ବିଜେପି ବିଧାୟକ ଭାଙ୍ଗିଲେ ବାଚସ୍ପତିଙ୍କ ମାଇକ

ଭୁବନେଶ୍ବର () ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସ୍ବତନ୍ତ୍ର ମୋସନ ଜରିଆରେ ଆଲୋଚନା ଏବଂ ସିବିଆଇ ତଦନ୍ତ ଦାବି କରି ବିଜେପି ବିଧାୟକମାନେ ବିଧାନସଭାରେ ତୁମୁଳ କାଣ୍ଡ କରିଛନ୍ତି । ଦଳର ଦୁଇ ଜଣ ବିଧାୟକ ବାଚସ୍ପତିଙ୍କ ପୋଡିୟମରୁ ମାଇକ ଭାଙ୍ଗିଦେଇଥିଲା ବେଳେ ବିଧାୟିକା କୁସୁମ ଟେଟେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।

ବୁଧବାର ସ୍ମିତାରାଣୀ ମୃତ୍ୟୁ ଘଟଣାରେ ମୁଲତବି ଆଲୋଚନାର ନୋଟିସ ଦେଇଥିବା ବିଜେପି ଗତକାଲି ସନ୍ଧ୍ୟାରେ ଏହାକୁ ପ୍ରତ୍ୟାହାର କରି ସ୍ବତନ୍ତ୍ର ମୋସନ ଜରିଆରେ ଆଲୋଚନା ପାଇଁ ଦାବି କରିଛି । ବିଧାନସଭା କାର୍ୟ୍ୟବିଧି ଓ କାର୍ୟ୍ୟ ପରିଚାଳନା ଆଇନର ଧାରା ୧୧୧, ଉପଧାରା ୨ ଅନୁଯାୟୀ ସ୍ବତନ୍ତ୍ର ମୋସନ ଜରିଆରେ ପ୍ରଶ୍ନକାଳ ବାତିଲ କରି ଆଲୋଚନା ଦାବି କରିଥିଲେ । ଗତକାଲି ସର୍ବଦଳୀୟ ବୈଠକରେ ମଧ୍ୟ ମୁଲତବି ଆଲୋଚନା ପାଇଁ ବହୁମତ ହୋଇଥିବାରୁ ମୁଲତବି ଆଲୋଚନା ଜରିଆରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବାଚସ୍ପତି ବିଜେପିକୁ ଅନୁରୋଧ କରିଥିଲେ ।

ହେଲେ ବିଜେପି ବିଧାୟକମାନେ ଏଥିରେ ଏକମତ ନହୋଇ ନିଜ ଦାବିରେ ଅଟଳ ରହିଥିଲେ । ଫଳରେ ଆଜି ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରିଥିଲ । ଶୂନ୍ୟକାଳରେ ମଧ୍ୟ ହଟ୍ଟଗୋଳ ଜାରି ରଖିବା ସହ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ନାରାବାଜୀ ଓ ବ୍ୟାନର ପ୍ରଦର୍ଶନ କରିଥିଲେ । ବିଜେପି ବିଧାୟକ ନବଚରଣ ମାଝୀ ଓ ଗଣେଷ ରାମ ସିଂହ ଖୁଣ୍ଟିଆ ପୋଡିଅମ ଉପରକୁ ଚଢିବାକୁ ଚେଷ୍ଟା କରି ବାଚସ୍ପତିଙ୍କ ମାଇକ ଭାଙ୍ଗିଦେଇଥିଲେ । ଏହି ପ୍ରସଙ୍ଗରେ ବାଚସ୍ପତି ସରକାରୀ ଦଳ ଏବଂ କଂଗ୍ରେସ ଦଳର ସଦସ୍ୟଙ୍କ ସହିତ ମିଶି ହଟଗୋଲ ଭିତରେ ଆଲୋଚନା କରିଛନ୍ତି , ଏହା ଅଗଣତାନ୍ତ୍ରିକ ଏବଂ ବାଚସ୍ପତିଙ୍କ ଏଭଳି ପକ୍ଷପାତିତା ବିରୋଧରେ ଆମେ ବିରୋଧ ଜାରି ରଖିବୁ ବୋଲି କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ।

Share

Leave a Reply

Your email address will not be published. Required fields are marked *

nineteen + 10 =