ସିବିଆଇ କିମ୍ବା ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ବର () ବିରୋଧୀ ବିଜେପି ବିଧାୟକଙ୍କ ହଟ୍ଟଗୋଳ, ସ୍ଲୋଗାନବାଜୀ ଓ କରତାଳି ପ୍ରତିବାଦ ମଧ୍ୟରେ କଂଗ୍ରେସ ଦଳ ପକ୍ଷରୁ ସ୍ମିତାରାଣୀ ମୃତ୍ୟୁ ଘଟଣାକ ସମ୍ପର୍କିତ ମୁଲତବି ନୋଟିସ ଉପରେ ଆଲୋଚନା ହୋଇଛି । କଂଗ୍ରେସ ଏହି ଘଟଣାରେ ଶାସକ ବିଜେଡି ଦଳର ସ୍ଥାନୀୟ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିବା ସହ ସତ ଲୁଚାଇକୁ ଚେଷ୍ଟା କରାଯାଉଥିବା କହିଛି । ଏହି ଘଟଣାର ସିବିଆଇ କିମ୍ବା ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ଅନୁସନ୍ଧାନ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି କଂଗ୍ରେସ ଦାବି କରିଛି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ଯେ, ସ୍ମିତାରଣୀଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବାର ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ ହେଉଛି । ଏହି ଘଟଣାରେ ରାମକୋ ସିମେଣ୍ଟ ମ୍ୟାନେଜର ମଧ୍ୟ ସମ୍ପୃକ୍ତ ଅଛନ୍ତି। ଏହି ଘଟଣା ପଛରେ ସରକାରୀ ଦଳର ହାତ ରହିଛି। ସରକାରୀ ଦଳର ଚାପରେ ପୋଲିସ ସତ୍ୟକୁ ଲୁଚାଉଛି। ଜଣେ ଚାହା ବିକାଳୀ କେମିତି କୋଟିପତି ହେଲେ ଓ ଗେଷ୍ଟ ହାଉସ ନିର୍ମାଣ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡି ନେତାଙ୍କ ହାତ ନଥିଲେ ଏହା ସମ୍ଭବ ହେବ ନାହିଁ। ଏହି ଗେଷ୍ଟ ହାଉସରେ ସରକାରୀ ଅଧିକାରୀ, ବିଜେଡି ନେତା ଝିଅମାନଙ୍କୁ ଉପଭୋଗ କରନ୍ତି। ଅଭିଯୁକ୍ତ ସ୍ଥାନୀୟ ବିଜେଡି ନେତାଙ୍କ ବଡ ସମର୍ଥକ। ତେଣୁ ଏହାର ସିବିଆଇ ତଦନ୍ତ ନଚେତ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ଅନୁସନ୍ଧାନ କରିବାକୁ ସେ ଦାବି କରିଛନ୍ତି । ଏପରିକି ସ୍ମିତାରାଣୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟର ମଧ୍ୟ ବ୍ୟବଚ୍ଛେଦ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ସେହିଭଳି ସେ ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ, ବିଜେପି ନେତାମାନେ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ମଧ୍ୟ ଏହି ପ୍ରସଙ୍ଗରେ ମୁଲତବି ଆଲୋଚନା କରିବାକୁ ନୈତିକ ସାହସ ନାହିଁ । ବିଜେପି ଦଳ ସରକାରୀ ବିଜେଡି ଦଳ ସହ ହାତ ମିଳାଇ ସ୍ମିତାରାଣୀ ମୃତ୍ୟୁ ରହସ୍ୟ ଉପରେ ପରଦା ପକାଇ ଦେବାକୁ ଚେଷ୍ଟା କରୁଛନ୍ତି । ନହେଲେ ବିଜେପି ମଧ୍ୟ ସିବିଆଇ ତଦନ୍ତ ଦାବି କରି ଆଜି ଆଲୋଚନାରୁ କାହିଁକି ପଛଘୁଞ୍ଚା ଦେଉଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ।

ବିରୋଧୀ କଂଗ୍ରେସର ଅଭିଯୋଗର ଉତ୍ତର ଦେବାକୁ ଯାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ରାଜ୍ୟ ସରକାର ସବୁ ରେଡ ଫ୍ଲାଗ ମାମଲାକୁ ଗୁରୁତ୍ତର ନେଇଥାଏ । ଶବବ୍ୟବଚ୍ଛେଦ ରିପୋର୍ଟରୁ ଶ୍ବାସ ରୁଦ୍ଧ ହୋଇ ସ୍ମିତାରାଣୀ ମୃତ୍ୟୁବରଣ କରିଥିବାରୁ ଏହା ଆତ୍ମହତ୍ୟା ହୋଇଥାଇ ପାରେ ବୋଲି କୁହାଯାଇଛି । ଏହି ଘଟଣାରେ ପୋଲିସ ୩ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି । ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଅଭିଯୋଗଫର୍ଦ୍ଦ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଦାବି ଅନୁସାରେ ମୁଲତବୀ ନୋଟିସ ଗ୍ରହଣ କରିଥିଲେ ବାଚସ୍ପତି। ସରକାର କୌଣସି ପ୍ରସଙ୍ଗରେ ପଛଘୁଞ୍ଚା ଦେଇ ନାହାନ୍ତି। ଯଦି କୌଣସି ଅଧିକ ତଥ୍ୟ ଥାଏ ତେବେ ବିଜେପି ଉଭୟ ପୋଲିସ, କୋର୍ଟକୁ ଦେଉ। ସିବିଆଇ ଆଗରୁ ଅନେକ ଘଟଣାର ତଦନ୍ତ କରିଛି। ରାଜ୍ୟ ପୋଲିସ ଯାହା ତଦନ୍ତ ଶୁଣାଇଛି ଶେଷରେ ସମାନ ରାୟ ଶୁଣାଇଛି ସିବିଆଇ। ସେମାନେ ପରାମର୍ଶ ଦିଆନ୍ତୁ। କଣ ଅନ୍ୟାୟ ହୋଇଛି ଉପସ୍ଥାପନ କରନ୍ତୁ। ବିରୋଧୀ ଦଳ ହୋଇଛନ୍ତି ବୋଲି କଣ ଯାହା କହିବେ ତାହା ଗ୍ରହନଯୋଗ୍ୟ ହେବ। ବିଜେପି କି କଂଗ୍ରେସର କାହାରି ଆନ୍ତରିକତା ନାହିଁ। ସିବିଆଇ ତଦନ୍ତ ନାଁରେ ଘଟଣାକୁ ଚପାଇ ଦେବାକୁ ଚାହୁଁଛି। କଂଗ୍ରେସ ଗୃହ ତ୍ୟାଗ କରିବା କିଛି ନୂଆ କଥା ନୁହେଁ। ପୂର୍ବରୁ ସେମାନେ ସେୟା କରାଇଥାନ୍ତି। ଗୃହମନ୍ତ୍ରୀ ଯାହା କହିଛନ୍ତି ସନ୍ତୋଷଜନକ।

Share

Leave a Reply

Your email address will not be published. Required fields are marked *

4 + 12 =