ଆସିଲା ଫର୍ମ 16 ନେବାର ସମୟ

ନୂଆଦିଲ୍ଲୀ () ପ୍ରତିବର୍ଷ ପରି ଏବର୍ଷ ବି ବିଭିନ୍ନ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଫର୍ମ 16 ପ୍ରଦାନ କରିବା ଆରମ୍ଭ କରିଦେଇଛନ୍ତି  । ପ୍ରତିବର୍ଷ ଜୁନ ମାସରେ ନିଯୁକ୍ତିଦାତାମାନେ ଏହି ଫର୍ମ 16 ପ୍ରଦାନ କରିଥାନ୍ତି  । କିନ୍ତୁ ଖୁବ କମ କର୍ମଚାରୀ ଏହି ଫର୍ମ 16 କଣ ଏବଂ ଏହା ସେମାନଙ୍କ ପାଇଁ କେତେ ଜରୁରୀ ତାହା ଜାଣିଥାନ୍ତି  । ଆସନ୍ତୁ ଜାଣିବା କଣ ଏହି ଫର୍ମ 16 ଏବଂ ଏହା କର୍ମଚାରୀଙ୍କ ପାଇଁ କେତେ ଜରୁରୀ  ।

ଫର୍ମ 16କୁ କମ୍ପାନୀ ବା ନିଯୁକ୍ତିଦାତାମାନେ ସେମାନଙ୍କ କର୍ମଚାରୀଙ୍କୁ ଦେଇଥାନ୍ତି  । ଏଥିରେ କମ୍ପାନୀ କର୍ମଚାରୀଙ୍କୁ ଜଣାଇଥାନ୍ତି ଯେ, ସେମାନଙ୍କ ଦରମାରୁ କେତେ ଅର୍ଥ ଟିକସ ଯୋଗ୍ୟ  । ଏହି ଟିକସ ଯୋଗ୍ୟ ଅର୍ଥ କର୍ମଚାରୀଙ୍କ ଦରମାରୁ କାଟି ଆୟକର ବିଭାଗ ନିକଟରେ ଦାଖଲ କରାଯାଇଥିବାର ପ୍ରମାଣ ନିଯୁକ୍ତିଦାତା ଦେଇଥାନ୍ତି  । ଏଥିସହିତ ଏହି ଫର୍ମ 16ରେ ଏମିତି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି ଯାହା କର୍ମଚାରୀଙ୍କୁ ସେମାନଙ୍କ ଆୟକର ରିଟର୍ଣ୍ଣ ଦାଖଲ ସମୟରେ ଆବଶ୍ୟକ ପଡିଥାଏ  ।

ଫର୍ମ 16ର ପାର୍ଟ ଏ (Form 16-A)ରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ସମ୍ପର୍କରେ ତଥ୍ୟ ସାଙ୍ଗକୁ ଆପଣଙ୍କ ଦରମାରୁ କଟାଯାଇଥିବା ଟିକସ ସମ୍ବନ୍ଧିୟ ତଥ୍ୟ ବି ରହିଛି  । ଏଥିରେ ନିଯୁକ୍ତିଦାତାଙ୍କ ନାଁ, ଠିକଣା, ଟ୍ୟାନ (TAN), ପାନ (PAN) ଓ କର୍ମଚାରୀଙ୍କ ପାନ ନମ୍ବର ପ୍ରଦାନ କରାଯାଇଥାଏ  । ଏଥିସହିତ ଏଥିରେ କମ୍ପାନୀ ପକ୍ଷରୁ ପ୍ରତି ତିନି ମାସରେ କର୍ମଚାରୀଙ୍କ ଦରମାରୁ ଟିକସ ବାବଦରେ କଟା ଯାଇଥିବା ଅର୍ଥ ସଂପର୍କରେ ବିବରଣୀ ରହିଛି, ଯାହାକୁ ନିଯୁକ୍ତିଦାତା ସାର୍ଟିଫାଏ କରିଥାନ୍ତି  ।

ସେହିପରି ଫର୍ମ 16 ପାର୍ଟ ବି (Form 16-B)ରେ ଆପଣଙ୍କ ଦରମା ଓ ଆପଣଙ୍କୁ ମିଳୁଥିବା ଟିକସ ରିହାତି ସଂପର୍କରେ ସୂଚନା ରହିଛି  । ଏଥିରେ ଆପଣଙ୍କ ଦରମାର ବ୍ରେକ ଅପ ସହ ଆୟକର ଆଇନରେ ଆପଣଙ୍କୁ ମିଳୁଥିବା ରିହାତି ଏବଂ ଆୟକର ଆଇନର ଧାରା 89 ଅନୁସାରେ ମିଳୁଥିବା ଟିକସ ରିହାତ ସଂପର୍କରେ ସୂଚନା ଦିଆଯାଇଥାଏ  ।

ଧାରା 89 କଣ? ଧାରା 89 ହେଉଛି, ଯଦି ଆପଣ କମ୍ପାନୀ ଠାରୁ ଅଗ୍ରୀମ ଦରମା ଗ୍ରହଣ କରିଛନ୍ତି କିମ୍ବା କମ୍ପାନୀ ଉପରେ ଥିବା କିଛି ଏରିୟର ଆପଣଙ୍କୁ ଆପଣଙ୍କ ଦରମା ସହ ମିଳିଛି ତେବେ ଏହି ଧାରା ଅନୁସାରେ ସେଥିରେ ଟିକସ ରିହାତି ଦିଆଯିବାର ପ୍ରାବଧାନ ରହିଛି  ।

ତେଣୁ ଫର୍ମ 16 ଦ୍ବାରା ଆପଣ ଅତି ସହଜରେ ନିଜର ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ କାରଣ ଏଥିରେ ରିଟର୍ଣ୍ଣ ଦାଖଲ ପାଇଁ ଆବଶ୍ୟକ ସମସ୍ତ ତଥ୍ୟ ରହିଥାଏ । ରିଟର୍ଣ୍ଣ ଦାଖଲ ସମୟରେ ଫର୍ମ 16ରୁ 5ଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥାଏ  । ଯେମତିକି, ଏଥିରେ ଆପଣଙ୍କର ଟିକସ ଯୋଗ୍ୟ ଦରମା, ଧାରା 80 ସି ଅନୁଯାୟୀ ଆପଣଙ୍କୁ ମିଳୁଥିବା ରିହାତି, 80 ସିରେ ଆପଣଙ୍କୁ ମୋଟ କେତେ ରିହାତି ମିଳିଛି, ଟିଡିଏସ ଏବଂ ଆଉ ଟିକସ ଯଦି ଆପଣଙ୍କୁ ଦେବାକୁ ଥିବ ବା ରିଫଣ୍ଡ ସଂପର୍କିତ ସୂଚନା ରହିଛି  ।

Share

Leave a Reply

Your email address will not be published. Required fields are marked *

thirteen + one =