ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବାଦ ପଡିଲେ 4 ବିଧାୟକ

ଭୁବନେଶ୍ବର (): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ୬୩ଟି ବିଧାନସଭା ଆସନ ମଧ୍ୟରୁ ବାକି ଥିବା ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ଆଉ ୨ଟି ଆସନ ଫୁଲବାଣୀ ଓ ବିରମିତ୍ରପୁର ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହାଁନ୍ତି । ତେବେ ତୃତୀୟ ପର୍ଯ୍ୟାୟରେଅନୁଷ୍ଠିତ ହେବାକୁ ଥିବା ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୪ ଜଣ ବିଧାୟକଙ୍କ ଟିକେଟ କଟିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ୪ ଜଣ ବିଧାୟକଙ୍କ ଟିକେଟ କଟିଛି । ଆଜି ଘୋଷଣା ହୋଇଥିବା ଆସନଗୁଡିକ ହେଲା ଝରିଗାଁ, ବଲାଙ୍ଗିର, ବ୍ରଜରାଜନଗର, ମାଲକାନଗିରି, ଲୋଇସିଂହା, ଲାଞ୍ଜିଗଡ, ପଟାଙ୍ଗୀ, ସମ୍ବଲପୁର ଓ ରେଢାଖୋଲ ।

ଝରିଗାଁରୁ ପୂର୍ବତନ ମନ୍ତ୍ରୀ ରମେଶ ମାଝୀଙ୍କ ଭାଇ ପ୍ରକାଶ ଚନ୍ଦ୍ର ମାଝୀ ପ୍ରାର୍ଥୀ ହୋଇଛନ୍ତି । ମାଲକାନଗିରିରୁ ବିଧାୟକ ମାନସ ମାଡକାମୀଙ୍କ ବଦଳରେ  ମୁକୁନ୍ଦ ସୋଢିଙ୍କୁ ପ୍ରାର୍ଥୀ କରାଯାଇଛି । ପଟାଙ୍ଗୀରୁ ପ୍ରଫୁଲ୍ଲ ପାଙ୍ଗୀଙ୍କ ବଦଳରେ ପ୍ରୀତମ ପାଢି ପ୍ରାର୍ଥୀ ହୋଇଛନ୍ତି । ଲାଞ୍ଜିଗଡରୁ ବଳଭଦ୍ର ମାଝୀଙ୍କ ବଦଳରେ ପ୍ରଦୀପ ଦିଶାରୀଙ୍କୁ ପ୍ରାର୍ଥୀ କରାଯାଇଛି । ବଲାଙ୍ଗୀରରୁ ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓ ପ୍ରାର୍ଥୀ ହୋଇଥିବାବେଳେ ବ୍ରଜରାଜନଗରରୁ କିଶୋର ମହାନ୍ତି ପ୍ରାର୍ଥୀ ହୋଇଛନ୍ତି । ଲୋଇସିଂହାରୁ ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ବଦଳରେ ପ୍ରଦୀପ ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି । ଏଥିସହିତ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ରେଢାଖୋଲରୁ ରୋହିତ ପୂଜାରୀ, ସମ୍ବଲପୁରରୁ ରାସେଶ୍ବରୀ ପାଣିଗ୍ରାହୀଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି ।

ଏହାପୂର୍ବରୁ ବିଜେଡି ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ବିଜେପି ବର୍ତ୍ତମାନ ସୁଦ୍ଧା ୧୫ଟି ଲୋକସଭା ଓ ୧୨୧ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସ ୮ ଲୋକସଭା ଓ ୮୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ।

Share

Leave a Reply

Your email address will not be published. Required fields are marked *

eighteen − five =