ଓଡିଶା ମିଲେଟ ମିଶନ ସହଭାଗିତାରେ ଧାରଣୀୟ କୃଷିକୁ ପ୍ରୋତ୍ସାହନ ଦେଉଛି ଟିପିଏସ୍ଓଡିଏଲ୍

• ୫ଶହ ଏକର ଚାଷ ଜମିକୁ ବିହନ ସହ ଆନୁସଙ୍ଗିକ ସହାୟତା
• ୫ଶହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଚାଷୀଙ୍କୁ ମିଲେଟ ଉପାଦେୟତା ପ୍ରଶିକ୍ଷଣ
ବ୍ରହ୍ମପୁର: ମହିଳା ସଶକ୍ତିକରଣ ଦିଗରେ ଗୋଷ୍ଠୀ ସହଭାଗିତାକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ ପକ୍ଷରୁ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ସହଭାଗିତାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଚାଷୀମାନଙ୍କୁ ତାଲିମ ଦିଆଯାଉଛି । କମ୍ପାନୀ ମାଣ୍ଡିଆ ଚାଷକୁ ପ୍ରାଥମିକତା ଦେଇ ଚାଷୀ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କର କୃଷି କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନେଉଛି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଟିପିଏସ୍ଓଡିଏଲ୍ ପକ୍ଷରୁ ପାଖାପାଖି ୫୦୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଚାଷୀଙ୍କୁ ଉନ୍ନତ ମାନର ବିହନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ସହାୟତା ଯୋଗାଇ ଦିଆଯାଇଛି।
ଖରିଫ ଋତୁରେ ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ପ୍ରମୁଖ ୮ଟି ଜିଲ୍ଲାରେ ୫୦୦ ଏକରରୁ ଅଧିକ ଜମିରେ ମାଣ୍ଡିଆ ଚାଷକୁ ସହାୟତା ଯୋଗାଇଛି । ଏଥିରେ ୭୦ଟି ଗ୍ରାମ ପଞ୍ଚାୟତର ମୋଟ ୫୦୦ ଜଣ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ଅଛନ୍ତି । ତନ୍ମଧ୍ୟରେ, ଗଞ୍ଜାମର ୨୪, ଗଜପତିର ୮, କୋରାପୁଟର ୮, ନବରଙ୍ଗପୁରର ୮, ମାଲକାନଗିରିର ୮, ବୌଦ୍ଧର ୯ ଏବଂ କନ୍ଧମାଳର ୫ଟି ଗ୍ରାମ ପଞ୍ଚାୟତ ସାମିଲ ଅଛି । ଅନ୍ୟପକ୍ଷରେ ଆନ୍ତର୍ଜାତିକ ମିଲେଟ ବର୍ଷ-୨୦୨୩ ଅବସରରେ ଆସନ୍ତା ରବି ଋତୁରେ ମଧ୍ୟ କମ୍ପାନୀ ପକ୍ଷରୁ ୧୦୦୦ ଏକର ଜମିରେ ଚାଷ ପାଇଁ ସହାୟତା ଦିଆଯିବା ନେଉ ନିଷ୍ପତ୍ତି ନିଆଯାଇଛି ।
ଟିପିଏସ୍ଓଡିଏଲର ଏହି ଅଭିନବ ପ୍ରୟାସ ମହିଳାଙ୍କୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ମିଲେଟ ଶସ୍ୟର ଉପାଦେୟତାର ପ୍ରଚାର ପ୍ରସାର ଦିଗରେ ମଧ୍ୟ ଧ୍ୟାନ ଦେଉଛି । ସାଧାରଣତଃ ପ୍ରତିକୂଳ ପରିବେଶରେ ଅଧିକାଂଶ କୃଷି କଷ୍ଟସାଧ୍ୟ ହୋଇଥିବା ବେଳେ ମାଣ୍ଡିଆ ଚାଷ ଏକ ବ୍ୟତିକ୍ରମ ଅଟେ। ମାଣ୍ଡିଆ ଚାଷ ଅନ୍ୟ ଶସ୍ୟ ତୁଳନାରେ କମ ପରିମାଣର ଜଳ,କୀଟନାଶକ ସାର ଓ ପୋଷକତତ୍ତ୍ୱ ଆବଶ୍ୟକ କରିଥାଏ । ଏଣୁ ମାଣ୍ଡିଆ ଫସଲର ଏହି ସ୍ୱତନ୍ତ୍ରତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଗ୍ରାମପଞ୍ଚାୟତସ୍ତରରେ ଟିପିଏସ୍ଓଡିଏଲ୍ ପ୍ରଶିକ୍ଷଣ ଶିବିରମାନ ମଧ୍ୟ ଆୟୋଜନ କରୁଛି। ମିଲେଟ ଉପାଦେୟତାର ସଚେତନତା ଶିବିରରେ ବିଭିନ୍ନ ପର୍ଯ୍ୟାୟରେ ଗୋଷ୍ଠୀ ବୈଠକ କରାଯାଉଛି । ଏହି ତାଲିମ ଶିବିରରେ ବିଶେଷଜ୍ଞମାନେ ମିଲେଟର ଉପାଦେୟତା ଏବଂ ଚାଷ ସମ୍ବନ୍ଧୀୟ ବିସ୍ତୃତ ସୂଚନା ଦେଉଛନ୍ତି । ସ୍ଥାନୀୟ ଭାଷାରେ କମ୍ପାନୀ ଲୋକଙ୍କ ନିକଟରେ ଏସବୁ ସୂଚନା ପହଞ୍ଚାଉଛି । ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ପର୍କିତ ପ୍ରଚାରପତ୍ର ମାଧ୍ୟମରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି ।
ଟିପିଏସଓଡ଼ିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ ଗର୍ଗ ଏସମ୍ପର୍କରେ କହିଛନ୍ତି ଯେ, ମାଣ୍ଡିଆ ଚାଷର ପ୍ରସାର କରିବା ନିମନ୍ତେ ଟିପିଏସ୍ଓଡିଏଲ୍ ଚାଷୀ ଓ ମହିଳାଙ୍କ ସାଥିରେ ସର୍ବଦା ରହିଛି । ଏହାସହ ଚଳିତ ଅନ୍ତର୍ଜାତୀୟ ମିଲେଟ ବର୍ଷରେ ମିଲେଟ ଚାଷକୁ ପ୍ରାଧାନ୍ୟ ଦେଇ ଆସୁଛି । ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ସଶକ୍ତିକରଣ ଓ ଧାରଣୀୟ ବିକାଶର ବୀଜରୋପଣ କରିବାରେ ସଫଳ ହେଉଛୁ ।

Share

Leave a Reply

Your email address will not be published. Required fields are marked *

one × 1 =