କଂଗ୍ରେସ ଛାଡ଼ିଲେ ରାଜ୍ୟର ୩୦ରୁ ଅଧିକ ନେତା

କଂଗ୍ରେସ ଛାଡ଼ିଲେ ରାଜ୍ୟର ୩୦ରୁ ଅଧିକ ନେତା । ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ, ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସଞ୍ଜୟ ବାରିକ, ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ ମଲ୍ଲ, ଛାତ୍ର କଂଗ୍ରେସ ସମ୍ପାଦକ ପ୍ରବୀଣ ବୋଦଲା ପ୍ରମୁଖ କଂଗ୍ରେସ ଛାଡ଼ିଛନ୍ତି । ଏମାନେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, କଂଗ୍ରେସ ଦଳ ନୀତି ଆଦର୍ଶରୁ ବିଚ୍ୟୁତ ହୋଇଛି । ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛନ୍ତି । ଶରତ ପଟ୍ଟନାୟକ ଦୀର୍ଘ ଦିନ ହେବ ସଂଗଠନ ସହିତ ସକ୍ରିୟ ଭାବେ ଜଡ଼ିତ ନ ଥିଲେ। ତେଣୁ ଏବେ ସେ ସଠିକ ଢଙ୍ଗରେ କାର୍ଯ୍ୟ କରି ପାରୁନାହାନ୍ତି ବୋଲି ପିସିସିର ପୂର୍ବତନ ମୁଖପାତ୍ର ଅଶୋକ ସାମଲ କହିଛନ୍ତି ।

ତେଣୁ ଦଳରେ ରହିବା ସମ୍ଭବ ହେଉନାହିଁ । ସେହିପରି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଭୋଟ ଦେବା ପ୍ରସଙ୍ଗ ଉଠାଇଛନ୍ତି ଦଳ ଛାଡ଼ିଥିବା ନେତା । ମୋକିମଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ଅଗଣତାନ୍ତ୍ରିକ । ସାରା ରାଜ୍ୟର କଂଗ୍ରେସ କର୍ମୀ ଏହାର ବିରୋଧ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ତେବେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ମୋ’ପାଖରେ କାହା ଇସ୍ତଫାପତ୍ର ପହଞ୍ଚିନି । କିନ୍ତୁ ମୁଁ ସେ ସମସ୍ତଙ୍କୁ କହିବି କଂଗ୍ରେସ ଛାଡ଼ନ୍ତୁନି । ଆମେ ଏକାଠି କାମ କରିବା । ଯଦି କାହାର ବ୍ୟକ୍ତିଗତ କାରଣ ଥିବ, ସେଇଟା ଅଲଗା କଥା । ସେହିପରି ପସିସି ସହ-ପ୍ରଭାରୀ ଏ. ରୁଦ୍ର ରାଜୁ କହିଛନ୍ତି, ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଁ ମହମ୍ମଦ ମୋକିମଙ୍କ ସହ ଆଲୋଚନା କରିଛି । ସେ ଦଳ ଛାଡ଼ିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ପସିସି ସହ-ପ୍ରଭାରୀ ଏ. ରୁଦ୍ର ରାଜୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 1 =