ବିଜେପି ବାଧ୍ୟବାଧକତାର ବାତାବରଣ ସୃଷ୍ଟି କରୁଛି – ବିଜେଡି

ଜୁଏଲ-ପ୍ରତାପ ମୁହାଁମୁହିଁ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗ ବୈଠକରେ ଯୋଗ ନଦେବା ନେଇ ରାଜନୀତି ଜୋର ଧରିଛି  । ବୈଠକକୁ ନବୀନଙ୍କ ବର୍ଜନକୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏକଛତ୍ରବାଦ ବୋଲି ଅଭିଯୋଗ କରିଛନ୍ତି  । କେନ୍ଦ୍ର ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନା ସଂପର୍କରେ ଆଲୋଚନା ପାଇଁ ବୈଠକ ଡାକିଥିବା ବେଳେ ରାଜ୍ୟ ସରକାର ଏକପାଖିଆ ଭାବେ ଏଥିରୁ ଓହରିବା ଦୁର୍ଭାଗ୍ୟଜନକ  । ଏହା ପୂର୍ବରୁ ଆୟୋଜିତ ନୀତି ଆୟୋଗ ବୈଠକରେ ନବୀନ ଯୋଗ ଦେଇଥିବା ବେଳେ ବର୍ଷକ ମଧ୍ୟରେ ଏମିତି ପାଣିପାଗରେ କି ପରିବର୍ତ୍ତନ ହେଲା ଯେ ବୈଠକକୁ ମୁଖ୍ୟମନ୍ତ୍ରୀ ଗଲେନାହିଁ ତାହା ସନ୍ଦେହଜନକ ବୋଲି ଜୁଏଲ କହିଛନ୍ତି  । ସେ ଅଭିଯୋଗ କରିଛନ୍ତି ଯେ, ନବୀନ ପଟ୍ଟନାୟକ ସମ୍ବିଧାନ ଅପେକ୍ଷା ପାର୍ଟି ଲାଇନରେ କାର୍ଯ୍ୟ କରୁଛନ୍ତି  । ଆୟୁଷ୍ମାନ ଯୋଜନାରୁ ଓହରିବା ଓ ଆକାଂକ୍ଷୀ ଜିଲ୍ଲା ଯୋଜନାକୁ ବିରୋଧ କରିବା ନବୀନଙ୍କ କେଉଁ ରାଜନୈତିକ ଭାଷା ବୋଲି ସେ ପ୍ରଶ୍ନ କରିଛନ୍ତି  । ଏପରିକି ଏମିତି କରି ନବୀନ ଏକ ବିପଦପୂର୍ଣ୍ଣ ଟ୍ରେଣ୍ଡ ଆଡେ ଗତି କରୁଥିବା ସେ ଅଭିଯୋଗ କରିଛନ୍ତି  ।

ସେପଟେ ଜୁଏଲଙ୍କ ଏଭଳି ଅଭିଯୋଗର ଜବାବ ଦେଇଛନ୍ତି ସାଂସଦ ପ୍ରତାପ ଦେବ  । ସେ କହିଛନ୍ତି ଯେ, ନୀତି ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ନୁହେଁ  । ଏହାର ବୈଠକରେ ଯୋଗ ଦେବା ବା ନଦେବା କୌଣସି ପ୍ରକାରେ ସମ୍ବିଧାନକୁ ସମ୍ମାନ ବା ଉଲଂଘନ କରୁନି  । ନିଜର ପୂର୍ବ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମୁଖ୍ୟମନ୍ତ୍ରୀ ବୈଠକକୁ ଯିବେ ନାହିଁ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସ୍ପଷ୍ଟ କରିଦେଇଛନ୍ତି  । ଏଥିସହିତ ଏହି ବୈଠକରେ ଆଲୋଚନା ପାଇଁ ଥିବା ଏଜେଣ୍ଡା ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଭିମୁଖ୍ୟକୁ ସ୍ପଷ୍ଟ କରି ଲିକ୍ଷିତ ଭାବେ ଜଣାଇଛନ୍ତି ବୋଲି ସେ କହିଛନ୍ତି  । କିନ୍ତୁ ବିଜେପି ଯେଉଁଭଳି ଆକ୍ଷେପ କରୁଛି, ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ସେମାନେ ଆତଙ୍କିତ ହୋଇପଡିଛନ୍ତି  ଏବଂ ବିଜେପି ଜାତୀୟ ରାଜନୀତିରେ ଏକ ବାଧ୍ୟବାଧକତାର ବାତାବରଣ ସୃଷ୍ଟି କରୁଥିବା ପ୍ରତାପ ଦେବ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − 10 =