ଅନୁମୋଦନ ନ ଥାଇ ମୋଦିଙ୍କ ଭାଷଣର ମୋବାଇଲ୍ ଲାଇଭ୍ କଲା ବିଜେପି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡ଼ିର ଫେରାଦ

ଭୁବନେଶ୍ବର (): ନିର୍ବାଚନୀ ପ୍ରଚାରରେ ଆଜି ଭବାନୀପାଟଣା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ମୋବାଇଲ୍ ଭଏସ୍ ମେସେଜ୍ ଜରିଆରେ ଲାଇଭ୍ ପ୍ରସାରଣ କରିଛି ବିଜେପି । ନିର୍ବାଚନ ବିଜ୍ଞାପନ ପରିଧି ଭିତରେ ଆସୁଥିବା ଏହି ବ୍ୟବସ୍ଥା ପାଇଁ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ କମିଟି ଦ୍ବାରା ପ୍ରି-ସାର୍ଟିଫିକେସନ୍ ନିହାତି ଆବଶ୍ୟକ । ମାତ୍ର ବିଜେପି ଏହି ନିୟମ ମାନିନାହିଁ । ନିର୍ବାଚନ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ବିଜେପି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏ ବାବଦରେ ହୋଇଥିବା ଖର୍ଚ୍ଚକୁ କଳହାଣ୍ଡି ଲୋକସଭା ଆସନ ଓ ଭବାନୀପାଟଣା ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚରେ ମିଶାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ ।

ବିଜେଡ଼ି ପକ୍ଷରୁ ଦର୍ଶାଯାଇଛି, ନିର୍ବାଚନ ଗାଇଡ଼ଲାଇନର ଧାରା ୨୧.୨.୧୩ରେ ବଲକ୍ ଏସ୍ଏମ୍ଏସ୍ ଏବଂ ଭଏସ୍ ମେସେଜ୍ ଜରିଆରେ ନିର୍ବାଚନ ପ୍ରଚାର ପାଇଁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ରହିଛି । ଫୋନରେ ଟେଲିଫୋନିକ୍ ମେସେଜିଂ ଜରିଆରେ ନିର୍ବାଚନ ପ୍ରଚାର, ଟିଭି ଚାନେଲ/କେବୁଲ୍ ନେଟ୍ୱର୍କ ଏବଂ ରେଡିଓ ବିଜ୍ଞାପନଠାରୁ ଭିନ୍ନ ନୁହେଁ । ଏଥିପାଇଁ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ କମିଟି(ଏମ୍ସିଏମ୍ସି)ର ପ୍ରି-ସାର୍ଟିଫିକେସନ୍ ଜରୁରୀ । ମାତ୍ର ବିନା ଅନୁମୋଦନରେ ବିଜେପି ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ମୋବାଇଲ ନଂ ୯୩୪୫୦୧୪୫୦୧ରୁ ଭଏସ୍ ମେସେଜିଂ କଲ୍ ଦ୍ବାରା ଲାଇଭ୍ ପ୍ରସାରଣ କରିଥିଲା । ଏହି ନମ୍ବରକୁ କେହି କଲ୍ କଲେ ମୋଦିଙ୍କ ଲାଇଭ୍ ଭାଷଣ ଶୁଭୁଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ଏହାକୁ ଗୁରୁତ୍ବର ସହ ବିଚାର କରିବାକୁ ବିଜେଡ଼ି ପକ୍ଷରୁ ଅନୁରୋଧ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବିଜେଡ଼ି ପ୍ରତିନିଧି ଦଳରେ ମୁଖପାତ୍ର ଲେଲିନ୍ ମହାନ୍ତି, ଡ. ସସ୍ମିତ୍ ପାତ୍ର, ସୁଲତା ଦେଓ ଏବଂ ସୁଲୋଚନା ଦାସ ସାମିଲ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

five × 1 =