ମନ୍ତ୍ରୀଙ୍କ ପରେ ସାଂସଦଙ୍କୁ ରିପୋର୍ଟ ମାଗିଲେ ନବୀନ

ପ୍ରତି ଦୁଇ ମାସରେ ଥରେ ମୁଖିଆଙ୍କୁ ଦେବେ ରିପୋର୍ଟ

ରାଜ୍ୟ ଓ ଅଂଚଳର ସମସ୍ୟା ଉତଥାପନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର () ମନ୍ତ୍ରୀମାନଙ୍କ କାର୍ଯ୍ୟର ସମୀକ୍ଷା ପରେ ଏବେ ସାଂସଦଙ୍କ କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ତଥା ନିଜ ଅଂଚଳର ସ୍ୱାର୍ଥ ସଂପର୍କିତ ପ୍ରସଙ୍ଗଗଡିକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସାଂସଦମାନେ କେତେ ସଫଳତାର ସହ ଉତଥାପନ କରୁଛନ୍ତି ସେନେଇ ପ୍ରତି ମାସ ୧୦ ତାରିଖ ସୁଦ୍ଧା ଦଳର ସଭାପତିଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଜ୍ୟବାସୀଙ୍କର ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକୁ ସଂସଦରେ ସଠିକ ଭେବ ଉପସ୍ଥାପନ କରି ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଂସଦମାନଙ୍କୁ ଲେଖିଥିବା ଚିଠିରେ ବିଜେଡି ପ୍ରାର୍ଥୀ ଭାବରେ ସପ୍ତଦଶ ଲୋକସଭା ତଥା ରାଜ୍ୟସଭା ସଦସ୍ୟ ଭାବରେ ଓଡ଼ିଶାରୁ ନିର୍ବାଚିତ ହୋଇ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବାରୁ ସମସ୍ତ ସାଂସଦମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ତଥା ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମର ନିରନ୍ତର ଉଦ୍ୟମକୁ ଅକୁଣ୍ଠ ସମର୍ଥନ ଜଣାଇ ରାଜ୍ୟବାସୀ ବିଜେିକୁ ଲଗାତାର ପଞ୍ଚମଥର ସେବା କରିବାର ସୁଯୋଗ ଦେବା ସହିତ ଲୋକସଭାରେ ମଧ୍ୟ ବିଜୁ ଜନତା ଦଳକୁ ସର୍ବାଧିକ ଆସନରେ ବିଜୟୀ କରାଇଛନ୍ତି । ଏଣିକି ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ସର୍ବାଧିକ । ନିର୍ବାଚନ ପରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କ ସହିତ ମତ ବିନିମୟ କରିବା ଅବସରରେ ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗଗୁଡିକୁ ସଂସଦରେ ଉତ୍‍ଥାପନ କରିବା ପାଇଁ ସାଂସଦମାନଙ୍କର ରହିଥିବା ଆଗ୍ରହ ଓ ପ୍ରତିବଦ୍ଧତା ତାଙ୍କୁ ବେଶ୍‍ ଆନନ୍ଦିତ କରିଛି ବୋଲି ନବୀନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଗତ ଲୋକସଭା ନିର୍ବାଚନରେ ବିଜେଡି ପ୍ରଥମଥର ପାଇଁ ଏକ ତୃତୀୟାଂଶ ଆସନରେ ମହିଳାମାନଙ୍କୁ ପ୍ରାର୍ଥୀ କରିବା ପାଇଁ ଏକ ଦୃଢ଼ ରାଜନୈତିକ ନିଷ୍ପତ୍ତି ଗ୍ରହଣ କରିଥିଲା । ରାଜ୍ୟବାସୀ ମଧ୍ୟ ଏହି ନିଷ୍ପତ୍ତିକୁ ବିପୁଳ ସମର୍ଥନ ଦେଇ ଦଳ ପାଇଁ ଏକ ଐତିହାସିକ ସଫଳତା ଆଣିଦେଲେ । ଚଳିତ ଲୋକସଭାରେ ଦଳର ମହିଳା ସାଂସଦମାନେ ସେମାନଙ୍କ ପ୍ରଥମ ପଦାର୍ପଣରେ ଓଡ଼ିଶାବାସୀଙ୍କର ସ୍ୱାର୍ଥ ସମ୍ବଳିତ ପ୍ରସଂଗ ଯେଭଳି ଉତ୍‍ଥାପନ କଲେ, ତାହା ମଧ୍ୟ ତାଙ୍କୁ ବେଶ୍‍ ପ୍ରଭାବିତ କରିଛି ବୋଲି ନବୀନ କହିଛନ୍ତି ।

