ଚିଠି ଲେଖିଥିବା ନେତାମାନେ ବିଜେପିରେ ମିଶିଛନ୍ତି

ନୂଆଦିଲ୍ଲୀ() ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସରେ ଏବେ ନେତୃତ୍ୱ ପରିବର୍ତ୍ତନର ପୂର୍ବାଭାସ ଦେଖାଦେଇଛି । ରାହୁଲ ଗାନ୍ଧୀଙ୍କୁ ଦଳର ଦାୟିତ୍ୱ ଦେବା ନିମନ୍ତେ ଦଳ ଭିତରୁ ଦାବି ହେଉଥିବାବେଳେ ଏନେଇ କିଛି ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ।

ଏହି ପରିପ୍ରେକ୍ଷୀରେ ଆଜି ନୂଆଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ୱାର୍କିଂ କମିଟି ବୈଠକ ଚାଲିଛି । ଏହି ବୈଠକରେ ସୋନିଆ ଗାନ୍ଧୀ ପଦ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବୈଠକରେ ଉପସ୍ଥିତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପଦ ଛାଡ଼ିବା ସମ୍ପର୍କିତ ନିଜ ଇଚ୍ଛା ସମ୍ପର୍କରେ ସିଡବୁ୍ୟସି ସଦସ୍ୟଙ୍କୁ ଜଣାଇଛନ୍ତି ।

ତେବେ କଂଗ୍ରେସ ନେତାଙ୍କ ଚିଠିକୁ ନେଇ ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି । ଚିଠିର ସମୟକୁ ନେଇ ରାହୁଲ ଦୁଃଖ ପ୍ରକାଶ କରିବା ସହ ସମାଲୋଚନା ମଧ୍ୟ କରିଛନ୍ତି । ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ବେଳେ କାହିଁକି ଚିଠି ଲେଖାଗଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ଚିଠି ଲେଖିଥିବା ନେତାମାନେ ବିଜେପି ସହ ମିଶିଥିବା ରାହୁଲ ଅଭିଯୋଗ କରିଛନ୍ତି ।  ଚିଠି ଲେଖାଯିବା ପଛରେ ବିଜେପିର  ଷଡ଼ଯନ୍ତ୍ର ଥିବା ରାହୁଲ କହିଛନ୍ତି ।  ତେବେ ରାହୁଲଙ୍କ ଏହି ଅଭିଯୋଗ ପରେ କିଛି ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଏହି ଅବସରରେ ବିଜେପି ସହ ହାତ ମିଳାଇଥିବା ଅଭିଯୋଗ ପ୍ରମାଣିତ ହେଲେ ଇସ୍ତଫା ଦେଇଦେବି ବୋଲି ଗୁଲାମ ନବି କହିଛନ୍ତି ।

ପ୍ରକାଶ ଯେ, ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଏବେ ବଡ଼ ସନ୍ଧିକ୍ଷଣରେ ଗତି କରୁଛି । ଦଳରେ ପ୍ରଥମଥର ପାଇଁ ଏପରି ହୋଇଛି ଯେତେବେଳେ କି ୨୩ରୁ ଅଧିକ ବଡ଼ ନେତା ଆନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସଙ୍ଗଠନରେ ବଡ଼ଧରଣର ପରିବର୍ତନ ପ୍ରସ୍ତାବ ଦେଇଥିଲେ । ଦଳରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଛନ୍ତି ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ବହୁ ସିଡବ୍ଲୁସି ସଦସ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ । ଯୁବପିଢିଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉ । ଦଳକୁ ଏକ ପୂର୍ଣ୍ଣକାଳୀନ ଓ ପ୍ରଭାବଶାଳୀ ନେତୃତ୍ୱ ମିଳୁ । ଦଳରେ ସଂସ୍କାର ପାଇଁ କ୍ଷମତାର ବିକେନ୍ଦ୍ରୀକରଣ, ରାଜ୍ୟ ସଂଗଠନକୁ ଅଧିକ କ୍ଷମତା ପ୍ରଦାନ ଓ ପ୍ରତି ସ୍ତରରେ ସାଂଗଠନିକ ନିର୍ବାଚନ ପାଇଁ ପ୍ରସ୍ତାବ ଦିଆଯାଇଛି । ଏପରିକି ସିଡବ୍ଲୁସି ସଦସ୍ୟ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ନିଷ୍ଠାର ସହ ଆତ୍ମଚିନ୍ତନ ଉପରେ ଗୁରୁତ୍ୱ ଦେଇଛନ୍ତି ୨୩ ଜଣ ନେତା । ଏହି ଚିଠି ପରେ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

12 − eight =