ଅମିତ ଶାହାଙ୍କ ପାଖରେ ମହିଳା ସଶକ୍ତିକରଣ କଥା ଶୁଣିବାକୁ ସମୟ ନାହିଁ

ଭୁବନେଶ୍ବର () ରାଜ୍ୟରେ ଓ କେନ୍ଦ୍ରରେ କୁଆଡେ ମହିଳାଙ୍କ ପାଇଁ ବିଜେପି ନେତାଙ୍କ ଅନ୍ତର କାନ୍ଦୁଛି । ରାଜ୍ୟରେ ବିଜେଡି ସରକାର ଅମଳରେ ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି ଏବଂ ରାଜ୍ୟ ସରକାର ନିରବଦ୍ରଷ୍ଟା ବୋଲି ବାରମ୍ବାର ଅଭିଯୋଗ କରୁଛନ୍ତି । ମହିଳାଙ୍କ ପାଇଁ ଏହି ଦରଦୀ ଦଳର ମୁଖିଆଙ୍କ ପାଖରେ କିନ୍ତୁ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଗ୍ରହଣ କରିବାକୁ ସମୟ ନାହିଁ ।

ମହିଳାଙ୍କୁ ରାଜନୀତି ଏବଂ ଗଣତନ୍ତ୍ରର ସର୍ବୋଚ୍ଚ ଆଇନ ପ୍ରଣୟନ ପ୍ରକ୍ରିୟାରେ ସାମିଲ କରିବାକୁ ଓଡିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବ ସପକ୍ଷରେ ସାରା ଦେଶରେ ଜନମତ ସୃଷ୍ଟି କରିବାକୁ ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଭିନ୍ନ ଭିନ୍ନ ଟିମ ଭିନ୍ନ ଭିନ୍ନ ଜାତୀୟ ଓ ଆଂଚଳିକ ଦଳର ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ବିଜେଡି ପକ୍ଷରୁ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ସମୟ ମଗାଯାଇଛି । କିନ୍ତୁ ତାଙ୍କୁ ସମୟ ମିଳୁନି ।

ଏଭିତରେ ବିଜେଡିର ବରିଷ୍ଠ ନେତାମାନେ ଏନସିପି ମୁଖ୍ୟ, ଟିଆରଏସ, ଟିଡିପି, ଅକାଳି ଦଳ, ସମାଜବାଦୀ ପାର୍ଟି, କଂଗ୍ରେସ, ବାମ ଦଳ, ତୃଣମୂଳ କଂଗ୍ରେସ, ଏଆଇଏଡିଏମକେ, ଡିଏମକେ, ଜେଡିୟୁ ଆଦି ଦଳର ମୁଖ୍ୟମାନଙ୍କୁ ଭେଟି ସାରିଲେଣି । ସବୁ ଦଳ ନବୀନ ପଟ୍ଟନାୟକ ଦେଇଥିବା ପ୍ରସ୍ତାବକୁ ସ୍ବାଗତ କରିବା ସହ ସଂସଦରେ ଏ ସଂପର୍କିତ ବିଲ ଆସିଲେ ସମର୍ଥନର ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ଡିଏମକେ ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ, ଅକାଳି ଦଳ ସମସ୍ତେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମହାରାଷ୍ଟ୍ର ପରି କିଛି ରାଜ୍ୟ ଏବେ ବି ସେମାନଙ୍କ ରାଜ୍ୟରେ ସ୍ବାୟତ୍ତ ଶାସନ ସଂସ୍ଥାରେ 33 ପ୍ରତିଶତ ବା 50 ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରିଛନ୍ତି ।

ଏହା ବିଜେପିର ମହିଳାଙ୍କ ପ୍ରତି ଥିବା ଦରଦକୁ ସୂଚାଉଛି ବୋଲି ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିଜେପି ନେତାମାନେ ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟରେ ରାଜନୀତି କରୁଥିବା ବେଳେ ତାଙ୍କ ଦଳର ସର୍ବୋଚ୍ଚ ନେତାଙ୍କ ପାଖରେ ମହିଳା ସଶକ୍ତିକରଣ ସଂପର୍କିତ ପ୍ରସ୍ତାବ ଶୁଣିବାକୁ ସମୟ ନାହିଁ । ଏହା ହିଁ ଏହି ଜାତୀୟ ଦଳର ଚରିତ୍ର ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + 17 =