଉପରେ ଆକ୍ରମଣ ଓ ଜଣେ ବିଜେଡ଼ି କର୍ମୀଙ୍କୁ ହତ୍ୟା କରାଯିବା ଘଟଣାରେ କିଛି ବିଜେପି ନେତା ଗିରଫ ହୋଇ ଜେଲ୍ ଗଲେ । ଏହି ସମୁଦାୟ ଘଟଣାରେ ବିଜେପିର ଭୂମିକା କ’ଣ ଥିଲା ଶ୍ରୀ ପ୍ରଧାନ ସ୍ପଷ୍ଟ କରନ୍ତୁ । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ଜଣେ ପେଟ୍ରୋଲ୍ ପମ୍ପ ମାଲିକ ଧର୍ମେନ୍ଦ୍ରଙ୍କ ବୋଲ ନ ମାନିବାରୁ ଧମକ ପାଇଥିଲେ । ଶ୍ରୀ ପ୍ରଧାନ ଏହାର ଜବାବ ରଖନ୍ତୁ । ଅତୀତରେ କଟକର ଦୁର୍ଦ୍ଦନ୍ତ ଗ୍ୟାଙ୍ଗଷ୍ଟର ଧଳସାମନ୍ତଙ୍କ ସହ ତାଙ୍କର ସମ୍ପର୍କ ଏବଂ ଡି ବ୍ରଦର୍ସଙ୍କୁ କଟକର ବାଇମୁଣ୍ଡି ଆଖ୍ୟା ଦେବା ପଛର ରହସ୍ୟ ସେ ସ୍ପଷ୍ଟ କରନ୍ତୁ ।

ଚଳିତ ନିର୍ବାଚନରେ ବିଜେପିକୁ ପ୍ରାର୍ଥୀ ନ ମିଳିବାରୁ ଅପରାଧ ପୃଷ୍ଠଭୂମି ଥିବା ଲୋକଙ୍କୁ  ଆଣି ଟିକେଟ ଦେଇଛି । ସୋରଡ଼ା ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋୟୀଙ୍କ ନାଁରେ ୩ଟି ହତ୍ୟା ମାମଲା, ୩ଟି ହତ୍ୟା ଉଦ୍ୟମ ମାମଲା, ୬ଟି ଦଙ୍ଗା ମାମଲା, ୩ ଟି ଅପହରଣ ମାମଲା. ୬ଟି ଧମକଚମକ ମାମଲା, ଗୋଟିଏ ଲେଖାଏଁ ବେଆଇନ ଅସ୍ତ୍ରଶସ୍ତ୍ର ଠୁଳ ମାମଲା ଏବଂ ଗୋଟିଏ ବେଆଇନ ବିସ୍ଫୋରକ ମାମଲା ଅଛି ।  ଗତକାଲି ଭୋଟଗ୍ରହଣ ବେଳେ ସେ ଇଭିଏମ୍ ମେସିନ୍ ଭାଙ୍ଗିବା ସହ ସେଠାରେ ଉପସ୍ଥିତ ଲୋକମାନଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କ ଛଡ଼ା ଭଟଲିର ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ଏକ ହତ୍ୟା ମାମଲାରେ ଗତ ଜୁଲାଇ ମାସରେ ଗିରଫ ହୋଇ ଜେଲ୍ ଯାଇଥିଲେ । ଏଭଳି ଅପରାଧୀ ମାନେ ଏବେ ବିଜେପିର ମେରୁଦଣ୍ଡ ସାଜିଥିବା ବିଜେଡ଼ି ନେତାମାନେ କହିଛନ୍ତି ।

ବିଜେଡ଼ି ନେତାମାନେ ପୁଣି କହିଛନ୍ତି, ଗତ ପଞ୍ଚାୟତ ନିର୍ବାଚନ ସମୟରେ ୧୭ ଜଣ ବିଜେପି ନେତା ହତ୍ୟାର ଶିକାର ହୋଇଥିବା ବିଜେପି ଦାବି କରିବା ସହ ଏବେ ହିଂସାକାଣ୍ଡ ବଢ଼ୁଥିବା କହୁଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ପ୍ରତି ବିଜେଡ଼ିର ଯଥେଷ୍ଟ ସମ୍ମାନ ଅଛି । କିନ୍ତୁ ବିଜେପି ଜାଣି ରଖିବା ଦରକାର ଯେ ଯେଉଁ ୧୭ ଜଣଙ୍କ ହତ୍ୟା କଥା ବିଜେପି କହୁଛି, ସେଥିରୁ ୧୦ରୁ ଅଧିକ ହେଉଛନ୍ତି ବିଜେଡ଼ି କର୍ମୀ । ତେବେ ମୃତ ବ୍ୟକ୍ତିମାନଙ୍କୁ ଅସମ୍ମାନ କରି ବିଜେଡ଼ି ଏହାକୁ ରାଜନୈତିକ ପ୍ରସଙ୍ଗ କରିବାକୁ ଚାହିଁନି । ବିଜେପି ଅଭ୍ୟାସଗତ ମିଛୁଆ ହୋଇଥିବାରୁ ନିଜର ମୁହଁ ଲୁଚାଇବାକୁ ଯାଇ ମିଛ କଥାଗୁଡ଼ାକ ବାରମ୍ବାର କହିବାକୁ ଲଜ୍ଜାବୋଧ କରୁନାହିଁ । ନିର୍ବାଚନରେ ପରାଜୟ ଡର ଘାରିଥିବାରୁ ବିଜେପି ଏଭଳି ମିଥ୍ୟା କୁତ୍ସାରଟନାରେ ମାତିଛି । ଓଡ଼ିଶାବାସୀଙ୍କ ମଙ୍ଗଳ ପାଇଁ ବିଜେପି କୁମ୍ଭୀର କାନ୍ଦଣା ବନ୍ଦ କରୁ ବୋଲି ବିଜେଡ଼ି ନେତାମାନେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − 12 =