ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ହେବ ଭାରତ

ନୂଆଦିଲ୍ଲୀ () ସ୍ବାଧୀନତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଦେଶ ମାଟିର ସୁଯୋଗ୍ୟ ସନ୍ତାନ ଓ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ଆଜି ପୂରା ଦେଶ ପାଳନ କରୁଛି ୭୩ ତମ ସ୍ବାଧୀନତା ଦିବସ । ଚାରିଆଡେ ଖୁସି ଏବଂ ଉଲ୍ଲାସର ମାହୋଲ ଭିତରେ ସ୍ବାଭିମାନ ପ୍ରତିକ ଭାବେ ଛାତି ଫୁଲାଇ ଛିଡା ହୋଇଥିବା ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ସେ ଦିଲ୍ଲୀର ଅମର ଯବାନ ଜ୍ୟୋତି ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ଲାଲକିଲ୍ଲାରୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ଏବଂ ଦେଶବାସୀଙ୍କୁ ଉଦବୋଧନ ଦେଇ ବଡ ଘୋଷଣା କରିଥିଲେ ।

ଦେଶକୁ ଗରିବୀରୁ ମୁକ୍ତ କରିବାକୁ ପଡିବ, ଜଳର ମହତ୍ବକୁ ପିତାମାତା ପିଲାମାନଙ୍କୁ ଶୈଶବରୁ ହିଁ ଶିକ୍ଷା ଦେବା ଉଚିତ, ଏକ ଦେଶ ଏବଂ ଏକ ସମ୍ବିଧାନ ଏହା ଯେଭଳି ପ୍ରତ୍ୟେକ ଭାରତୀୟ କହିପାରିବେ ସେହି ଲକ୍ଷ୍ୟ ନେଇ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ରାଜନୀତି ଆସିବ ଯିବ କିନ୍ତୁ ଦେଶର ସ୍ବାର୍ଥ ନିମିତ୍ତ ନିଆଯାଇଥିବା ପଦକ୍ଷେପ ସବୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲା ପ୍ରାଚୀର ଉପରେ ଜାତୀୟ ପତାକା ଉତ୍ତୋଳନ କରି କହିଥିଲେ । ସେନାଙ୍କୁ ନେଇ ମୋଦିଙ୍କ ବଡ଼ ଘୋଷଣା ! ଚିଫ ଅଫ ଡିଫେନ୍ସ ଷ୍ଟାଫ ନାଁରେ ନୂଆ ପଦବୀ ସୃଷ୍ଟି ହେବ  । ତିନି ସେନାର ମୁଖ୍ୟ ରହିବେ CDS । CDS ଜରିଆରେ ପୁରା ସୈନ୍ୟଶକ୍ତି ଏକାଠି ଚାଲିବେ ।

ଆତଙ୍କବାଦ ବିରୋଧରେ ଲଢେଇ ହେବ  । ବାଙ୍ଗଲାଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ଆତଙ୍କବାଦରେ ଜର୍ଜରିତ, ଭାରତ ଆଉ ଦେଖଣାହାରୀ ହୋଇରହିବ ନାହିଁ । ଆତଙ୍କବାଦ ପାଳୁଥିବା ଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏଥିସହିତ ଭାରତ ହେବ ପ୍ଲାଷ୍ଟିକ ମୁକ୍ତ । ଅକ୍ଟୋବର ୨ ତାରିଖରୁ ଭାରତରେ ବନ୍ଦ ହେବ ପ୍ଲାଷ୍ଟିକ ବ୍ୟବହାର । ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟସ୍ ଆମର ପ୍ରାଥମିକତା । ଡିଜିଟାଲ୍ ପେମେଣ୍ଟ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ ଦେଇ ଡିଜିଟାଲ ପେମେଣ୍ଟକୁ ହଁ ଓ ନଗଦ କାରବାରକୁ ନାଁ କହିବାକୁ ସେ କହିଛନ୍ତି ।

ଅନୁଚ୍ଛେଦ ୩୭୦ ଏବଂ ୩୫ ଏ’କୁ ନେଇ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଯେଉଁମାନେ ଦେଶର ବିକାଶରେ ସହଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ପ୍ରଣାମ କରିଛନ୍ତି । ନୂଆ ସରକାର ଗଠନ ହେବାକୁ ୧୦ ସପ୍ତାହ ମଧ୍ୟ ହୋଇନାହିଁ କିନ୍ତୁ ପ୍ରତିଟି କ୍ଷେତ୍ରରେ ସରକାର ନିଜର ଉକୃଷ୍ଟତାକୁ ଦର୍ଶାଇ ଆସିଛନ୍ତି । ୧୦ ସପ୍ତାହ ମଧ୍ୟରେ ଅନୁଚ୍ଛେଦ ୩୭୦ ଏବଂ ୩୫ ଏ କୁ ହଟାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ସ୍ବପ୍ନକୁ ସାକାର କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁସଲିମ୍ ଭଉଣୀମାନଙ୍କ ପାଇଁ ତିନି ତଲାକର ବିଲ ରାକ୍ଷୀ ଉପହାର ଠାରୁ ଆଉ କ’ଣ ଅବା ହୋଇପାରେ ।  ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗା ଉତ୍ତୋଳନ ପରେ ରକ୍ଷା ବନ୍ଧନ ଏବଂ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ବନ୍ୟା ପୀଡିତଙ୍କ ପାଇଁ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ । କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଏହି ସମସ୍ୟାର ମୁକାବିଲା କରିବା ପାଇଁ ସେ କହିଥିଲେ । ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଭାରତମାତାର ବୀର ସୁପୁତ୍ର ଯବାନମାନଙ୍କୁ ପ୍ରଧାନମନ୍ତ୍ରୀ ସଲାମ୍ କରିଥିଲେ । ବର୍ତ୍ତମାନ ଲୋକଙ୍କ ବ୍ୟବହାର ଏବଂ ବିଚାର ବଦଳିଥିବା କଥା କହିଲେ ପ୍ରଧାନମନ୍ତ୍ରୀ । ୨୦୧୪ ପୂର୍ବରୁ ଦେଶରେ ନିରାଶାର ମାହୋଲ୍ ଥିଲା କିନ୍ତୁ ଗତ ୫ ବର୍ଷ ଭିତରେ ଦେଶରେ ପରିବର୍ତ୍ତନ ଆସିଛି । ଦେଶକୁ ସର୍ବାଗ୍ରେ ରଖି କାମ କରାଯାଉଛି । ଯାହାର ପ୍ରଭାବ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିଲା । ୨୦୧୪ ରୁ ୧୯ ର ସମୟ ଲୋକଙ୍କ ଆଶା ଆକାଂକ୍ଷାକୁ ପୁରା କରୁଥିବା ସମୟ ପାଲଟିଥିଲା । ବର୍ତ୍ତମାନ ସରକାରର ମସ୍ତିଷ୍କରେ କେବଳ ଦେଶହୀତର ହିଁ ଉଦ୍ଦୀପନା ରହିଛି । ବର୍ତ୍ତମାନ ନିର୍ବାଚନରେ ନା କେବଳ ମୋଦି ନିର୍ବାଚନ ଲଢୁଥିଲେ ସଂପୂର୍ଣ୍ଣ ଦେଶବାସୀ ନିଜ ସ୍ବପ୍ନ ପାଇଁ ନିର୍ବାଚନ ଲଢୁଥିଲେ ।

Share

Leave a Reply

Your email address will not be published. Required fields are marked *

13 − 6 =