ବିଜେପି ପାଇଁ ଖୋଲିଥିବା ଗାତରେ ପଡିଛି କଂଗ୍ରେସ

ଭୁବନେଶ୍ବର () ଗତ ବିଧାନସଭାରେ ବିଜେପି ପାଇଁ ଖୋଳିଥିବା ଗାତରେ ଏବେ ପଡିଛି କଂଗ୍ରେସ । ଗତ ବିଧାନସଭାରେ ବିରୋଧୀ ଦଳର ଭୂମିକାରେ ଥିବା କଂଗ୍ରେସ ନିଜର ସଂଖ୍ୟା ଗରିଷ୍ଠତା ଯୋଗୁଁ ମୁଲତବି ପ୍ରସ୍ତାବ ନେଟିସରେ ବିଜେପିକୁ ସାମିଲ କରୁନଥିଲା । ବିଜେପି ଗତ ଅଧିବେଶନରେ କଂଗ୍ରେସର ଏହି ଚାଲର ଜବାବ ଚଳିତ ଅଧିବେଶନରେ ଦେଉଛି । କଂଗ୍ରେସ ଦେଇଥିବା ମୁଲତବି ନୋଟିସ ଗ୍ରହଣ ହେଉନି । ଆଜି ଅବଶ୍ୟ କଂଗ୍ରେସ ବିଧାୟକମାନେ ଗୃହରେ ହଟ୍ଟଗୋଳ କରିବାରୁ ସର୍ବଦଳୀୟ ବୈଠକରେ କଂଗ୍ରେସର ମୁଲତବି ନୋଟିସ ଉପରେ ଆସନ୍ତାକାଲି ଆଲୋଚନା ହେବା ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

ପଞ୍ଚଦଶ ବିଧାନସଭାରେ କଂଗ୍ରେସ 16 ଜଣ ବିଧାୟକରେ ବିରୋଧୀ ଦଳର ମାନ୍ୟତା ପାଇଥିଲା । ତେଣୁ ଯାହାବି ମୁଲତବି ନୋଟିସ ଆସୁଥିଲା ତାହା କଂଗ୍ରେସ ଦେଉଥିବା ପ୍ରସ୍ତାବ ଉପରେ ଚୁଡାନ୍ତ ହେଉଥିଲା । ସେ ସମୟରେ ବିରୋଧୀ ଦଳ ନେତା ଭାବେ ନରସିଂହ ମିଶ୍ର ବିଜେପି ବିଧାୟକମାନଙ୍କୁ କହିବାକୁ ସୁଯୋଗ ମଧ୍ୟ ଦେଉନଥିଲେ । ନିଜେ ଏକାକି ଘଣ୍ଟେ ଦେଢ ଘଣ୍ଟା ଧରି ଆଲୋଚନା କରୁଥିଲେ । ବିରୋଧୀ ଦଳ ନେତା ଭାବେ ତାଙ୍କର ସେ ଅଧିକାର ମଧ୍ୟ ରହିଥିଲା ।

ଷୋଢଶ ବିଧାନସଭାରେ କିନ୍ତୁ ପାଣିପାଗ ବଦଳିଯାଇଛି । ଏଥର ବିଜେପି 23ଜଣ ବିଧାୟକରେ ବିରୋଧୀ ଦଳର ମାନ୍ୟତା ପାଇଥିବା ବେଳେ କଂଗ୍ରେସ 9 ଜଣ ବିଧାୟକରେ ସଙ୍କୁଚିତ ହୋଇଯାଇଛି । ତେଣୁ ତିନି ଦିନ ତଳେ କଂଗ୍ରେସ ଦେଇଥିବା ମୁଲତବି ପ୍ରସ୍ତାବ ନୋଟିସ ଗ୍ରହଣ ହୋଇନି । ଗ୍ରହଣ ନହେବା ସ୍ବାଭାବିକ ମଧ୍ୟ । କାରଣ ପ୍ରଥମ ସୁଯୋଗ ବିରୋଧୀ ଦଳ ଅର୍ଥାତ ବିଜେପିକୁ ଦିଆଯିବ । ସେହିଭଳି ଗତ ଅଧିବେସନରେ ବିଜେପି ଦଳରେ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନିପତି କି ନବ ଦାସଙ୍କ ଭଳି କୁହାଳିଆ ନେତା ନଥିଲେ । ଏ ଅଧିବେଶନରେ କିନ୍ତୁ ବିଜେପିରେ ମୋହନ ମାଝୀ, ବଷ୍ଣୁ ସେଠୀ, ସୁକାନ୍ତ ନାୟକ, ଆଦିତ୍ୟ ମାଢୀ ଭଳି କୁହାଳିଆ ନେତାମାନେ ଅଛନ୍ତି । ତେଣୁ ବିରୋଧୀ ଦଳର ମୁଲତବି ନୋଟିସରେ କଂଗ୍ରେସ ବିଧାୟକମାନେ ଆଉ ବେଶି ସମୟ କହିବାକୁ ପାଉନାହାଁନ୍ତି ।

ଆଜି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ମୁଲତିବ ଆଲୋଚନାରେ ନିଜର ସ୍ଥିତି ଜାହିର କରିବାକୁ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ଫଳରେ କଂଗ୍ରେସ ଦେଇଥିବା ନୋଟିସ ଉପରେ ଆସନ୍ତାକାଲି ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଛି । କଂଗ୍ରେସ ପାଇଁ ଏଭଳି ଅଡୁଆ ସ୍ଥିତି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର ଠଉରାଇ ସାରିଥିଲେ । ତେଣୁ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକରେ ସେ ଦିନକୁ ଦୁଇଟି ଲେଖାଏଁ ମୁଲତବି ନୋଟିସ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

eighteen − 9 =