ଓଡିଶା ବିକାଶର ଅନ୍ୟ ଏକ ମାଧ୍ୟମ ‘ମୋ ସ୍କୁଲ ଅଭିଯାନ’

ଭୁବନେଶ୍ବର () ମୋ ସ୍କୁଲ ଅଭିଯାନକୁ ପୁରିଲା ଦୁଇ ବର୍ଷ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋ ସ୍କୁଲ ମୋବାଇଲ ଆପ, ଏକ କଫି ଟେବୁଲ ବୁକ ଓ ଏକ ନ୍ୟୁଜ ଲେଟର ଉନ୍ନୋଚନ କରିଛନ୍ତି । ଏହି ମୋବାଇଲ ଆପର ପ୍ରସ୍ତୁତିରେ ସହଯୋଗ କରିଥିବା ରାଜ୍ୟର ଜଣେ ବିଶିଷ୍ଟ ଟେକ୍ନୋ ଉଦ୍ୟୋଗୀ ତଥା ନେଷ୍ଟାୱେର ସହ-ପ୍ରତିଷ୍ଠାତା ଅମରେନ୍ଦ୍ର ସାହୁଙ୍କୁ ସମ୍ମାନିତ କରିଥିଲେ । ଏହାଦ୍ବାରା ଅଧିକ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ, ଅନୁଷ୍ଠାନ, ସଂସ୍ଥା ବିଦ୍ୟାଳୟ ସହ ଯୋଡି ହୋଇ ଅଧିକରୁ ଅଧିକ ଦାନ କରିପାରିବେ ।

ଏହା ବ୍ୟତୀତ ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲାପାଳଙ୍କ ସହ କଥା ହୋଇ ‘ମୋ ସ୍କୁଲ ଯୋଜନା’ର ସମୀକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ , ମୁଖ୍ୟ ଶାସନ ସଚିବ, ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା, ମୋ କଲେଜ ଉପଦେଷ୍ଟା ପ୍ରମୁଖ ଉପସ୍ଥିତ ଥିଲେ। ଏହି ୨ ବର୍ଷ ମଧ୍ୟରେ ୯ ହଜାର ୯୮୫ ଟି ବିଦ୍ୟାଳୟ ‘ମୋ ସ୍କୁଲ ଯୋଜନା’ରେ ସାମିଲ ହୋଇଛନ୍ତି। 1 ଲକ୍ଷ 66 ହାଜର 608 ପୁରାତନ ଛାତ୍ରଛାତ୍ରୀ , ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନମାନେ ବିଦ୍ୟାଳୟ ଗୁଡିକ ପାଇଁ 34 କୋଟି 87 ଲକ୍ଷ 76 ହଜାର 435 ଟଙ୍କା ଦାନ କରିଥିବା ଏହି ଅବସରରେ ବିଦ୍ୟାଳୟ ଓ ଗଣଶକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ ଶିକ୍ଷାନୁଷ୍ଠାନର ପୂରାତନ ଛାତ୍ରଛାତ୍ରୀମାନେ ହିଁ ଏହାର ବିକାଶରେ ଏକ ମୁଖ୍ୟ ଭୁମିକା ନେଇଥାନ୍ତି । ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ଅପେକ୍ଷା ଅନ୍ୟ କେହି ନିଜ ସ୍କୁଲର ବିକାଶ ପାଇଁ ସେତିକି ଚିନ୍ତିତ ନୁହଁନ୍ତି । ଏହି ବିଶ୍ବାସକୁ ନେଇ ମୋ ସ୍କୁଲ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏଥିରୁ ମିଳିଥିବା ସଫଳତା ଆମ ବିଶ୍ବାସକୁ ମଜବୁତ କରିଛି । ଏହି ଅଭିଯାନ ବହୁ ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପାଇଁ କିଛି କରିବାକୁ ଉତ୍ସାହିତ କରିଛି । ମୁଁ ଆଶା କରୁଛି କିଛି ବର୍ଷ ମଧ୍ୟରେ ଏହା ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିକାଶ ପାଇଁ ଏକ ବଳିଷ୍ଠ ଓ ଚମକପ୍ରଦ ଶିକ୍ଷା ବ୍ୟବସ୍ଥା ହିଁ ଏକମାତ୍ର ବାଟ ଏବଂ ଏହା କେବଳ ମିଳିତ ଉଦ୍ୟୋଗ ଦ୍ବାରା ହିଁ ସମ୍ଭବପର । ଏକ୍ଷେତ୍ରରେ ପୁରାତନ ଛାତ୍ରଛାତ୍ରୀଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ । ବିଶ୍ବର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନଗୁଡିକର ବିକାଶ ଏହିଭଳି ଭାବେ ହିଁ ସମ୍ଭବ ହୋଇଛି । ଏମଆଇଟି ହେଉ କି ହାଭାର୍ଡ ବିଶ୍ବବିଦ୍ୟାଳୟ, ବିଶ୍ବର ଏହି ଶ୍ରେଷ୍ଠ ଅନୁଷ୍ଠାନଗୁଡିକର ବିକାଶ ପଛରେ ସେମାନଙ୍କ ପୂରାତନ ଛାତ୍ରଛାତ୍ରୀଙ୍କ ମହତ୍ବପୂର୍ଣ୍ଣ ଯୋଗଦାନ ରହିଛି । ଭାରତରେ ମଧ୍ୟ ଆଇଆଇଟି ଏବଂ ଆଇଆଇଏମ ଭଳି ଅନୁଷ୍ଠାନରେ ସେମାନଙ୍କ ପୁରାତନ ଛାତ୍ରଛାତ୍ରୀଙ୍କ ଭୂମିକାକୁ ଅଣଦେଖା କରିପାରିବ ନାହିଁ ବୋଲି ସେ କହିଛନ୍ତି ।

ପୁରାତନ ଛାତ୍ର ସମାଜକୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣ ଯଦି ଏକ ନୂଆ ଓଡିଶା ଓ ସଶକ୍ତ ଓଡିଶା ଦେଖିବାକୁ ଚାହୁଁଛନ୍ତି ତେବେ ଏହି ଅଭିଯାନରେ ସାମିଲ ହୁଅନ୍ତୁ । ସମସ୍ତେ ମିଳିମିଶି ସହଯୋଗର ହାତ ବଢାଇଲେ ହିଁ ଶିକ୍ଷା ବ୍ୟବସ୍ଥାରେ ଆମେ ଆଶା କରୁଥିବା ପରିବର୍ତ୍ତନ ସମ୍ଭବ । ମୋ ସ୍କୁଲ ଅଭିଯାନର ସଫଳତାକୁ ଦେଖି ସରକାର ମୋ କଲେଜ ଅଭିଯାନ ଆରମ୍ଭ କରିଛନ୍ତି । ଭବିଷ୍ୟତ ପିଢି ପାଇଁ ନିଜର ଦାୟିତ୍ବ ଭାବେ ମୋ ସ୍କୁଲ ଅଭିଯାନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × five =