ପ୍ରଚଣ୍ଡ ଗ୍ରୀଷ୍ମ ଲହରିରେ ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ୭,୭୦୦ କ୍ଷେତ୍ର କର୍ମଚାରୀ ମୂତୟନ
 କ୍ଷେତ୍ର କର୍ମଚାରୀଙ୍କୁ ବିଦ୍ୟୁତ ଖୁଂଟ, କଣ୍ଡକ୍ଟର, ଆସେସୋରି, ହାଇଡ୍ରା ଓ ପୋଲମାଷ୍ଟର ପ୍ରଦାନ
 ରାତିରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆସ୍କା ଆଲୋକୀକରଣ ବ୍ୟବସ୍ଥା
ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆକଳନ ଅନୁସାରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ବିଭିନ୍ନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ନିକଟରେ ଘଟିଥିବା କାଳବୈଶାଖୀରେ ପ୍ରଭାବିତ ହୋଇଥିବା ନେଟ୍‌ୱର୍କର ପୁନରୁଦ୍ଧାର କାର୍ଯ୍ୟକୁ କଂପାନି ପ୍ରାୟ ସମ୍ପୂର୍ଣ୍ଣ କରିଛି ।
ସମସ୍ତ ପ୍ରଭାବିତ ଅଂଚଳରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ଲାଗି ଟିପିସିଓଡିଏଲ୍‌ର କର୍ମଚାରୀମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ସି-ପିଏସ୍‌ସିସି) ଓ ମଣ୍ଡଳ-ସ୍ତରୀୟ ନିରୀକ୍ଷଣ ଟିମ୍ ଦ୍ୱାରା ପୁନରୁଦ୍ଧାର ଉଦ୍ୟମ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି ।
ଟିପିସିଓଡିଏଲ୍ ପକ୍ଷରୁ ସଫଳତାର ସହ ପ୍ରଭାବିତ ନେଟ୍‌ୱର୍କର ଅଧିକାଂଶ ଅଂଶକୁ ସ୍ୱାଭାବିକ କରାଯାଇଛି ଏବଂ ନିର୍ଦିଷ୍ଟ ଅଭିଯୋଗଗୁଡ଼ିକର ପ୍ରତ୍ୟକ୍ଷ ଭାବେ ସମାଧାନ କରାଯାଉଛି । ଆଜି ଓଡ଼ିଶାର ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସହିତ ହୋଇଥିବା ବୈଠକରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ ଏହା ଉପରେ ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି ।
ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଏବଂ ଆଉ କାଳବୈଶାଖି ଭଳି ଘଟଣାରେ ଶୀଘ୍ର ପୁନରୁଦ୍ଧାର ଲାଗି ଟିପିସିଓଡିଏଲ୍ ପକ୍ଷରୁ କ୍ଷେତ୍ରରେ ୭,୭୦୦ କର୍ମଚାରୀ ମୂତୟନ କରାଯାଇଥିବା ବେଳେ ସେମାନଙ୍କୁ ବିଦ୍ୟୁତ ଖୁଂଟ, କଣ୍ଡକ୍ଟର, ହାଇଡ୍ରା ଓ ପୋଲମାଷ୍ଟର ଆଦି ପ୍ରଦାନ କରାଯାଇଛି । ରାତି ସମୟରେ ପୁନରୁଦ୍ଧାର କାର୍ଯ୍ୟ ଲାଗି କଂପାନି ପକ୍ଷରୁ ଆସ୍କା ଆଲୋକ ମଧ୍ୟ ବ୍ୟବସ୍ଥା କରାଯାଇଛି ।
ଏହା ବ୍ୟତୀତ, ଯେକୌଣସି ପ୍ରକାରର ଜରୁରୀକାଳୀନ ସ୍ଥିତିରେ ୧୦୦୦ କର୍ମଚାରୀ ନିୟୋଜିତ ହେବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।
ବର୍ତମାନ ସ୍ଥିତିକୁ ନଜର ରଖି, ଟିପିସିଓଡିଏଲ୍‌ର ସମସ୍ତ ବୈଷୟିକ କର୍ମଚାରୀଙ୍କ ସବୁ ଛୁଟି ବାତିଲ କରାଯାଇଛି ଏବଂ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଛନ୍ତି ।
ଓଡ଼ିଶା ବିପର୍ଯ୍ୟୟ ଦ୍ରୁତ ପ୍ରଶମନ ବଳ (ଓଡ୍ରାଫ୍‌) ଏବଂ ଉପକରଣଗୁଡ଼ିକୁ ବୋଟ ଜରିଆରେ ନଦୀ ପାର କରାଇବା ଲାଗି ସ୍ଥାନୀୟ ପ୍ରଶାସନ ସହ ସହଯୋଗିତା ସମେତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।
ଗତ ଶୁକ୍ରବାରଠାରୁ କିଛି ଦିନ ହେଲାଣି ଭୁବନେଶ୍ୱର, ପାରାଦୀପ, ସମ୍ବଲପୁର, ପୁରୀ ଓ ଅନ୍ୟ କେତେକ ସ୍ଥାନରେ ଦୈନିକ ଅତ୍ୟଧିକ ପାଣିପାଗ ସ୍ଥିତିର ଅନୁଭବ ରହୁଛି ।
ଅତ୍ୟଧିକ ତାପମାତ୍ରା ଯୋଗୁଁ ଲଘୁଚାପ, ଛୋଟ ବାତ୍ୟା ଭଳି ଘଟଣା ସୃଷ୍ଟି କରୁଛି, ଯାହା ଫଳରେ ଦ୍ରୁତ ଗତିରେ ପବନ ବହୁଛି । ଫଳରେ ଗଛ ଭାଙ୍ଗି ନେଟ୍‌ୱର୍କ ଓ ବିଦ୍ୟୁତ ଖୁଂଟ ଉପରେ ପଡ଼ି ତାହା କ୍ଷତିଗ୍ରସ୍ତ ହେଉଛି ।
ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଲାଗି ସୁରକ୍ଷିତ ମନେ ହେବା ପରେ ପରେ ଅଧିକାଂଶ ନେଟ୍‌ୱର୍କକୁ ୨-୩ ଘଂଟାରେ ସ୍ୱାଭାବିକ କରାଯାଇଛି ।
କ୍ଷେତ୍ରରେ କାମ କରୁଥିବା ଆମ ଟିମ୍ ଏଭଳିକି ଦୁର୍ଗମ ଅଂଚଳରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ଲାଗି ଦିନ ରାତି ନିରବଚ୍ଛିନ୍ନ ଭାବେ କାମ କରୁଛନ୍ତି ।
ଦୁର୍ଭାଗ୍ୟର ବିଷୟ ହେଉଛି ଏଭଳି ଉଚ୍ଚ ବାତ୍ୟା ଭଳି ଘଟଣା ଦୈନନ୍ଦୀନ ଘଟୁଛି ଏବଂ ଆଇଏମ୍‌ଡିର ଆକଳନ ଅନୁସାରେ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ତାହା ଜାରି ରହିବ ବୋଲି ଆଶା କରାଯାଉଛି ।
ସମସ୍ତ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛୁ ।
ଗ୍ରାହକମାନଙ୍କୁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଲାଗି ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

five + 17 =