ଅମର, ସସ୍ମିତ ଓ ଆଶ୍ଵିନୀ ରାଜ୍ୟସଭା ପ୍ରାର୍ଥୀ

ପୁଣି ଥରେ ଫେଲ ହେଲା ଗଣିତ

ବିଜେପି ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡିର ସମର୍ଥନ

ଭୁବନେଶ୍ୱର () ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ବିଜେଡି ରାଜ୍ୟସଭା ଉପନିର୍ବାଚନରେ ଖାଲି ପଡିଥିବା ତିନୋଟି ଆସନରୁ ଦୁଇଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବ । ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି ।

ରାଜ୍ୟସଭା ଉପନିର୍ବାଚନ ପାଇଁ ଗତ ୧୮ ତାରିଖରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ନାନା ଅଙ୍କକଷା ଚାଲିଥିଲା । ହେଲେ ସବୁ ଗଣିତକୁ ପୁଣି ଥରେ ଭୁଲ ପ୍ରମାଣିତ କରଛନ୍ତିି ନବୀନ । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପାଖରେ ସଂଖ୍ୟା ହେଉନଥିଲେ ବି ଦଳ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି । ତେବେ ବିଜେଡି ବିଜେପି ପ୍ରାର୍ଥୀଙ୍କୁ ଏହି ନିର୍ବାଚନରେ ସମର୍ଥନ କରିବ ବୋଲି ଖୋଦ ଦଳର ସଭାପତି ଘୋଷଣା କରିଛନ୍ତି ।

ବିଜେଡି ପକ୍ଷରୁ ଦଳର ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବ । ଦଳୀର ଦୁଇ ପ୍ରାର୍ଥୀ ଓ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ପ୍ରଦାନ ପ୍ରସଙ୍ଗରେ ନବୀନ ଆଜି ସନ୍ଧ୍ୟାରେ ଘୋଷଣା କରିଛନ୍ତି । ୧୯୯୩ ବ୍ୟାଚର ଏହି ଆଇଏଏସ ଅଫିସରଙ୍କୁ ସମର୍ଥନ ଦେବା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ନବୀନ ସହ କଥା ହୋଇଛନ୍ତି । ବିଜେପିର ଏହି ଦୁଇ ସର୍ବୋଚ୍ଚ ନେତାଙ୍କ ସହ ଆଲୋଚନା ପରେ ନବୀନ ଅଶ୍ୱିନୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । ଓଡିଶା କ୍ୟାଡରର ଏହି ଅଫିସର କଟକ ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ପରେ କେନ୍ଦ୍ରୀୟ ଟେପୁଟେସନରେ ଯାଇଥିଲେ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟାଳୟରେ ଉପ ସଚିବ ଭାବେ କାର୍ଯ୍ୟ କରିଥିଲେ ।

୨୦୧୯ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ଅଚ୍ୟୁତ ସାମନ୍ତ, ଆଳି ବିଧାନସଭାରୁ ପ୍ରତାପ କେଶରୀ ଦେବ, ଖଣ୍ଡପଡା ବିଧାନସଭାରୁୁ ସୌମ୍ୟରଂଜନ ପଟ୍ଟନାୟକ ଓ କେନ୍ଦ୍ରାପଡା ଲୋକସଭାରୁ ଅନୁଭବ ମହାନ୍ତି ଜିତିବା ପରେ ଚାରୋଟି ରାଜ୍ୟସଭା ଆସନ ଖାଲି ପଡିଥିଲା । ସେ ମଧ୍ୟରୁ ଅନୁଭବଙ୍କ କାର୍ଯ୍ୟକାଳ ବର୍ଷକରୁ କମ ଥିବାରୁ ସେହି ଆସନରୁ ନିର୍ବାଚନ ହେଉନାହିଁ । ଅନ୍ୟ ତିନୋଟି ଆସନ ପାଇଁ ଉପନିର୍ବାଚନ ହେଉଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନୋଟି ଯାକ ଦଖଲ କରିବା ନିଶ୍ଚିତ ଥିଲା । ତେବେ ରାଜ୍ୟ ସ୍ୱାର୍ଥରେ କେନ୍ଦ୍ର ସହଯୋଗର ଅବଶ୍ୟକତା ଥିବାରୁ ବିଜେଡି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛି ।

ଖାଲି ହୋଇଥିବା ତିନୋଟି ଆସନରେ ହେଉଥିବା ନିର୍ବାଚନ ଗଣିତ ଅନୁଯାୟୀ ଜଣେ ପ୍ରାର୍ଥୀଙ୍କ ପାଇଁ ୭୩ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । ତେବେ ଉପନିର୍ବାଚନରେ ଦ୍ୱିତୀୟ ଓ ତୃତୀୟ ପ୍ରିଫରେନ୍ସ ଭୋଟ ନାହିଁ । କେବଳ ପ୍ରଥମ ପ୍ରିଫରେନ୍ସ ଭୋଟ ରହିଛି । ଏହି ହିସାବରେ ଜଣେ ପ୍ରାର୍ଥୀଙ୍କ ବିଜୟ ପାଇଁ ୭୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ସେହିଭଳି ଉପନିର୍ବାଚନରେ ଜଣେ ବିଧାୟକ ତିନୋଟି ଯାକ ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବେ । ତଣେୁ ୭୩ ବିଧାୟକଙ୍କ ସମର୍ଥନ ସଂଖ୍ୟା କେବଳ ବିଜେଡି ପାଖରେ ହିଁ ରହିଛି ।

Share

Leave a Reply

Your email address will not be published. Required fields are marked *

one × 3 =