କୋଭାକ୍ସିନକୁ ମିଳିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରି

ନୂଆଦିଲ୍ଲୀ: ଭାରତୀୟ କରୋନା ଟିକା କୋଭାକ୍ସିନକୁ ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମାନ୍ୟତା ମିଳିଛି । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ‘ହୁ’ ପକ୍ଷରୁ ମଞ୍ଜୁରି ପ୍ରଦାନ କରାଯାଇଛି । ଆଇସିଏମଆର ସହଯୋଗରେ ସ୍ୱଦେଶୀ କମ୍ପାନୀ ଭରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଛି।

କୋଭାକ୍ସିନକୁ ‘ହୁ’ର ମାନ୍ୟତା ମିଳିବା ପରେ ଭାରତରେ ନିର୍ମିତ ଏହି କରୋନା ଟିକା ବର୍ତ୍ତମାନ ଅନ୍ୟ ଦେଶରେ ସ୍ୱୀକୃତିପ୍ରାପ୍ତ ହେବ ଏବଂ ଏହି ଟିକା ପାଇଥିବା ଭାରତୀୟମାନଙ୍କୁ ଆଉ ବିଦେଶ ଯାତ୍ରା ସମୟରେ କୌଣସି କଟକଣାର ସାମ୍ନା କରିବାକୁ ପଡିବ ନାହିଁ |

‘ହୁ’ର ଇମର୍ଜେନ୍ସି ଲିଷ୍ଟିଂ କିମ୍ବା ଇୟୁଏଲରେ ସାମିଲ ହେବା ପାଇଁ ଏକ ଟିକାକୁ ଏକ ଦୀର୍ଘ ସମୀକ୍ଷା ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ | କୋଭାକ୍ସିନକୁ ମାନ୍ୟତା ପାଇଁ ଭରତ ବାୟୋଟେକ୍ ଏପ୍ରିଲରେ ଆବେଦନ କରିଥିଲା ​​ଏବଂ ଜୁଲାଇରେ ଏହି ଟିକା ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲା। ‘ହୁ’ର ଟେକ୍ନିକାଲ ପରାମର୍ଶଦାତା ଗୋଷ୍ଠୀ ଅକ୍ଟୋବର ୨୬ରେ ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ତାଲିକାଭୁକ୍ତ କରିବା ପୂର୍ବରୁ ଚୂଡ଼ାନ୍ତ ମୂଲ୍ୟାୟନ ପାଇଁ କମ୍ପାନୀରୁ ଅତିରିକ୍ତ ସ୍ପଷ୍ଟୀକରଣ ମାଗିଥିଲେ।

ଲକ୍ଷଣଯୁକ୍ତ କରୋନା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ୍ ୭୭.୮ ପ୍ରତିଶତ ପ୍ରଭାବୀ ଏବଂ ଡେଲ୍ଟା ଭାରିଆଣ୍ଟ ବିରୋଧରେ ୬୫.୨ ପ୍ରତିଶତ ସୁରକ୍ଷା ଯୋଗାଇଥାଏ |

ସୂଚନାଯୋଗ୍ୟ ଯେ ନିକଟରେ କୋଭାକ୍ସିନଙ୍କୁ ଅଷ୍ଟ୍ରେଲିଆ ମଧ୍ୟ ଯାତ୍ରା ପାଇଁ ସ୍ୱୀକୃତି ଦେଇଛି। ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ସୀମା ପ୍ରତିବନ୍ଧକକୁ କୋହଳ କରିବାକୁ ଘୋଷଣା କରିଛି। ଅଷ୍ଟ୍ରେଲିଆ ସରକାରଙ୍କ ମିଡିଆ ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତ ବାୟୋଟେକ୍ ଇଣ୍ଡିଆ ଦ୍ୱାରା ନିର୍ମିତ କୋଭାକ୍ସିନ ଟିକା ନେଇଥିବା ଯାତ୍ରୀମାନଙ୍କ ପାଇଁ କ୍ବାରେଣ୍ଟାଇନ ନିୟମ କୋହଳ କରାଯିବ।

Share

Leave a Reply

Your email address will not be published. Required fields are marked *

3 × 5 =