ଏଥରର ଲୋକସଭା ଏବଂ ରାଜ୍ୟସଭାରେ ନବାଗତ ଏବଂ ଅଭିଜ୍ଞ ସଦସ୍ୟମାନଙ୍କର ଏକ ସୁନ୍ଦର ସନ୍ତୁଳନ ରହିଛି ଯାହା ରାଜ୍ୟର ମହିଳା, ଯୁବକ, ସଂରକ୍ଷିତ ବର୍ଗଙ୍କ ସ୍ୱାର୍ଥ ସହିତ ରାଜ୍ୟର ସାମଗ୍ରିକ କଲ୍ୟାଣ ଏବଂ ସ୍ୱାର୍ଥ ସମ୍ବଳିତ ପ୍ରସଂଗ ପାଇଁ ସମାଧାନ ଖୋଜିବାରେ ବେଶ୍‍ ଦକ୍ଷତାର ସହିତ କାର୍ଯ୍ୟ କରିପାରିବ ବୋଲି ସେ କହିଛନ୍ତି । ଉଭୟ ଗୃହରେ ଦଳ ତରଫରୁ ସାଂସଦମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି ଏବଂ ଲୋକସଭା ତଥା ରାଜ୍ୟସଭାରେ ବିଭିନ୍ନ ପଦପଦବୀରେ ମଧ୍ୟ ନିଯୁକ୍ତି ମିଳିଛି । ସାଂସଦ ତଥା ପଦାଧିକାରୀ ଭାବରେ ନିଜ ଦାୟିତ୍ୱ ନିର୍ବାହ, ବିଭିନ୍ନ ପ୍ରସଂଗ ସଂସଦରେ ଉପସ୍ଥାପନ ସହିତ ନିଜ ଅଞ୍ଚଳ ଗସ୍ତ କରି ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ସାଂସଦମାନେ କିଭଳି ଉଦ୍ୟମ କରୁଛନ୍ତି, ସେ ସଂପର୍କରେ ଅଗଷ୍ଟ ମାସରୁ ଆରମ୍ଭ କରି ଦୁଇ ମାସରେ ଥରେ ୧୦ ତାରିଖ ସୁଦ୍ଧା ଲିଖିତାକାରରେ ତାଙ୍କୁ ଅବଗତ କରାଇବା ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

ସେ ଏହାର ନିୟମିତ ସମୀକ୍ଷା କରି ସାଂସଦମାନଙ୍କୁ ବିଭିନ୍ନ ପ୍ରସଂଗରେ ପରାମର୍ଶ ଦେବା ସହିତ ଆମେ କିଭଳି କାର୍ଯ୍ୟ କଲେ ରାଜ୍ୟର ସ୍ୱାର୍ଥ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିଜକୁ ପୂର୍ଣ୍ଣପ୍ରାଣରେ ଉର୍ତ୍ସଗ କରିପାରିବା ସେ ଦିଗରେ ସେ ନିର୍ଦ୍ଦିଷ୍ଟ ମତାମତ ରଖିବେ ବୋଲି ବିଜୁ ଜନତା ଦଳର ସଭାପତି ଏ ଅବସରରେ ପ୍ରକାଶ କରିବା ସହତ ସାଂସଦମାନେ ନିଜ ଉଦ୍ୟମରେ ସଫଳ ହୁଅନ୍ତୁ ଏବଂ ଓଡ଼ିଶାର ଜନସାଧାରଣଙ୍କର ଶ୍ରଦ୍ଧାଭାଜନ ହୁଅନ୍ତ ବୋଲି କାମନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − two =