ଓଡ଼ିଶା ରାଜନୀତିରେ ମଧ୍ୟପ୍ରଦେଶ ଓ ବିହାର ହିଂସା ସଂସ୍କୃତିକୁ ବିଜେଡ଼ିର ନିନ୍ଦା

ଖୋର୍ଦ୍ଧା ହତ୍ୟାକାଣ୍ଡର ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର (): ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି, ବିଜୁ ଜନତା ଦଳ ଏବଂ ଏହାର ସଭାପତି ତଥା ମୁଖ୍ୟମନ୍ତ୍ରୀ କେବେ ବି ହିଂସାରେ ବିଶ୍ବାସ କରନ୍ତି ନାହିଁ କି ହିଂସାକୁ ପ୍ରଶୟ ଦିଅନ୍ତି ନାହିଁ । ରାଜନୀତି ଏବଂ ନିର୍ବାଚନ ପ୍ରକ୍ରିୟାରେ ବିଜେଡ଼ି ସଦାସର୍ବଦା ଏକ ସ୍ଥିର ଏବଂ ସୁଦୃଢ଼ ଗଣତନ୍ତ୍ର ଉପରେ ବିଶ୍ବାସ ରଖି ଆସିଛି । ସେଥିପାଇଁ ଯେ କୌଣସି ମୂଲ୍ୟ ଦେବାକୁ ବିଜେଡ଼ି ପ୍ରସ୍ତୁତି ରହିଛି ଏବଂ ଆଗକୁ ରହିବ ମଧ୍ୟ ।

ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସୁଲୋଚନା ଦାସ ଏବଂ ସୁଲତା ଦେଓ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ସେମାନେ କହିଛନ୍ତି, ଗତ କିଛି ବର୍ଷ ହେଲା ଆମ ଶାନ୍ତିପୂର୍ଣ୍ଣ ଓଡ଼ିଶାର ରାଜନୈତିକ ବାତାବରଣରେ ହିଂସାର ସଂସ୍କୃତି ବଢ଼ି ଚାଲିଛି । ମଧ୍ୟପ୍ରଦେଶ ଓ ବିହାରର ହିଂସା ସଂସ୍କୃତିକୁ ଓଡ଼ିଶାରେ ଆପଣେଇବା ଯୋଗୁଁ ଏଭଳି ଘଟଣା ଘଟୁଥିବା ବିଜେଡ଼ି ଅନୁଭବ କରୁଛି । ସମାନ ଢ଼ାଞ୍ଚାରେ ହିଂସାକାଣ୍ଡ ସଂଗଠିତ ହେଉଛି । ଯାହାକି ଗତ ବିଜେପୁର ଉପନିର୍ବାଚନ ବେଳେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରେ ଆକ୍ରମଣ ଘଟଣାରୁ ଦେଖିବାକୁ ମିଳିଥିଲା । ସେହି ଘଟଣାରେ ଜଣେ ବିଜେଡ଼ି କର୍ମୀ ନିହତ ହୋଇଥିଲେ ।

ଖୋର୍ଦ୍ଧା ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କ ବିରୋଧରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିର୍ବାଚନ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବାତାବରଣ ରକ୍ଷା କରିବାକୁ ସେମାନେ ଦୃଢ଼ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − six =