ଅମୃତସର ବୋମା ବିସ୍ଫୋରଣ: ୩ ମୃତ ୧୦ ଆହତ

ପଞ୍ଜାବ ଅମୃତସରର ରାଜାସାଂସୀ ଗାଁ ସ୍ଥିତ ନିରଙ୍କାରୀ ଭବନ ଉପରେ ବୋମା ଆକ୍ରମଣ ହୋଇଛି। ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ଡେପୁଟି କମିଶନର କମଲଦୀପ ସିଂହ ସୂଚନା ଦେଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣରେ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଥିବା ବେଳେ ସହର ସମେତ ଦିଲ୍ଲୀରେ ମଧ୍ୟ ସତର୍କ ଜାରି କରାଯାଇଛି।
ରବିବାର ପୂର୍ବାହ୍ଣ ୧୨ଟା ବେଳେ ଏହି ଅଘଟଣ ଘଟିଛି। ନିରଙ୍କାରୀ ଭବନ ଉପରେ ବୋମା ଆକ୍ରମଣ କରାଯାଇଥିଲା । ଏହି ଭବନରେ ରବିବାର ପ୍ରବଚନ ସଭାର ଆୟୋଜନ କରାଯାଇଥାଏ। ସବୁ ରବିବାର ପରି ଆଜି ମଧ୍ୟ ସେଠାରେ ଆଜି ସତସଙ୍ଗ ହେଉଥିବାରୁ ଶହଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ଭବନ ଉପରକୁ ଗ୍ରେନେଡ୍ ବୋମା ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବିସ୍ଫୋରଣରେ ଏଯାବତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି।
ବିସ୍ଫୋରଣରେ ସେଠାରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଘଟଣା ପରେ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି। ଗତ ୬ ଦିନ ପୂର୍ବରୁ ପଞ୍ଜାବ ସୀମାରେ ୬ ଜଣ ଆତଙ୍କବାଦୀ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଖବର ରହିଥିଲା। ତେଣୁ ଏହି ଘଟଣାରେ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ସହରରେ ପୋଲିସ ଛାଉଣି ହୋଇରହିଛି।
ପ୍ରକାଶ ଥାଉକି, ପୂର୍ବରୁ ଦେଶରେ ଆତଙ୍କୀ ପ୍ରବେଶ କରାଯିବା ନେଇ ସୁରକ୍ଷା ଏଜେନ୍ସି ପକ୍ଷରୁ ସତର୍କ ଜାରି କରାଯାଇଥିଲା। ସେହିପରି ଏହି ବିସ୍ପୋରଣ ପରେ ରାଜଧାନୀ ଦିଲ୍ଲୀ ଏବଂ ଗ୍ରେଟର ନୋଏଡାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ସୁରକ୍ଷା ଏଜେନ୍ସି ମଧ୍ୟ ଆତଙ୍କୀ ମାନେ ଦିଲ୍ଲୀକୁ ଆସୁଥିବା ନେଇ ଆଶଙ୍କା କରିଛି। ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାରଡ଼ି କରାଯାଇଛି।

Share

Leave a Reply

Your email address will not be published. Required fields are marked *

4 × 2 =