ବିଜେପି ଓ କଂଗ୍ରେସ ଚାଷୀ ବିରୋଧୀ : ବିଜେଡି

ଭୁବନେଶ୍ୱର () : ରାଜ୍ୟର କଣ୍ଟିଜେନ୍ସି ଫଣ୍ଡରୁ କାଳିଆ ଯୋଜନାରେ ଅର୍ଥ ଖର୍ଚ୍ଚ କରାଯାଇଥିବାରୁ ବିଜେପି ଓ କଂଗ୍ରେସ ଯେପରି ଏହାକୁ ବିରୋଧ କରିଛନ୍ତି, ତଦ୍ଦ୍ୱାରା ଏହି ଦୁଇ ରାଜନୈତିକ ଦଳ ଓଡ଼ିଶାର ଚାଷୀକୁଳଙ୍କୁ ବିରୋଧ କରୁଥିବା ମନୋଭାବ ପଦାରେ ପଡିଛି । ରାଜ୍ୟ ସରକାର ଓଡ଼ିଶାର ୯୨% ଚାଷୀଙ୍କୁ କାଳିଆ ଯୋଜନା ଦ୍ୱାରା ସମୃଦ୍ଧ ଓ ସଶକ୍ତକରଣ କରୁଥିବା ବେଳେ ଏ ପ୍ରକାର ବିରୋଧାଭାସ ହୀନ ରାଜନୀତିର ପରିଚୟ ବୋଲି ସ୍ପଷ୍ଟ ବାରି ହୋଇପଡୁଛି ।

ରାଜ୍ୟ ସରକାର ୨୦୧୮-୧୯ ଆର୍ôଥକ ବର୍ଷରେ କଣ୍ଟିଜେନ୍ସି ଫଣ୍ଡକୁ ଅର୍ଡିନାନ୍ସ ମାଧ୍ୟମରେ ୪୦୦ରୁ ୧୪୦୦ କୋଟିକୁ ବୃଦ୍ଧି କରି ତନ୍ମଧ୍ୟରୁ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ୭୫୬ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିଥିଲେ । ଏହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯାଇଥିଲା ଏବଂ ସେତେବେଳେ ଉଭୟ କଂଗ୍ରେସ ଓ ବିଜେପି କୌଣସି ଆପତ୍ତି ଉଠାଇନଥିଲେ । କିନ୍ତୁ ଓଡ଼ିଶାର ୩୦ଲକ୍ଷ ଚାଷୀଙ୍କ ହିତ ପାଇଁ କାଳିଆ ଯୋଜନାର ଅର୍ଥ ଯେତେବେଳେ କଣ୍ଟିଜେନ୍ସି ଫଣ୍ଡରୁ ପ୍ରଦାନ କରାଗଲା, ତାହାକୁ ଏହି ବିରୋଧୀ ଦଳମାନେ ସମାଲୋଚନା କରିବା ତାଙ୍କର ଚାଷୀ ବିରୋଧୀ ମନୋଭାବ ଓ ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି । କଣ୍ଟିଜେନ୍ସି ଫଣ୍ଡ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଥାଏ ଏବଂ ରାଜ୍ୟର ହିତ ପାଇଁ ଖର୍ଚ୍ଚ କରାଯାଏ । ପରବର୍ତ୍ତୀ ସମୟରେ ତାହା ପୁଣି ଆଉଥରେ ଭରଣା କରାଯାଏ । ବିରୋଧୀ ଦଳମାନେ ଯେଉଁ ଅପପ୍ରଚାର କରୁଛନ୍ତି ଯେ ଏହି ପାଣ୍ଠି ଆପତ୍ତକାଳୀନ ପରିସ୍ଥିତି ପାଇଁ ବ୍ୟବହାର କରାଯାଏ, ତାହା ସଂପୂର୍ଣ୍ଣ ଭୁଲ ।

ବନ୍ୟା, ବାତ୍ୟା, ମରୁଡ଼ି କିମ୍ବା ଅନ୍ୟ ଯେ କୌଣସି ଦୈବଦୁର୍ବିପାକ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‍ଡିଆର୍‍ଏଫ୍‍)କୁ ବ୍ୟବହୃତ କରାଯାଏ ଏବଂ ତାହା ଯଦି ନିଅଣ୍ଟିଆ ପଡ଼େ, ତେବେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ମଧ୍ୟ ଅର୍ଥ ଖର୍ଚ୍ଚ କରାଯାଏ । ଅଥଚ, ଏହାକୁ ପ୍ରସଂଗ କରି କଣ୍ଟିଜେନ୍ସି ଫଣ୍ଡ ବ୍ୟବହାରକୁ ନେଇ ଯେଉଁ ଅପପ୍ରଚାର ଓ ଭୁଲ ବିବୃତି ଉଭୟ ବିଜେପି ଓ କଂଗ୍ରେସ ରଖୁଛନ୍ତି, ତାହା ତାଙ୍କ ହତାଶ ମନୋଭାବର ପରିଚୟ ।

ଉଭୟ ଦଳ ଓଡ଼ିଶାର ସ୍ୱାର୍ଥ ପାଇଁ ଚିନ୍ତା ନକରି ରାଜନୈତିକ ଅଭିସନ୍ଧି ରଖି ଏ ପ୍ରକାର ବିଭ୍ରାନ୍ତି ସୃଷ୍ଟି କରିବା ଅତ୍ୟନ୍ତ ନିନ୍ଦନୀୟ । ଆମେ ଆଶା କରୁଛୁ, ବିରୋଧୀ ଦଳମାନେ ଔଷଧ ବିକଳରେ ତାଟିଆ ନକାମୁଡ଼ି ଏ ପ୍ରକାର ଶସ୍ତା ରାଜନୀତିରୁ ନିଜକୁ ନିବୃତ ରଖିବେ ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four + nine =